ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରବିବାର ଦିନ ଦାବି କରିଛନ୍ତି ଯେ, ଇରାନ ସହିତ ଶାନ୍ତି ଚୁକ୍ତି ପ୍ରାୟ ସମ୍ପୂର୍ଣ୍ଣ ହୋଇସାରିଛି । ବର୍ତ୍ତମାନ କେବଳ ଶେଷ ପର୍ଯ୍ୟାୟର ଆଲୋଚନା ଚାଲିଛି । ଟ୍ରମ୍ପଙ୍କ କହିବା ଅନୁସାରେ, ଏହି ଚୁକ୍ତି ହେଲେ ଗତ ତିନି ମାସ ଧରି ଚାଲିଥିବା ଯୁଦ୍ଧ ଶେଷ ହେବାର ସମ୍ଭାବନା ରହିଛି ।
ଟ୍ରମ୍ପ ତାଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଟ୍ରୁଥ ସୋସିଆଲ’ରେ ଲେଖିଛନ୍ତି ଯେ ସେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ସହିତ ମଧ୍ୟ କଥା ହୋଇଛନ୍ତି । ସେହି ଆଲୋଚନା ବହୁତ ସକାରାତ୍ମକ ଥିବା କଥା ସେ କହିଛନ୍ତି । ଟ୍ରମ୍ପ କହିଛନ୍ତି ଯେ, ଚୁକ୍ତିର ଶେଷ ବିଷୟଗୁଡ଼ିକ ଉପରେ ଆଲୋଚନା ଚାଲିଛି ଏବଂ ଶୀଘ୍ର ଏହାର ଘୋଷଣା ହୋଇପାରେ ।
ଏହା ସହିତ ଟ୍ରମ୍ପ କହିଛନ୍ତି ଯେ ଏହି ଚୁକ୍ତି ଅନୁସାରେ ହୋର୍ମୁଜ ଜଳସନ୍ଧିକୁ ପୁଣି ଖୋଲାଯିବ । କିନ୍ତୁ ଇରାନ ଏହି ଦାବିକୁ ଖଣ୍ଡନ କରିଛି । ଇରାନର କହିବା ଅନୁସାରେ, ହୋର୍ମୁଜ ଉପରେ ତାଙ୍କ ନିୟନ୍ତ୍ରଣ ଜାରି ରହିବ । ଖବର ଅନୁଯାୟୀ, ଇରାନ କେବଳ ଯୁଦ୍ଧ ପୂର୍ବରୁ ଯେତେ ଜାହାଜ ଯାଉଥିଲେ ସେତେକୁ ଯାଇବାକୁ ଅନୁମତି ଦେବାକୁ ସମ୍ମତ ହୋଇଛି ।
ଟ୍ରମ୍ପ ଏହି ଚୁକ୍ତିକୁ ୧୪ ଦଫା ବିଶିଷ୍ଟ ‘ମେମୋରେଣ୍ଡମ ଅଫ ଅଣ୍ଡରଷ୍ଟାଣ୍ଡିଂ’ ବୋଲି କହିଛନ୍ତି । ତାଙ୍କ ଅନୁସାରେ, ଆମେରିକା, ଇରାନ ଏବଂ ଅନ୍ୟ ଦେଶମାନଙ୍କର ମଞ୍ଜୁରି ପରେ ଏହାକୁ ଶେଷ ରୂପ ଦିଆଯିବ ।
ଇରାନ ବିଦେଶ ମନ୍ତ୍ରଣାଳୟର ପ୍ରବକ୍ତା କହିଛନ୍ତି ଯେ ଆଲୋଚନାର ମୁଖ୍ୟ ଲକ୍ଷ୍ୟ ହେଉଛି ଯୁଦ୍ଧକୁ ଶେଷ କରିବା । ସମୁଦ୍ରରେ ହେଉଥିବା ଆକ୍ରମଣକୁ ରୋକିବା ଏବଂ କିଛି ପ୍ରତିବନ୍ଧକରେ ରାହତ ଦେବା ଭଳି ବିଷୟ ମଧ୍ୟ ଏଥିରେ ସାମିଲ ଅଛି ।
