ଜଣାଶୁଣା ଟିଭି ଓ ଫିଲ୍ମ ଅଭିନେତା ପଙ୍କଜ ଧୀରଙ୍କ ପରଲୋକ ଘଟିଛି । ବିଆର ଚୋପ୍ରାଙ୍କ ମହାଭାରତରେ ’କର୍ଣ୍ଣ’ ଚରିତ୍ରରେ ଅଭିନୟ କରିଥିଲେ ପଙ୍କଜ ଧୀର । ପଙ୍କଜ ତାଙ୍କର ଚମତ୍କାର ଅଭିନୟ ଦକ୍ଷତା ଏବଂ ଶକ୍ତିଶାଳୀ କଣ୍ଠସ୍ବର ପାଇଁ ଜଣାଶୁଣା ଥିଲେ। ତାଙ୍କ ଅଭିନୟ ଦର୍ଶକଙ୍କ ମନ ମୋହିଥିଲା । ସେ ବେଶ୍ ପ୍ରଶଂସା ପାଇଥିଲେ । ବିଶିଷ୍ଟ ଅଭିନେତା ପଙ୍କଜ ଧୀରଙ୍କ ଶେଷ ନିଃଶ୍ବାସ ତ୍ୟାଗ ଖବର ପରେ ବଲିଉଡରେ ଗଭୀର ଶୋକ ପ୍ରକାଶ ପାଇଛି । କ୍ୟାନସର ସହ ଲଢ଼େଇ କରି ଶେଷରେ ଜୀବନ ଯୁଦ୍ଧରେ ହାରି ଯାଇଛନ୍ତି ମହାଭାରତର କର୍ଣ୍ଣ । ମୃତ୍ୟୁ ବେଳକୁ ତାଙ୍କୁ ୬୮ ବର୍ଷ ବୟସ ହୋଇଥିଲା । ପଙ୍କଜଙ୍କ ଅଚାନକ ମୃତ୍ୟୁ ଖବର ପାଇ ସାରା ଇଣ୍ଡଷ୍ଟ୍ରି ସ୍ତବ୍ଧ ହୋଇଯାଇଛି । ପଙ୍କଜ ଟିଭି ଓ ଫିଲ୍ମ ଇଣ୍ଡଷ୍ଟ୍ରିରେ ବହୁ ପ୍ରୋଜେକ୍ଟରେ କାମ କରିଥିଲେ । ମାତ୍ର ମହାଭାରତର ’କର୍ଣ୍ଣ’ ଭୂମିକା ତାଙ୍କୁ ପରିଚିତ କରାଇଥିଲା । ପଙ୍କଜ ଧୀରଙ୍କ ପରଲୋକ ଭାରତୀୟ ଟେଲିଭିଜନରେ ଏକ ଯୁଗର ଅନ୍ତ ଘଟାଇଛି। ତାଙ୍କ ପ୍ରଶଂସକ ଏବଂ ଦର୍ଶକ ତାଙ୍କୁ ସର୍ବଦା ‘ଦାନବୀର କର୍ଣ୍ଣ’ ଭାବରେ ଡାକିଥାନ୍ତି ।
ପଙ୍କଜଙ୍କ ବିୟୋଗ ପରେ ଫିଲ୍ମଜଗତରେ ଗଭୀର ଶୋକ ପ୍ରକାଶ ପାଇଛି । ସେ କ୍ୟାନ୍ସରରୁ ସୁସ୍ଥ ହୋଇଥିବା ବେଳେ ପୁଣି ଥରେ ସେ କ୍ୟାନ୍ସରରେ ପୀଡିତ ହୋଇ ଚିକିତ୍ସିତ ହେଉଥିଲେ । ଯାହା ଫଳରେ ଅଭିନେତାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହୋଇପଡିଥିଲା । ତାଙ୍କର ସର୍ଜରୀ ମଧ୍ୟ ହୋଇଥିଲା । ହେଲେ ସେ କ୍ୟାନ୍ସରକୁ ମାତ୍ ଦେବାରେ ବିଫଳ ହୋଇଥିଲେ । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି । ସିନେ ସଂସ୍ଥା CINTAA ମଧ୍ୟ ପଙ୍କଜଙ୍କ ମୃତ୍ୟୁରେ ଦୁଃଖ ପ୍ରକାଶ କରିଛି । ସେମାନେ ଏକ ବିବୃତ୍ତି ଜାରି କରି କହିଛନ୍ତି ଯେ ମହାନ ଅଭିନେତାଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ।
ପଙ୍କଜଙ୍କ ଗୋଟିଏ ପୁଅ ନିକିତିନ ଧୀର ଅଛନ୍ତି । ତାଙ୍କ ପତ୍ନୀ କ୍ରିତିକା ସେଙ୍ଗର ମଧ୍ୟ ଜଣେ ଅଭିନେତ୍ରୀ । ପଙ୍କଜ ଧୀର ୧୯୮୮ ମସିହାରେ ମୁକ୍ତିଲାଭ କରିଥିବା ବି.ଆର. ଚୋପ୍ରାଙ୍କ “ମହାଭାରତ” ରେ ଅଭିନୟ କରି ଘରେ ଘରେ ପରିଚିତି ହାସଲ କରିଥିଲେ ଅଭିନେତା । ଏହି ଶୋ’ରେ ଅଭିନେତା କର୍ଣ୍ଣ ଭୂମିକାରେ ଅଭିନୟ କରିଥିଲେ। ସେ ଏହି ଚରିତ୍ରକୁ ଯେଉଁ ଗମ୍ଭୀରତାର ସହିତ ପ୍ରଦର୍ଶନ କରିଥିଲେ ତାହା ଏବେ ବି ଏକ ଉଦାହରଣ ଭାବରେ ଦେଖାଯାଏ । ଟିଭି ଶୋ’ ବ୍ୟତୀତ, ପଙ୍କଜ ଫିଲ୍ମରେ ମଧ୍ୟ କାମ କରିଥିଲେ । ସେ ଚନ୍ଦ୍ରକାନ୍ତ ଏବଂ ଦ ଗ୍ରେଟ୍ ମରାଠା ସମେତ ଅନେକ ପୌରାଣିକ ଶୋ’ର ଅଂଶ ଥିଲେ । ସେ ସୋଲଜର, ବାଦଶାହା ଏବଂ ସଡକ ଭଳି ହିନ୍ଦୀ ଫିଲ୍ମରେ ମଧ୍ୟ ଉତ୍କୃଷ୍ଟ ଅଭିନୟ କରିଥିଲେ ।

















