ଭୁବନେଶ୍ୱର: ବିଜେଡିରୁ ବହିଷ୍କୃତ ନେତ୍ରୀ ଶ୍ରୀମୟୀ ମିଶ୍ର ପୁଣି ଥରେ ସୋସିଆଲ ମିଡିଆରେ ଏକ ବିସ୍ଫୋରକ ପୋଷ୍ଟ୍ କରି ରାଜ୍ୟ ରାଜନୀତିରେ ହଲ୍‌ଚଲ୍ ସୃଷ୍ଟି କରିଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୂଆପଡ଼ା ଗସ୍ତର ଠିକ୍ ପୂର୍ବରୁ ଆସିଥିବା ଏହି ବୟାନରେ ଶ୍ରୀମୟୀ ବିଜେଡିକୁ ‘ଟାଇଟନିକ୍’ ଜାହାଜ ସହ ତୁଳନା କରିଛନ୍ତି ଏବଂ ଦଳକୁ ସମ୍ପୂର୍ଣ୍ଣ ବୁଡ଼ାଇ ଦେବା ପାଇଁ ବିଶ୍ୱସ୍ତରୀୟ ଯୋଜନା ଚାଲିଥିବା କହି ତୀବ୍ର କଟାକ୍ଷ କରିଛନ୍ତି।

ଶ୍ରୀମୟୀ ମିଶ୍ର ନାଁ ନନେଇ ପୂର୍ବତନ ଆଇଏଏସ୍ ଅଧିକାରୀ ସୁଜାତା ପାଣ୍ଡିଆନ ଙ୍କୁ ‘ଶକ୍ତି ନାନୀ’ କହି ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ ‘ଶକ୍ତି ନାନୀ’ କୁଆଡ଼େ ରାଜ୍ୟସଭା ଯିବାକୁ ଶକ୍ତି ଗୋଟାଉଛନ୍ତି ଏବଂ ତାଙ୍କର ରାଜନୀତିରେ ଏଣ୍ଟ୍ରି ହେଲେ ପୁଣି ଏକ ନୂଆ ସମୀକରଣ ସୃଷ୍ଟି ହେବ।

“ଜାମସେଦପୁର ପାଣି ପବନରେ ଯିଏ ବଢ଼ିଛି, ସେ ଓଡ଼ିଆଙ୍କ ସ୍ପନ୍ଦନ କେମିତି ବୁଝିବ?” “ଶକ୍ତିନାନୀଙ୍କ ଚାଟଶାଳୀରେ ବରିଷ୍ଠ ନେତା ଟ୍ୟୁସନ ହେବାର ରାଜ୍ୟବାସୀ ଦେଖିଲେ।” “ଓଡ଼ିଶା ବାସୀ ତାମିଲ ପୁଅକୁ ତ ପ୍ରତ୍ୟାଖ୍ୟାନ କଲେ। ତାମିଲ ପୁଅର ସ୍ତ୍ରୀଙ୍କୁ କେତେ ଆଦର କରିବେ ଦେଖାଯାଉ।” ଏପରି କହି କଟାକ୍ଷ କରିଛନ୍ତି ଶ୍ରୀମୟୀ ।

ଶ୍ରୀମୟୀଙ୍କ ବୟାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଂଶ ହେଉଛି ‘ଉତ୍ତରାଧିକାରୀ ହାଇଜାକ୍’ ପ୍ରସଙ୍ଗ। ସେ ନବୀନ ପଟ୍ଟନାୟକଙ୍କ ପୂର୍ବ ବୟାନକୁ ଉଦ୍ଧାର କରିଛନ୍ତି, ଯେଉଁଥିରେ ନବୀନ କହିଥିଲେ ଯେ ରାଜ୍ୟବାସୀ ତାଙ୍କ ଉତ୍ତରାଧିକାରୀ ନିଜେ ବାଛିବେ। ଏହି ସନ୍ଦର୍ଭରେ ଶ୍ରୀମୟୀ ପ୍ରଶ୍ନ କରିଛନ୍ତି: “ନବୀନ ବାବୁ କହିଥିଲେ ରାଜ୍ୟବାସୀ ତାଙ୍କ ଉତ୍ତରାଧିକାରୀ ନିଜେ ବାଛିବେ। ‘ଶକ୍ତିନାନୀ’ଙ୍କୁ ବିଜେଡିରେ ଏଣ୍ଟ୍ରି ଦେଇ ଉତ୍ତରାଧିକାରୀ ହାଇଜାକ୍‌ ପ୍ଲାନ୍‌ କରାଉଛି କିଏ?”

ପୂର୍ବରୁ ସୁଜାତା ପାଣ୍ଡିଆନଙ୍କ ପ୍ରଶାସନିକ କାର୍ଯ୍ୟକାଳ ଉପରେ ନିର୍ବାଚନ କମିଶନ ‘ବେଡ଼ି’ ପକାଇଥିଲେ ।  ସେ ଏବେ ‘ନୂଆ ପରିଚୟ’ ଅପେକ୍ଷାରେ ଥିବା କହିଛନ୍ତି। ଏହାଦ୍ୱାରା ରାଜନୀତିରେ ତାଙ୍କର ସମ୍ଭାବ୍ୟ ପ୍ରବେଶକୁ ନେଇ ଚାଲିଥିବା ଚର୍ଚ୍ଚାକୁ ଶ୍ରୀମୟୀ ପୁଣି ଥରେ ଖୋଲାଖୋଲି ଟାର୍ଗେଟ କରିଛନ୍ତି । ଶ୍ରୀମୟୀ ମିଶ୍ରଙ୍କର ଏହି ଟାର୍ଗେଟ ବିଜେଡି ଶିବିରରେ କି ପ୍ରକାର ପ୍ରତିକ୍ରିୟା ସୃଷ୍ଟି କରୁଛି, ତାହା ଉପରେ ସମସ୍ତଙ୍କ ନଜର ରହିଛି।

 

 

ଶ୍ରୀମୟୀ ଫେସବୁକ୍ ରେ ଏପରି ଲେଖିଛନ୍ତି-

* Titanic କୁ ସମ୍ପୂର୍ଣ ବୁଡ଼ାଇବା ପାଇଁ ବିଶ୍ବସ୍ତରୀୟ ଯୋଜନା*
ଶୁଣିବାକୁ ମିଳୁଛି ଶକ୍ତି ନାନୀ, କୁଆଡ଼େ ଶକ୍ତି ଗୋଟାଉଛନ୍ତି ଦଳରେ ମିଶି ରାଜ୍ୟସଭା ଯିବା ପାଇଁ। ଆଉ ଏଣ୍ଟ୍ରି ହେଇଗଲେ ପୁଣି ହେବ ନୂଆ ସମୀକରଣ।
କେନ୍ଦ୍ରପଡ଼ାରେ ବାପଘର। ଯେମିତି ଏପର୍ଯ୍ୟନ୍ତ ନୂଆପଡ଼ାରେ ମାମୁଁ ଘର ମିଳୁନି ଠିକ୍ ସେମିତି କେନ୍ଦ୍ରାପଡ଼ାରେ ବାପଘର ଠିକଣା ଖୋଜିବାକୁ ନାନାଦି ଡ୍ରାମା ହେବ। କାରଣ ଯିଏ ଜାମସେଦପୁର ପାଣି ପବନରେ ବଢ଼ିଛି , ସେ ଓଡ଼ିଆଙ୍କ ସ୍ପନ୍ଦନ କଥା ବୁଝିବ କେମିତି। ଇଲେକ୍ସନ୍ କମିଶନ୍ ଯାହାଙ୍କ ଶକ୍ତିରେ ବେଡି ପକାଇଥିଲେ, ସେ ଏବେ କୁଆଡ଼େ ନୂଆ ପରିଚୟ ଅପେକ୍ଷାରେ।
ଅବଶ୍ୟ ବିଭାଗବିହିନ ନାନୀ ସୁଭଦ୍ରା ମାଆ ମାନଙ୍କୁ ଛୁଇଁ ପାରୁନାହାନ୍ତି। କିନ୍ତୁ ନିର୍ବାଚନ ପରେ କୁଆଡେ ବିଜେଡି ଉତ୍ତରାଧିକାରୀ ମୁକୁଟ ପିନ୍ଧିବା ପାଇଁ ଯୋଜନା ଚାଲିଛି ବୋଲି ନୂଆପଡ଼ାରେ ଡେରା ପକାଇଥିବା ତାଙ୍କର କିଛି ହାତଗଣତି ଚାଟୁକାର ଉତ୍ସାହିତ ଅଛନ୍ତି। ହସ୍ପିଟାଲରୁ ଯେଉଁ ଭିଡିଓ ଭାଇରାଲ ହୋଇଥିଲା ସେଥିରେ ଏହି ଚାଟୁକାର ବରିଷ୍ଠ ନେତାମାନେ, ଶକ୍ତିନାନୀଙ୍କ ଚାଟଶାଳୀରେ tuition ହେଉଥିବାର ଦୃଶ୍ୟ ରାଜ୍ୟବାସୀ ଦେଖିଥିଲେ।
ଦେଖାଯାଉ ଓଡ଼ିଶା ଲୋକେ ତାମିଲ ପୁଅକୁ ତ ପ୍ରତ୍ୟାଖ୍ୟାନ କଲେ। ତାମିଲ ପୁଅର ସ୍ତ୍ରୀକୁ କେତେ ଆଦର କରିବେ। ଅବଶ୍ୟ ନବୀନବାବୁ କହିଥିଲେ ରାଜ୍ୟର ଜନତା ତାଙ୍କ ଉତ୍ତରାଧିକାରୀ ନିଜେ ବାଛିବେ। ତାହେଲେ ଏବେ ଶକ୍ତିନାନୀଙ୍କୁ ବିଜେଡିରେ ଏଣ୍ଟ୍ରି ଦେଇ ଉତ୍ତରାଧିକାରୀ ହାଇଜ୍ୟାକ୍ ପ୍ଲାନ୍ କରାଉଛି କିଏ ?
ଏ ପ୍ରଶ୍ନ ନୂଆପଡ଼ାରେ ମୁଖିଆଙ୍କ ଗସ୍ତରୁ ଆରମ୍ଭ ହେବ ବୋଲି ଆଶା। ଯେଉଁ କର୍ମୀମାନେ ଦୀର୍ଘ ଦଶନ୍ଧି ହେଲା ନିଜର ସମୟ ଓ ଶ୍ରମ ଦେଇଛନ୍ତି, ଆଜି ମଧ୍ୟ ଉପନିର୍ବାଚନରେ ଅକ୍ଲାନ୍ତ ପରିଶ୍ରମ କରୁଛନ୍ତି, ଶେଷରେ ସେମାନେ କ’ଣ ଅଣଓଡିଆ ଦମ୍ପତିଙ୍କ ନିର୍ଦ୍ଦେଶରେ ପରିଚାଳିତ ହେବେ ? ପ୍ରଶ୍ନର ଉତ୍ତର ଓ ବିଚାର ଆପଣମାନଙ୍କ ଉପରେ ଛାଡ଼ିଲି।🙏