ପାକିସ୍ତାନର କ୍ବେଟା ସହରର ରେଲଓେ୍ବ ଟ୍ରାକ ନିକଟରେ ବଡ଼ ବିସ୍ଫୋରଣ । ବିସ୍ଫୋରଣରେ ୨୩ ଜଣଙ୍କ ଜୀବନ ଚାଲିଯାଇଥିବା ବେଳେ ୪୭ ଜଣ ଆହତ ହୋଇଛନ୍ତି । ଆହତଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି । ସରକାରୀ ହସପିଟାଲରେ ଇମରଜେନ୍ସୀ ଘୋଷଣା କରାଯାଇଛି । ବିସ୍ଫୋରଣ ଯୋଗୁଁ ଏକ ଟ୍ରେନ ଟାକରୁ ଖସିପଡିଥିଲା ।
ସୂଚନା ମୁତାବକ, କ୍ବୋଟାର କେଣ୍ଟରୁ ଆସୁଥିବା ସଟଲ ଟ୍ରେନକୁ ଚମନ ଫାଟକ ନିକଟରେ ଟାର୍ଗେଟ କରାଯାଇଥିଲା । ଚମନ ଫାଟକ ନିକଟରେ ବିସ୍ଫୋରକ ଭର୍ତ୍ତି ଗାଡ଼ିକୁ ଧକ୍କା ଦେଇଥିଲା ଟ୍ରେନ । ବିସ୍ଫୋରଣରେ ଇଂଜିନ ସମତେ ଟ୍ରେନର ୩ଟି ବଗି ଲାଇନଚ୍ୟୁତ ହୋଇଥିଲା । ୨ଟି ବଗି ସଂପୂର୍ଣ୍ଣ ଭାବେ ଓଲଟି ପଡିଥିଲା । ପାର୍କିଂରେ ଥିବା ୧୦ଟି ଗାଡ଼ି ମଧ୍ୟ ସଂପୂର୍ଣ୍ଣ ନଷ୍ଟ ହୋଇଯାଇଛି । ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ, ଆଖପାଖ ବିଲିଡିଂର କାଚ ଏବଂ ଝରକା ଭାଙ୍ଗି ଯାଇଥିଲା । ସଂପୂର୍ଣ୍ଣ ଅଞ୍ଚଳକୁ ଘେରାବନ୍ଦୀ କରାଯାଇ ରେସକ୍ୟୁ ଅପରେସନ ଜାରି ରହିଛି । ଘଟଣା ପରେ ପେଶାୱରରୁ ଆସୁଥିବା ଜାଫର ଏକ୍ସପ୍ରେସକୁ କ୍ବୋଟା ରେଲଓେ୍ବ ଷ୍ଟେସନରେ ରୋକି ଦିଆଯାଇଛି ।
ଘଟଣାକୁ ନେଇ ପାକିସ୍ତାନ ରେଳ ମନ୍ତ୍ରୀ ମହମ୍ମଦ ହନିଫ ଅବ୍ବସୀ କଡ଼ା ନିନ୍ଦା କରିଛନ୍ତି । ଫସିଥିବା ଯାତ୍ରୀଙ୍କୁ ଉଦ୍ଧାର କରିବା ପାଇଁ ରେସକ୍ୟୁ ଟିମ୍ କାର୍ଯ୍ୟ କରୁଛି । ରେଳମନ୍ତ୍ରୀ ଅଧିକାରୀଙ୍କୁ ଏହି ଘଟଣାର ରିପୋର୍ଟ ମାଗିଛନ୍ତି । ତେବେ ଏତେ ବଡ଼ ବିସ୍ଫୋରଣ ପରେ ମଧ୍ୟ ଟ୍ରେନ ସେବା ବାଧାପ୍ରାପ୍ତ ହେବନି ବୋଲି ମନ୍ତ୍ରୀ କହିଛନ୍ତି ।
ଇଏ ସେହି ଜାଫର ଏକ୍ସପ୍ରେସ, ଯାହାକୁ Baloch Liberation Army ପକ୍ଷରୁ 2025 ମାର୍ଚ୍ଚ ମାସରେ ପାକିସ୍ତାନର ବାଲୁଚିସ୍ତାନ ପ୍ରାନ୍ତରେ ହାଇଜାକ୍ କରାଯାଇଥିଲା। କ୍ୱେଟାରୁ ପେଶାୱର ଯାଉଥିବା ଏହି ଟ୍ରେନ୍କୁ ବାଲୁଚିସ୍ତାନର ବୋଲନ ଜିଲ୍ଲାର ପାହାଡ଼ିଆ ଅଞ୍ଚଳରେ ଅଟକାଇ ଦିଆଯାଇଥିଲା। ସେତେବେଳେ ଟ୍ରେନ୍ରେ 400ରୁ ଅଧିକ ଯାତ୍ରୀ ଥିଲେ। ଆକ୍ରମଣକାରୀମାନେ ଯାତ୍ରୀଙ୍କୁ ବନ୍ଦୀ କରିଥିଲେ। ପରେ ପାକିସ୍ତାନ ସେନା ‘ଅପରେସନ୍ ଗ୍ରିନ୍ ବୋଲନ’ ଚାଲାଇ ଯାତ୍ରୀମାନଙ୍କୁ ଉଦ୍ଧାର କରିଥିବା ଦାବି କରିଥିଲା। ଏହି ଅଭିଯାନରେ କେତେକ ଲୋକଙ୍କ ମୃତ୍ୟୁ ମଧ୍ୟ ହୋଇଥିଲା।
