ପ୍ୟାକେଜ୍ କଫି ଉପରେ ଜିଏସ୍ଟି ୧୮ ପ୍ରତିଶତରୁ ୫ ପ୍ରତିଶତକୁ ହ୍ରାସ କରାଯିବା ପରେ ଏହାର ଦାମ କମିଛି। ଏହାଦ୍ୱାରା ମଣିପୁରର କଫି ଚାଷୀ ବେଶ ଲାଭବାନ ହେବେ । ଉଖରୁଲ, ସେନାପତି ଏବଂ ଚାଣ୍ଡେଲ ଭଳି ଜିଲ୍ଲାରେ କଫି ଚାଷୀମାନେ ଉଚ୍ଚମାନର ଆରାବିକା କିସମ କଫି ପାଇଁ ବେଶ ଉତ୍ସାହିତ ହୋଇ ଏବେ କଫି ଚାଷରେ ଲାଗିପଡ଼ିଛନ୍ତି । ପ୍ରାୟ ୧୦ ହଜାର ଚାଷୀ କଫି ଚାଷରେ ନିୟୋଜିତ ଅଛନ୍ତି। ନୂତନ ବ୍ୟବସ୍ଥା ତାଙ୍କୁ ପ୍ରକ୍ରିୟାକରଣ, ପ୍ୟାକେଜିଂ ଏବଂ ବଣ୍ଟନ ନେଟୱାର୍କରେ ଅତିରିକ୍ତ ନିଯୁକ୍ତି ସୃଷ୍ଟି କରିବାରେ ସହାୟକ ହୋଇଛି। କମ୍ ଜିଏସଟି ହାର ଗ୍ରାହକ ଏବଂ ଉତ୍ପାଦକ ଉଭୟଙ୍କ ପାଇଁ ଖର୍ଚ୍ଚ ହ୍ରାସ କରିଛି, କଫି ଚାହିଦା ବଢ଼ାଇଛି । ଏହା ଘରୋଇ ଏବଂ ରପ୍ତାନି ବଜାରରେ ଲାଭ ବୃଦ୍ଧି କରିଛି । ଚାଷୀମାନଙ୍କୁ କଫି ଚାଷରେ ଉନ୍ନତି ଆଣିବା ପାଇଁ ଉତ୍ସାହିତ କରିଛି ।
ନୂତନ ଜିଏସଟି ସଂସ୍କାର, କ୍ଷୁଦ୍ର ବ୍ୟବସାୟୀଙ୍କୁ ବ୍ୟବସାୟ କରିବାରେ ଅଧିକ ଲାଭ ଆଣିଦେଇଛି । କ୍ଷୁଦ୍ର ଶିଳ୍ପ, ପାରମ୍ପରିକ ହସ୍ତଶିଳ୍ପ ତଥା କୃଷି-ଭିତ୍ତିକ ଜୀବୀକାକୁ ଅଗ୍ରାଧିକାର ଦେଇଛି । ମଣିପୁରର ଅର୍ଥନୀତି ଏହି ସଂସ୍କାରରୁ ଯଥେଷ୍ଟ ଲାଭ ପାଉଛି। ଉଖରୁଲ ଏବଂ ସେନାପତିର ଉଚ୍ଚଭୂମିରେ କଫି ଚାଷୀମାନେ ବେଶ ଲାଭ ପାଉଛନ୍ତି । ଚୁରାଚାନ୍ଦପୁର ଏବଂ ଇମ୍ଫାଲରେ କଫି ସହିତ ବାଉଁଶ ହସ୍ତଶିଳ୍ପ ଏବଂ ପଥର ଖୋଦେଇ ହସ୍ତଶିଳ୍ପ ଭଲ ରୋଜଗାର ଦେଉଛି । ମଣିପୁରର ଉତ୍ପାଦଗୁଡ଼ିକ ଏବେ ଘରୋଇ ଏବଂ ବିଶ୍ୱ ବଜାରରେ ଅଧିକ ପ୍ରତିଯୋଗିତାମୂଳକ କରିବା ଲକ୍ଷ୍ୟ ରଖିଛି। ଏହା ବ୍ୟତୀତ, ଏହି ସଂସ୍କାରଗୁଡ଼ିକ କାର୍ଯ୍ୟକାରୀ ହେବା ଦ୍ୱାରା ମଣିପୁରର କାରିଗର ଓ ବ୍ୟବସାୟୀମାନେ ଭାରତର ବର୍ଦ୍ଧିତ ଅର୍ଥନୀତିରେ ଯୋଗଦାନ ଦେବା ସହିତ ପାରମ୍ପରିକ ଜୀବିକା ସଂରକ୍ଷଣ ପାଇଁ ସ୍ଥାନୀୟ ସମ୍ପ୍ରଦାୟକୁ ସଶକ୍ତ କରିବେ ବୋଲି ଆଶା କରାଯାଉଛି।
ମଣିପୁରର ବାଉଁଶ ଏବଂ ବେତ କାରିଗରୀ ପାରମ୍ପାରିକ ଭାବରେ ଚୁରାଚାନ୍ଦପୁର, ଉଖରୁଲ ଏବଂ ତାମେଙ୍ଗଲଙ୍ଗର କୁଶଳୀ ସମ୍ପ୍ରଦାୟ ଦ୍ୱାରା ତିଆରି କରାଯାଏ। ପ୍ରାୟ ୧ଲକ୍ଷ ୨୦ ହଜାର କାରିଗର ଏଥିରେ ନିୟୋଜିତ ଅଛନ୍ତି । ଫର୍ନିଚର, ଟୋକେଇ, ମ୍ୟାଟ୍ ଏବଂ ଅନ୍ୟାନ୍ୟ କାଠ କାରିଗରୀ ଉପରେ ଗାଁ ଲୋକ ନିୟୋଜିତ ଅଛନ୍ତି । ଏହି ସାମଗ୍ରୀ ଏବେ ଜିଏସ୍ଟି ୧୨ ପ୍ରତିଶତରୁ ୫ ପ୍ରତିଶତକୁ ହ୍ରାସ ପାଇଛି । ଯାହା ଦ୍ୱାରା, ସିଧାସଳଖ ଉତ୍ପାଦ ମୂଲ୍ୟ ହ୍ରାସ ପାଇଛି । ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳ ଉଭୟ ବଜାରରେ ଚାହିଦା ବଢ଼ିଛି । ଫାନେକ, ଇନ୍ନାଫି ଏବଂ ରାଣୀ ଭଳି ହସ୍ତତନ୍ତ ବସ୍ତ୍ର ବେପାର ବଢ଼ିଛି । ଏହା ମୁଖ୍ୟତଃ ଇମ୍ଫାଲ, ଥୌବାଲ, ବିଷ୍ଣୁପୁର ଏବଂ ସେନାପତିର ଆଞ୍ଚଳିକ ସମ୍ପ୍ରଦାୟର ମହିଳା କାରିଗରଙ୍କ ଦ୍ୱାରା ତିଆରି କରାଯାଏ। ଏହି କାରିଗରୀ କେବଳ ପାରମ୍ପରିକ ବୟନ ପ୍ରଥାକୁ ବଜାୟ ରଖିଛି ତା’ ନୁହେଁ, ବରଂ ପ୍ରାୟ ଅଢ଼େଇ ଲକ୍ଷ ବୁଣାକାରଙ୍କୁ ସ୍ଥିର ଆୟ ମଧ୍ୟ ପ୍ରଦାନ କରିଛି।
ମଣିପୁରର ପ୍ରକ୍ରିୟାକୃତ ଖାଦ୍ୟ ଶିଳ୍ପ ଅନେକ କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ଏବଂ ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ପରିଚାଳିତ ହେଉଛି। ଜିଏସଟି କମିବା ପରେ ଖାଦ୍ୟ ଦାମ କମିଛି । ଖାଦ୍ୟ ପ୍ରକ୍ରିୟାକରଣ ୟୁନିଟରେ ପ୍ରାୟ ଦେଢ଼ ଲକ୍ଷ ଶ୍ରମିକ ନିଯୁକ୍ତ ଥିବାରୁ, ଏହି କ୍ଷେତ୍ରରେ ଉତ୍ପାଦନ ଏବଂ ପ୍ୟାକେଜିଂରେ ଗ୍ରାମୀଣ ମହିଳାମାନଙ୍କର ଗୁରୁତ୍ୱପୂର୍ଣ୍ଣ ଅଂଶଗ୍ରହଣ ଦେଖିବାକୁ ମିଳୁଛି। ଅଚାର, ବାଉଁଶ କୋଡ଼ା, କିଣ୍ମେତ ଖାଦ୍ୟ, ପନିପରିବା ପ୍ରସ୍ତୁତି ଇତ୍ୟାଦି ପ୍ରକ୍ରିୟାକୃତ ଖାଦ୍ୟ ସାମଗ୍ରୀ ଉପରେ ଜିଏସ୍ଟି ପରିମାଣ ୧୨ ପ୍ରତିଶତରୁ ୫ ପ୍ରତିଶତକୁ ହ୍ରାସ ପାଇଛି । ଥୌବାଲ ଏବଂ ବିଷ୍ଣୁପୁର ଜିଲ୍ଲାରେ, ଦୁଗ୍ଧ ଚାଷ ମୁଖ୍ୟତଃ କ୍ଷୁଦ୍ର ଗ୍ରାମୀଣ ଏବଂ ଆଦିବାସୀ ସମ୍ପ୍ରଦାୟ ଦ୍ୱାରା ପରିଚାଳିତ ହୁଏ । ଯାହା ୧ ଲକ୍ଷରୁ ଅଧିକ ଦୁଗ୍ଧ ଚାଷୀ ଏବଂ ସମବାୟ ସଦସ୍ୟଙ୍କୁ ନିଯୁକ୍ତି ଦେଇଥାଏ। ଘିଅ, ବଟର, ପନିର ଏବଂ ପନିର ଉପରେ ଜିଏସ୍ଟି ପରିମାଣ ୫ ପ୍ରତିଶତକୁ ହ୍ରାସ କରାଯିବା ଦ୍ୱାରା ଅତ୍ୟାବଶ୍ୟକ ଦୁଗ୍ଧ ଉତ୍ପାଦକୁ ଅଧିକ ସୁଲଭ କରି ଗ୍ରାହକମାନଙ୍କୁ ଆଶ୍ୱସ୍ତି ପ୍ରଦାନ କରିଛି।