ଇସ୍ରାଏଲ ସହ ଯୁଦ୍ଧବିରତି ଭଙ୍ଗ କଲେ ଭୟଙ୍କର ପରିଣାମ ହେବ ବୋଲି ଚେତାବନୀ ଦେଇଛନ୍ତି ଟ୍ରମ୍ପ । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଆତଙ୍କବାଦୀ ସଂଗଠନ ହମାସ ଜାରି ରହିଥିବା ଯୁଦ୍ଧବିରତିକୁ ମାନିବାକୁ ପଡ଼ିବ । ଇସ୍ରାଏଲ ସହ ଜାରି ରହିଥିବା ଯୁଦ୍ଧବିରତିକୁ ଭଙ୍ଗ କଲେ ହମାସକୁ ବଡ଼ ପରିଣାମ ଭୋଗିବାକୁ ପଡ଼ିବ ବୋଲି ସେ କହିଛନ୍ତି। ହମାସ ପୁଣି ଆକ୍ରମଣ କରିବା ନେଇ ଘୋଷଣା କରିଥିବା ବେଳେ ଟ୍ରମ୍ପ ଏହାର ଜବାବ ଦେଇ କହିଛନ୍ତି ଏପରି କଲେ ଭୟଙ୍କର ପରିଣାମ ଭୋଗିବାକୁ ପଡ଼ିବ । ଏବେ ଜାରି ରହିଥିବା ଯୁଦ୍ଧବିରତି ଆଗକୁ ବଜାୟ ରହିବା ଜରୁରୀ ବୋଲି ଟ୍ରମ୍ପ ଜୋର ଦେଇଛନ୍ତି । ଏହାର ଖିଲାପି ହମାସ କଲେ ଫଳାଫଳ ଭୟଙ୍କର ହେବ। ଯୁଦ୍ଧବିରତିରୁ ଓହରି ଆସିଲେ ହମାସକୁ ମୂଳପୋଛ କରିଦିଆଯିବ ବୋଲି ଟ୍ରମ୍ପ କହିଛନ୍ତି। ଆତଙ୍କବାଦୀ ଗୋଷ୍ଠୀକୁ ଯୁଦ୍ଧବିରତିର ନିୟମ ପାଳନ କରିବାକୁ ପଡ଼ିବ । ନଚେତ୍ ହମାସ ଉପରେ ଭୟଙ୍କର ଆକ୍ରମଣ ହେବ ବୋଲି ସେ କହିଛନ୍ତି । ଯଦି ହମାସ ଆକ୍ରମଣ ଜାରି ରଖେ ତେବେ ଆମେରିକା ହମାସକୁ ଶେଷ କରିଦେବ।
ଆମେରିକା ଏପର୍ଯ୍ୟନ୍ତ ଏଭଳି କରିବାକୁ ଚାହୁଁନାହିଁ ବୋଲି ଟ୍ରମ୍ପ କହିଛନ୍ତି। ଆମେରିକା ବାରମ୍ବାର ହମାସକୁ ଅସ୍ତ୍ରବିରତି ପାଳନ କରିବାକୁ ଚେତାବନୀ ଦେଇଆସୁଛି । ଅନ୍ୟପଟେ, ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ ମଧ୍ୟ ହମାସକୁ କଡ଼ା ଚେତାବନୀ ଦେଇଛନ୍ତି। ଯଦି ହମାସ ଇସ୍ରାଏଲ ସେନା ଉପରେ ପୁନଃ ଆକ୍ରମଣ କରେ ତେବେ ଏଥିପାଇଁ ହମାସକୁ ଭାରି ମୂଲ୍ୟ ଦେବାକୁ ପଡ଼ିବ ବୋଲି ନେତନ୍ୟାହୁ କହିଛନ୍ତି। ଏହି ଦୁଇ ନେତାଙ୍କ ଚେତାବନୀ ମଧ୍ୟପ୍ରାଚ୍ୟରେ ଶାନ୍ତି ପ୍ରକ୍ରିୟାକୁ ପ୍ରଭାବିତ କରିପାରେ। ହମାସ ଏହାକୁ କିଭଳି ଗ୍ରହଣ କରୁଛି ତାହା ଦେଖିବାକୁ ବାକି ରହିଛି।