ଆସନ୍ତା ୬ ଏବଂ ୧୧ ତାରିଖରେ ବିହାରରେ ମତଦାନ ହେବ । ୧୪ ତାରିଖରେ ଫଳାଫଳ ଘୋଷଣା ହେବ । ପ୍ରଥମ ପର୍ଯ୍ୟାୟରେ ୧୨୧ ଏବଂ ଦ୍ବିତୀୟ ପର୍ଯ୍ୟାୟରେ ୧୨୨ ଆସନରେ ଭୋଟ ପଡ଼ିବ । ପ୍ରଥମ ପର୍ଯ୍ୟାୟର ନାମାଙ୍କନ ଦାଖଲର ଶେଷ ତାରିଖ ୧୭ ରହିଥିଲା । ଏବଂ ଦ୍ବିତୀୟ ପର୍ଯ୍ୟାର ଶେଷ ତାରିଖ ୨୦ ରହିଥିଲା । ଏବେ ପ୍ରାର୍ଥୀମାନେ ନିଜର ପ୍ରାର୍ଥୀପତ୍ର ଦାଖଲ କରିଥିବାବବେଳେ ନିଜର ପ୍ରଚାର ଆରମ୍ଭ କରିଛନ୍ତି । ଶକ୍ତି ପ୍ରଦର୍ଶନ ଲାଗି ମସସ୍ତ ଦଳ ଫୁଲ୍ ଦମରେ ଲାଗି ପଡ଼ିଛନ୍ତି । କିନ୍ତୁ ଯାହା ଦେଖାଯାଉଛି ବିହାରରେ ଏବେ ଆସନ ଭାଗବଣ୍ଟାକୁ ନେଇ ମହାଗଠବନ୍ଧନରେ କିଛି ଠିକ୍ ଚାଲିନି । ଇଣ୍ଡିଆ ବ୍ଲକରେ ଥିବା ବିଭିନ୍ନ ଦଳର ନେତାମାନେ ପରସ୍ପର ବିରୋଧରେ ପ୍ରାର୍ଥୀପତ୍ର ଦାଖଲ କରି ପ୍ରଚାର କରୁଛନ୍ତି ।
ଦଳମାନଙ୍କ ମଧ୍ୟରେ ଚାଲିଥିବା ବୈଠକ ବିଫଳ ହୋଇଥିବା ବେଳେ କିଛିଦିନ ହେବ ନେତାମାନେ ଏନେଇ ବିବାଦୀୟ ମନ୍ତବ୍ୟ ଦେଉଛନ୍ତି । ମହାମେଣ୍ଟ ମଧ୍ୟରେ ସବୁ ଆସନରେ ଭାଗବଣ୍ଟା ହୋଇପାରିନଥିବାରୁ ନିଜ ନିଜ ଭିତରେ ଫ୍ରେଣ୍ଡଲି ଲଢ଼େଇ ଚାଲିଥିବା କୁହାଯାଉଛି । ୧୧ ଆସନରେ ମହାମେଣ୍ଟ ନିଜ ନିଜ ମଧ୍ୟରେ ମଇଦାନରେ ଲଢ଼େଇ କରୁଥିବା କୁହାଯାଉଥିବା ବେଳେ ଟିକେଟ ନମିଳିବାରୁ ଅନେକ ବିଧାୟକ ସ୍ବାଧୀନ ଭାବେ ମଧ୍ୟ ଲଢ଼ୁଛନ୍ତି । ୬ଟି ଆସନରେ କଂଗ୍ରେସ ଏବଂ ଆରଜେଡି ଉଭୟ ପ୍ରାର୍ଥୀ ଦେଇଥିବାବେଳେ ବାକି ଆସନରେ ବାମଦଳମାନେ ମଧ୍ୟ ପ୍ରାର୍ଥୀ ଦେଇଛନ୍ତି । ବୈଶାଳୀ ଆସନରେ ଆରଜେଡି ନେତା ଅଜୟ କୁଶଓ୍ବାହାଙ୍କ ସହ କଂଗ୍ରେସର ସଞ୍ଜୀବ କୁମାର ମୁହାଁମୁହିଁ ହେବେ । ସେପଟେ ଏହାର ଫାଇଦା ଏନଡିଏ ମେଣ୍ଟକୁ ହୋଇପାରେ ବୋଲି ରାଜନୈତିକ ସମୀକ୍ଷକମାନେ ମତ ଦେଉଛନ୍ତି ।