କେନ୍ଦ୍ରୀୟ ସରକାରୀ କର୍ମଚାରୀଙ୍କ ପାଇଁ ଆସିଲା ବଡ଼ ଖୁସି ଖବର। DA ବଢ଼ାଇଲେ କେନ୍ଦ୍ର ସରକାର। କେନ୍ଦ୍ର ସରକାର ପୁରୁଣା କେନ୍ଦ୍ରୀୟ କର୍ମଚାରୀ ଓ ସେମାନଙ୍କ ପରିବାର ପାଇଁ ବଡ଼ ଘୋଷଣା କରିଛନ୍ତି। ସରକାର ମହଙ୍ଗା ଭତ୍ତା ରିଲିଫ୍ (Dearness Relief – DR) ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛି। ଏହି ସୁବିଧା ୫ମ ବେତନ କମିଶନ (5th CPC) ଅନୁଯାୟୀ ଏକ୍ସ-ଗ୍ରେସିଆ ପେମେଣ୍ଟ ପାଉଥିବା ପୁରୁଣା CPF ଲାଭଭୋଗୀଙ୍କୁ ମିଳିବ।
ପେନସନ୍ ଏବଂ ପେନସନ୍ ଭୋଗୀ କଲ୍ୟାଣ ବିଭାଗ (DoP&PW) ୨୨ ମେ’ ୨୦୨୬ରେ ଜାରି କରିଥିବା ଅଫିସ ମେମୋରାଣ୍ଡମ୍ରେ ଏହି ସୂଚନା ଦେଇଛି। ନୂତନ DR ହାର ୧ ଜୁଲାଇ ୨୦୨୫ ଓ ୧ ଜାନୁଆରୀ ୨୦୨୬ ଠାରୁ ଲାଗୁ ହେବ।
କେଉଁମାନେ ଏହି ଲାଭ ପାଇବେ ?
ଏହି ବୃଦ୍ଧି ପୁରୁଣା CPF ଅବସରପ୍ରାପ୍ତ କର୍ମଚାରୀ ଓ ସେମାନଙ୍କ ପରିବାରର ଯୋଗ୍ୟ ସଦସ୍ୟଙ୍କୁ ମିଳିବ।
ପ୍ରଥମ ଶ୍ରେଣୀର ଲାଭଭୋଗୀ
୧୮ ନଭେମ୍ବର ୧୯୬୦ ଠାରୁ ୩୧ ଡିସେମ୍ବର ୧୯୮୫ ମଧ୍ୟରେ ଅବସର ନେଇଥିବା CPF କର୍ମଚାରୀ, ଯେଉଁମାନେ ଏକ୍ସ-ଗ୍ରେସିଆ ପେମେଣ୍ଟ ପାଉଛନ୍ତି, ସେମାନଙ୍କ ପାଇଁ ନୂତନ DR ହାର ହେଲା:
୧ ଜୁଲାଇ ୨୦୨୫ ଠାରୁ – ୪୭୪%
୧ ଜାନୁଆରୀ ୨୦୨୬ ଠାରୁ – ୪୮୩%
ଏହି ସୁବିଧା ଗ୍ରୁପ୍ A, B, C ଓ D କର୍ମଚାରୀଙ୍କୁ କ୍ରମଶଃ ୩୦୦୦ ଟଙ୍କା, ୧୦୦୦ ଟଙ୍କା, ୭୫୦ ଟଙ୍କା ଓ ୬୫୦ ଟଙ୍କା ଏକ୍ସ-ଗ୍ରେସିଆ ଉପରେ ଲାଗୁ ହେବ।
ପରିବାର ସଦସ୍ୟଙ୍କୁ ମଧ୍ୟ ମିଳିବ ଲାଭ
ମୃତ CPF କର୍ମଚାରୀଙ୍କ ବିଧବା ଓ ଆଶ୍ରିତ ସନ୍ତାନମାନେ ମଧ୍ୟ ଏହି ସୁବିଧା ପାଇବେ। ଏଥିରେ ୧ ଜାନୁଆରୀ ୧୯୮୬ ପୂର୍ବରୁ ଅବସର ନେଇଥିବା କିମ୍ବା ଚାକିରି ସମୟରେ ମୃତ୍ୟୁ ହୋଇଥିବା କର୍ମଚାରୀଙ୍କ ପରିବାର ସଦସ୍ୟମାନେ ଅନ୍ତର୍ଭୁକ୍ତ। ଏହି ଲାଭଭୋଗୀମାନେ ବର୍ତ୍ତମାନ ୬୪୫ ଟଙ୍କା ମାସିକ ଏକ୍ସ-ଗ୍ରେସିଆ ପାଉଛନ୍ତି। ନୂତନ DR ହାର ହେଲା:
୧ ଜୁଲାଇ ୨୦୨୫ ଠାରୁ – ୪୬୬%
୧ ଜାନୁଆରୀ ୨୦୨୬ ଠାରୁ – ୪୭୫%
ବ୍ୟାଙ୍କ କରିବ DR ହିସାବ
ସରକାର କହିଛନ୍ତି, ପ୍ରତ୍ୟେକ ମାମଲାରେ ଠିକ୍ DR ରାଶି ହିସାବ କରିବା ଦାୟିତ୍ୱ ପେନ୍ସନ ଦେଉଥିବା ଏଜେନ୍ସି ଓ ସରକାରୀ ବ୍ୟାଙ୍କମାନଙ୍କର ରହିବ। ଯଦି ହିସାବରେ ଦଶମିକ ଆସେ, ତାହାକୁ ପରବର୍ତ୍ତୀ ପୂର୍ଣ୍ଣ ଟଙ୍କାକୁ ରାଉଣ୍ଡ ଅଫ୍ କରାଯିବ।
ସରକାର ସ୍ପଷ୍ଟ କରିଛନ୍ତି ଯେ, ଏହି ସଂଶୋଧିତ DR କେବଳ ସେହି ପୁରୁଣା CPF ଲାଭଭୋଗୀଙ୍କୁ ଲାଗୁ ହେବ ଯେଉଁମାନେ ଏବେ ମଧ୍ୟ ୫ମ ବେତନ କମିଶନ ଅନୁଯାୟୀ ସୁବିଧା ପାଉଛନ୍ତି।
