ପୁଣି ଚର୍ଚ୍ଚାରେ ତାମିଲନାଡୁ ବିଧାନସଭା ନିର୍ବାଚନରେ ଗୋଟିଏ ଭୋଟରେ ବିଜୟୀ ହୋଇଥିବା TVK ବିଧାୟକ । ବିଧାନସଭା ନିର୍ବାଚନରେ ଡିଏମ୍‌କେ ପ୍ରାର୍ଥୀ କେଆର ପେରିଆକାରୁପ୍ପାନଙ୍କୁ ମାତ୍ର ଗୋଟିଏ ଭୋଟରେ ପରାସ୍ତ କରିଥିବା ଟିଭିକେ ବିଧାୟକ ଶ୍ରୀନିବାସ ସେଥୁପତିଙ୍କୁ ବିଧାନସଭାର ଆସ୍ଥା ଭୋଟରେ ଭାଗନେବାକୁ ବାରଣ କରିଛନ୍ତି ମାଡ୍ରାସ ହାଇକୋର୍ଟ। ପରାଜିତ ପ୍ରାର୍ଥୀ ପେରିଆକାରୁପ୍ପାନଙ୍କ ଆବେଦନ ଆଧାରରେ ହାଇକୋର୍ଟ ମଙ୍ଗଳବାର ଏପରି ନିର୍ଦେଶ ଦେଇଛନ୍ତି। ବୁଧବାର ବିଧାନସଭାରେ ମୁଖ୍ୟମନ୍ତ୍ରୀ ଯୋଶେଫ ବିଜୟ ଆସ୍ଥା ଭୋଟର ସମ୍ମୁଖୀନ ହେବେ।

ଏ ପରିସ୍ଥିତି‌ରେ ଶ୍ରୀନିବାସ ସୁପ୍ରିମକୋର୍ଟର ଦ୍ବାରସ୍ଥ ହେବା ସହ ମାମଲାର ଜରୁରୀ ଶୁଣାଣି କରିବାକୁ ନିବେଦନ କରିଛନ୍ତି। ଶ୍ରୀନିବାସଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଅଭିଷେକ ମନୁ ସିଂଘଭି ଏବଂ ଆଇନଜୀବୀ ୟଶ ଏସ. ବିଜୟ ମାମଲାର ଜରୁରିକାଳୀନ ଶୁଣାଣି ପାଇଁ ସୁପ୍ରିମକୋର୍ଟଙ୍କୁ ମୌଖିକ ଭାବେ ଅନୁରୋଧ କରିଛନ୍ତି। ଅନୁରୋଧ ଆଧାରରେ ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ ମାମଲାର ଶୁଣାଣି ମେ’ ୧୩ରେ କରିବାକୁ ତାଲିକାଭୁକ୍ତ କରିଛନ୍ତି।