ବିହାର ବିଧାନସଭା ନିର୍ବାଚନ-୨୦୨୫ ପାଇଁ ଆଜି ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍ଡିଏ) ଆସନ ବଣ୍ଟନ ସଂକ୍ରାନ୍ତ ଚୂଡ଼ାନ୍ତ ଘୋଷଣା କରିଛି। ଏହି ଘୋଷଣା ଅନୁସାରେ, ବିହାର ବିଧାନସଭାର ମୋଟ ୨୪୩ ଆସନ ମଧ୍ୟରୁ ଭାରତୀୟ ଜନତା ପାର୍ଟି (ବିଜେପି) ଏବଂ ଜନତା ଦଳ ୟୁନାଇଟେଡ୍ (ଜେଡିୟୁ) ପ୍ରତ୍ୟେକ ୧୦୧ଟି ଲେଖାଏଁ ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବେ। ଲୋକ ଜନଶକ୍ତି ପାର୍ଟି (ରାମବିଳାସ) ନେତା ଚିରାଗ ପାସୱାନଙ୍କୁ ୨୯ଟି ଆସନ ଦିଆଯାଇଥିବା ବେଳେ ରାଷ୍ଟ୍ରୀୟ ଲୋକ ସମତା ପାର୍ଟି (ଆର୍ଏଲ୍ଏସ୍ପି)କୁ ୬ ଆସନ ଏବଂ ହିନ୍ଦୁସ୍ତାନୀ ଆୱାମ ମୋର୍ଚ୍ଚା (ଏଚ୍ଏଏମ୍)କୁ ମଧ୍ୟ ୬ଟି ଆସନ ମିଳିଛି। ବିହାରରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ନେତୃତ୍ୱରେ ଏନ୍ଡିଏ ମେଣ୍ଟ ଆସନ ବଣ୍ଟନରେ ସନ୍ତୁଳନ ରକ୍ଷା କରିବା ପାଇଁ ଯଥାସମ୍ଭବ ପ୍ରୟାସ କରିଥିବା ଜଣାପଡ଼ିଛି। ଚିରାଗ ପାସୱାନଙ୍କ ଏଲ୍ଜେପି ପାଇଁ ୨୯ଟି ଆସନ ମିଳିବା ତାଙ୍କ ଦଳର ବିହାର ରାଜନୀତିରେ ବଢୁଥିବା ପ୍ରଭାବକୁ ଦର୍ଶାଉଛି। ଅନ୍ୟପକ୍ଷରେ, ଉପେନ୍ଦ୍ର କୁଶୱାହାଙ୍କ ଆର୍ଏଲ୍ଏସ୍ପି ଏବଂ ଜିତନ ରାମ ମାଂଝୀଙ୍କ ଏଚ୍ଏଏମ୍କୁ ରଣନୀତିକ ଦୃଷ୍ଟିରୁ ଗୁରୁତ୍ବପୂର୍ଣ୍ଣ ଆସନ ଦିଆଯାଇଛି।
ବିଜେପି ନେତା ଗିରିରାଜ ସିଂହ “ଇଣ୍ଡିଆ ବ୍ଲକ” ଉପରେ ଆକ୍ରମଣ କରିଛନ୍ତି। ସେ ଦାବି କରିଛନ୍ତି ଯେ, ମହାମେଣ୍ଟ ଏକ ବାଣ୍ଟି ହୋଇଥିବା ଘର ପରି। ସେ କହିଛନ୍ତି ଯେ, “କଂଗ୍ରେସ ଦଳ ପୂର୍ବରୁ ସ୍ପଷ୍ଟ କରିସାରିଛି ଯେ ତେଜସ୍ୱୀ ଯାଦବ ମହାଗଠବନ୍ଧନର ନୁହେଁ, ବରଂ ଆରଜେଡିର ମୁଖ୍ୟମନ୍ତ୍ରୀ ଚେହେରା ହେବେ। ଏବେ କଂଗ୍ରେସ ନେତୃତ୍ୱର ବୟାନ ପରେ, ଆରଜେଡି ସୁପ୍ରିମୋ ଲାଲୁ ଯାଦବ ଚିନ୍ତିତ ଏବଂ ଭୟଭୀତ।”
କେନ୍ଦ୍ରମନ୍ତ୍ରୀ ଆହୁରି କହିଛନ୍ତି ଯେ, “ଏନଡିଏର ନୀତି, ନେତୃତ୍ୱ ଏବଂ ଉଦ୍ଦେଶ୍ୟ ସମ୍ପୂର୍ଣ୍ଣ ସ୍ଥିର ଏବଂ କୌଣସି ପ୍ରକାରର ଅସନ୍ତୋଷ ନାହିଁ।” ଉଲ୍ଲେଖଯୋଗ୍ୟ ଯେ, ବିହାର ବିଧାନସଭା ନିର୍ବାଚନର ତାରିଖ ଘୋଷଣା ସହିତ, ଆସନ ବଣ୍ଟନ ଫର୍ମୁଲାକୁ ନେଇ ଶାସକ ଏନଡିଏ ଘୋଷଣା କରିସାରିଛି । ବିରୋଧୀ ମହାଗଠବନ୍ଧନ ଅଂଶୀଦାରଙ୍କ ମଧ୍ୟରେ ଟଣାଓଟରା ଜାରି ରହିଛି।