ଛୁଟି ପାଇଁ କର୍ମଚାରୀମାନେ ଅନେକ ବାହାନା କରିଥାନ୍ତି । କାହାକୁ ଛୁଟିମିଳେ ତ କାହାକୁ ଫଟକାର ମିଳେ ।  ଆଜିକାଲି ଯୁବପିଢ଼ି କର୍ମଚାରୀଙ୍କ ଛୁଟିକୁ ନେଇ ନିଯୁକ୍ତିଦାତାମାନେ ଚିନ୍ତାପ୍ରକଟ କରିଥାନ୍ତି । ବିନା କାରଣରେ ଛୁଟି ନେଇ ବୁଲିଥାନ୍ତି ଯୁବପିଢ଼ି ।  ତେବେ ଏମିତି ଏକ Gen Z କର୍ମଚାରୀଙ୍କ  ଛୁଟି ଆବେଦନ ଏବେ  ଭାଇରାଲ ହେଉଛି ।  କର୍ମକ୍ଷେତ୍ରରେ କର୍ମଚାରୀମାନେ ସେମାନଙ୍କର ପାରିବାରିକ କାରଣକୁ ନେଇ କିମ୍ବା ସ୍ବାସ୍ଥ୍ୟ କାରଣକୁ ନେଇ ଛୁଟି ମାଗିଥାନ୍ତି । କିନ୍ତୁ ମାନସିକ ସ୍ୱାସ୍ଥ୍ୟ ଏବଂ ପ୍ରେମ-ବ୍ରେକ୍ ଅପ୍ ଭଳି ଭାବନାତ୍ମକ ସମସ୍ୟା ବିଷୟରେ  ଛୁଟି ମାଗିବା ଭଳି ଘଟଣା ଘଟିଛି ଗୁରୁଗାଓଁରେ । ଯାହା ଏବେ ଭାଇରାଲ ହେଉଛି ।  ଗୁରୁଗାଓଁର Knot Dating ସଂସ୍ଥାର ସହ-ପ୍ରତିଷ୍ଠାତା ତଥା CEO, ଜସବୀର ସିଂହ X ରେ ଏହା ସେୟାର କରିଛନ୍ତି ।  ତାଙ୍କୁ ମିଳିଥିବା “ସବୁଠାରୁ ସଚ୍ଚୋଟ ଛୁଟି ଆବେଦନ”କୁ ସେୟାର କରିଛନ୍ତି।

ଜସବୀର ସିଂହ ଲେଖିଛନ୍ତି, ଜେନ୍ ଜେଡ୍ (Gen Z) କର୍ମଚାରୀମାନେ କୌଣସି ବାହାନା କରୁନାହାଁନ୍ତି ।  ସେମାନଙ୍କ ଭାବନା ବିଷୟରେ ସିଧାସଳଖ ଲେଖୁଛନ୍ତି ।  ତାଙ୍କର ଜଣେ କର୍ମଚାରୀ ଇମେଲ୍ ମାଧ୍ୟମରେ ଛୁଟି ଆବେଦନ କରି ଲେଖିଛନ୍ତି “ମୋର ନିକଟରେ ବ୍ରେକ୍ଅପ୍ ହୋଇଯାଇଛି ଏବଂ ମୁଁ ମନଦୁଃଖରେ ଥିବାରୁ କାମରେ ମନ ଲଗାଇ ପାରୁନାହିଁ, ମୋତେ କିଛି ଦିନର ବିଶ୍ରାମ ଦରକାର। ମୁଁ ଆଜି ୱାର୍କ ଫ୍ରମ୍ ହୋମ୍ (WFH) କରୁଛି, ତେଣୁ ମୁଁ ୨୮ ତାରିଖରୁ ୮ ତାରିଖ ପର୍ଯ୍ୟନ୍ତ ଛୁଟି ନେବାକୁ ଚାହୁଁଛି।”

ଏହି ପୋଷ୍ଟଟି ଭାଇରାଲ୍ ହେବା ପରେ ଅନେକ ୟୁଜର୍ କର୍ମଚାରୀଙ୍କର ଏହିପରି ସ୍ପଷ୍ଟବାଦିତାକୁ ପ୍ରଶଂସା କରିଛନ୍ତି। ଅନ୍ୟ କେତେକ ଏହାକୁ କର୍ମକ୍ଷେତ୍ରର ସଂସ୍କୃତିରେ ଏକ ସକାରାତ୍ମକ ପରିବର୍ତ୍ତନ ଭାବରେ ଦର୍ଶାଇଛନ୍ତି, ଯେଉଁଠାରେ ମାନସିକ ସ୍ୱାସ୍ଥ୍ୟକୁ ଗୁରୁତ୍ୱ ଦିଆଯାଉଛି।

ୟୁଜର୍‌ମାନେ CEO ଜସବୀର ସିଂହଙ୍କୁ ଛୁଟି ମଞ୍ଜୁର ହେଲା କି ନାହିଁ ବୋଲି ପଚାରିଥିଲେ। ଉତ୍ତରରେ ସେ କହିଥିଲେ, “ସଙ୍ଗେ ସଙ୍ଗେ ଛୁଟି ମଞ୍ଜୁର କରାଗଲା,” ଯାହା ତାଙ୍କୁ ବହୁ ପ୍ରଶଂସା ଆଣି ଦେଇଛି। ଜଣେ ୟୁଜର୍ ପରିହାସ କରି କହିଥିଲେ, “କିଛି ଲୋକ ନିଜ ବାହାଘରରେ ବି ଏତେ ଛୁଟି ନିଅନ୍ତି ନାହିଁ।” ଏହାର ଉତ୍ତରରେ ଜସବୀର ସିଂହ ମଜାଳିଆ ଢଙ୍ଗରେ କହିଥିଲେ, “ମୋତେ ଲାଗୁଛି ବ୍ରେକ୍ଅପ୍ ପାଇଁ ବାହାଘର ଅପେକ୍ଷା ଅଧିକ ଛୁଟି ଦରକାର।”