ଆମେରିକାକୁ ଇରାନର କଡ଼ା ଚେତାବନୀ…ତୁରନ୍ତ ହର୍ମୁଜ ଛାଡ଼ି ଚାଲିଯାଅ

by newsroom APR-13-2026 12:39 PM IST in ଦେଶ ବିଦେଶ

ହର୍ମୁଜ୍ ପ୍ରଣାଳୀରେ ପଇଁତରା ମାରୁଥିବା ଆମେରିକୀୟ ଯୁଦ୍ଧଜାହାଜଗୁଡ଼ିକୁ କଡା ଚେତାବନୀ ଦେଇଛି ଇରାନ। ଇରାନୀୟ ରାଷ୍ଟ୍ରୀୟ ମିଡିଆ ଏକ ଭିଡିଓ ପ୍ରକାଶ କରିଛି ଯେଉଁଥିରେ ଇରାନୀୟ ବିପ୍ଳବୀ ଗାର୍ଡ୍ କର୍ପସ୍ (IRGC) ନୌସେନା ଆମେରିକୀୟ ଯୁଦ୍ଧଜାହାଜକୁ କହୁଛି – “ଗତି ବଦଳାଅ ଏବଂ ଭାରତୀୟ ମହାସାଗରକୁ ଫେରିଯାଅ”। ଏହାକୁ ଇରାନ୍ ‘ଶେଷ ଚେତାବନୀ’ ବୋଲି କହିଛି।

ଆମେରିକା ଶନିବାର ଘୋଷଣା କରିଥିଲା ଯେ, ଦୁଇଟି ଗାଇଡେଡ୍-ମିସାଇଲ୍ ଡେଷ୍ଟ୍ରୟର୍ – USS Frank E. Petersen Jr. (DDG-121) ଏବଂ USS Michael Murphy (DDG-112) – ହର୍ମୁଜ୍ ପ୍ରଣାଳୀ ଅତିକ୍ରମ କରି ଆରବ ସାଗରରେ ପ୍ରବେଶ କରିଛନ୍ତି। ଏହି ଯାତ୍ରା ମାଇନ୍ ସଫା କରିବା ଏବଂ ଆନ୍ତର୍ଜାତିକ ଜଳପଥ ଉନ୍ମୁକ୍ତ ରଖିବା ଉଦ୍ଦେଶ୍ୟରେ ହୋଇଥିଲା ବୋଲି ଆମେରିକୀୟ କେନ୍ଦ୍ରୀୟ କମାଣ୍ଡ୍ (CENTCOM) କହିଛି।

ଇରାନୀୟ ଭିଡିଓରେ ଶୁଣାଯାଉଛି ଯେ, IRGC ନୌସେନା ରେଡିଓ ମାଧ୍ୟମରେ ଆମେରିକୀୟ ଯୁଦ୍ଧଜାହାଜକୁ କହୁଛି: “ଆମେରିକୀୟ ନୌସେନା ଯୁଦ୍ଧଜାହାଜ ୧୨୧, ଏହା IRGC ନୌସେନା ଷ୍ଟେସନ୍। ତୁମେ ତୁରନ୍ତ କୋର୍ସ ବଦଳାଇ ଭାରତୀୟ ମହାସାଗରକୁ ଫେରିଯାଅ। ଏହା ଶେଷ ଚେତାବନୀ।”ଇରାନ୍ ଦାବି କରିଛି ଯେ, ତା’ର ବାହିନୀ ଯୁଦ୍ଧଜାହାଜଗୁଡ଼ିକୁ ଲକ୍ଷ୍ୟ ରଖିଥିଲା ଏବଂ ସେଗୁଡ଼ିକୁ ଫେରିଯିବାକୁ ବାଧ୍ୟ କରିଥିଲା।

କିନ୍ତୁ ଆମେରିକା ଏହି ଦାବିକୁ ପ୍ରତ୍ୟାଖ୍ୟାନ କରି କହିଛି ଯେ, ତା’ର ଯୁଦ୍ଧଜାହାଜଗୁଡ଼ି ସ୍ୱାଧୀନଭାବେ ପ୍ରଣାଳୀ ଅତିକ୍ରମ କରିଛି ଏବଂ କୌଣସି ପ୍ରତ୍ୟକ୍ଷ ସଂଘର୍ଷ ହୋଇନାହିଁ। ହର୍ମୁଜ୍ ପ୍ରଣାଳୀ ବିଶ୍ୱର ତୈଳ ପରିବହନର ପ୍ରାୟ ଏକ ପଞ୍ଚମାଂଶ ବହନ କରେ। ସମ୍ପ୍ରତି ଇରାନ୍-ଆମେରିକା ମଧ୍ୟରେ ଉତ୍ତେଜନା ବଢ଼ୁଥିବାରୁ ଏହି ଅଞ୍ଚଳରେ ସୁରକ୍ଷା ନେଇ ଉଦବେଗ ବଢ଼ିଛି। ଉଭୟ ପକ୍ଷ ପରସ୍ପରକୁ ଆନ୍ତର୍ଜାତିକ ଆଇନ୍ ଉଲ୍ଲଙ୍ଘନ କରିବାର ଅଭିଯୋଗ କରୁଛନ୍ତି।ଏହି ଘଟଣା ପରେ ମଧ୍ୟପ୍ରାଚ୍ୟରେ ଶାନ୍ତି ଆଲୋଚନା ଉପରେ ପ୍ରଭାବ ପଡ଼ିପାରେ ବୋଲି ଆନ୍ତର୍ଜାତିକ ମହଲରେ ଆଲୋଚନା ହେଉଛି।