ଦୀପାବଳିରେ ବାଣ ଫୁଟାଇବାର ମଜା ନିଆରା । ଚକ୍ରି ଠାରୁ ଆରମ୍ଭ କରି ରକେଟ୍ ବାଣ ଫୁଟାଇ ସମସ୍ତେ ମଜା ନେଇଥାନ୍ତି । ମଧ୍ୟପ୍ରଦେଶରେ କିନ୍ତୁ ଦୀପାବଳି ଦିନ “ଦେଶୀ ଆତସବାଜି ବନ୍ଧୁକ”ରୁ ରଙ୍ଗୀନ ଆଲୋକ ବାହାର କରିବା ବେଳେ ଆଖି ହରାଇଛନ୍ତି ଅନେକ ଲୋକ । ମାତ୍ର ତିନି ଦିନରେ, ମଧ୍ୟପ୍ରଦେଶର ୧୨୨ ରୁ ଅଧିକ ଲୋକଙ୍କ ଆଖିରେ ଗୁରୁତର ଆଘାତ ଲାଗି ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣାପଡିଛି । ଏମାନଙ୍କ ମଧ୍ୟରୁ ୧୪ ଜଣ ଦୃଷ୍ଟିଶକ୍ତି ହରାଇଛନ୍ତି। ସେମାନେ କିଛି ବି ଦେଖିପାରୁନାହାଁନ୍ତି । ଯେଉଁ ବନ୍ଧୁକକୁ ସେମାନେ ଖେଳନା ଭାବି ଅଗ୍ନିବର୍ଷା କରୁଥିଲେ, ସେହି ବନ୍ଧୁକର ବାରୁଦ ନିଆଁ ଅନେକଙ୍କ ଆଖି ପୋଡ଼ିଦେଇଛି ।
ମଧ୍ୟପ୍ରଦେଶର ବିଦିଶା ଜିଲ୍ଲାରେ ସରକାରୀ ନିଷେଧ ଜାରି ସତ୍ତ୍ୱେ ସ୍ଥାନୀୟ ବଜାରରେ ଖୋଲାଖୋଲି ଭାବରେ “କାର୍ବାଇଡ୍ ବନ୍ଧୁକ” ବିକ୍ରି ହେଉଥିଲା। ଯାହାକୁ ଲୋକେ ଦୀପାବଳୀରେ ବାଣ ଫୁଟାଇବା ପାଇଁ ନେଇଥିଲେ । ୧୫୦ ରୁ ୨୦୦ ଟଙ୍କା ମୂଲ୍ୟର ଏହି ବନ୍ଧୁକ ବାଣ , ଖେଳଣା ବନ୍ଧୁକ ପରି ଦେଖାଯାଉଛି ଏବଂ ବିକ୍ରି କରାଯାଉଛି । କିନ୍ତୁ ସେଗୁଡ଼ିକରୁ ବାରୁଦ ବୋମା ବର୍ଷା ହୋଇ ବିସ୍ଫୋରଣ ହେଉଛି। ଯାହା ଫଳରେ ଦେହରେ ନିଆଁ ଲାଗିଯାଉଛି । ବାରୁଦ ପ୍ରଭାବରେ ଆଖି ନଷ୍ଟ ହୋଇଯାଉଛି । ହାମିଦିଆ ହସ୍ପିଟାଲରେ ଏବେ ସୁସ୍ଥ ହେଉଥିବା ସତର ବର୍ଷୀୟା ନେହା କାନ୍ଦି କାନ୍ଦି କହିଛନ୍ତି ଆମେ ଏକ କାର୍ବାଇଡ୍ ବନ୍ଧୁକ କିଣିଥିଲୁ। ଯେତେବେଳେ ଏହା ବିସ୍ଫୋରଣ ହେଲା, ମୋର ଗୋଟିଏ ଆଖି ସମ୍ପୂର୍ଣ୍ଣ ପୋଡ଼ିଗଲା। ମୁଁ କିଛି ଦେଖିପାରୁ ନଥିଲି।”
ବିଦିଶା ପୋଲିସ ଏହି ଡିଭାଇସଗୁଡ଼ିକୁ ବେଆଇନ ଭାବରେ ବିକ୍ରୟ କରିବା ପାଇଁ ଛଅ ଜଣଙ୍କୁ ଗିରଫ କରିଛି। ଇନ୍ସପେକ୍ଟର ଆରକେ ମିଶ୍ର କହିଛନ୍ତି, “ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏହି କାର୍ବାଇଡ୍ ବନ୍ଧୁକଗୁଡ଼ିକୁ ବିକ୍ରୟ କିମ୍ବା ପ୍ରୋତ୍ସାହନ ଦେବା ପାଇଁ ଦାୟୀ ବ୍ୟକ୍ତିମାନେ ଆଇନଗତ ପରିଣାମର ସମ୍ମୁଖୀନ ହେବେ।” ଭୋପାଳ, ଇନ୍ଦୋର, ଜବଲପୁର ଏବଂ ଗ୍ୱାଲିୟରର ସମସ୍ତ ହସ୍ପିଟାଲରେ, ଚକ୍ଷୁ ୱାର୍ଡଗୁଡ଼ିକ ଏହି ବନ୍ଧୁକ ଦ୍ୱାରା ଆହତ ହୋଇଥିବା ଯୁବ ରୋଗୀଙ୍କ ଦ୍ୱାରା ପରିପୂର୍ଣ୍ଣ। କେବଳ ଭୋପାଳର ହାମିଦିଆ ହସ୍ପିଟାଲରେ, 72 ଘଣ୍ଟା ମଧ୍ୟରେ 26 ଜଣ ପିଲାଙ୍କୁ ଭର୍ତ୍ତି କରାଯାଇଥିଲା।
ହମିଦିଆ ହସ୍ପିଟାଲର CMHO ଡାକ୍ତର ମନୀଷ ଶର୍ମା କହିଛନ୍ତି, “ଏହି ଡିଭାଇସ୍ ଆଖିକୁ ସିଧାସଳଖ କ୍ଷତି ପହଞ୍ଚାଏ। ବିସ୍ଫୋରଣରେ ଧାତୁ ଖଣ୍ଡ ଏବଂ କାର୍ବାଇଡ୍ ବାଷ୍ପ ନିର୍ଗତ ହୁଏ ଯାହା ରେଟିନା ପୋଡ଼ିଦିଏ। ଆମେ ଅନେକ ମାମଲାର ଚିକିତ୍ସା କରୁଛୁ ଯେଉଁଠାରେ ପିଲାମାନଙ୍କର ଆଖି ଫାଟିଯାଏ, ଯାହା ସ୍ଥାୟୀ ଦୃଷ୍ଟିହୀନତା ସୃଷ୍ଟି କରିଥାଏ । କିଛି ରୋଗୀଙ୍କୁ ICUରେ ଚିକିତ୍ସା କରାଯାଉଛି, ଏବଂ ଅନେକ ରୋଗୀ ଏପରି ଅଛନ୍ତି ଯେଉଁମାନେ କେବେ ଦୃଷ୍ଟିଶକ୍ତି ଫେରି ପାଇପାରିବେ ନାହିଁ।