ସିଡ୍‌ନି ଦିନିକିଆରେ ଭାରତ ୯ ୱିକେଟ୍‌ରେ  ବିଜୟ ହାସଲ କରିଛି।  ରୋହିତ ରୋମାଞ୍ଚକ ଢଙ୍ଗରେ ନିଜ ୩୩ତମ ଶତକ ହାସଲ କରିଥିଲା ବେଳେ ଗତ ଦୁଇ ମୁକାବିଲାରେ ଖାତା ଖୋଲି ପାରି ନଥିବା କୋହଲି ଆରମ୍ଭରୁ ଆତ୍ମବିଶ୍ବାସର ସହ ବ୍ୟାଟିଂ କରି ଅପରାଜିତ ଅର୍ଦ୍ଧଶତକ ସହିତ ଦିନିକିଆ କ୍ରିକେଟ୍‌ର ଦ୍ବିତୀୟ ସର୍ବାଧିକ ରନ୍ ସଂଗ୍ରହକାରୀ ହେବାର ଗୌରବ ଅର୍ଜନ କରିଛନ୍ତି। ରୋହିତ ଶର୍ମା ୧୨୧ ରନ୍  ଏବଂ ବିରାଟ କୋହଲି ୭୪ ରନ୍  ଧମାକାଦାର ବ୍ୟାଟିଂ ବଳରେ ସିଡ୍‌ନି ଦିନିକିଆରେ ଭାରତ ୯ ୱିକେଟ୍‌ରେ ଏକ ପ୍ରଭାବୀ ବିଜୟ ହାସଲ କରିଛି।

୨୩୭ ରନ୍‌ର ବିଜୟ ଲକ୍ଷ୍ୟକୁ ଟିମ୍ ଇଣ୍ଡିଆ ୧୧.୩ ଓଭର ପୂର୍ବରୁ ମାତ୍ର  ଗୋଟିଏ ୱିକେଟ୍ ବିନିମୟରେ ହାସଲ କରି ନେଇଛି। ୦-୨ରେ ପଛୁଆ ରହିବା ପରେ ମୂଳପୋଛ ପରାଜୟର ଲଜ୍ଜାକୁ ଏଡ଼ାଇଛି। ଏକମାତ୍ର ବ୍ୟାଟର୍‌ ଭାବେ ଅଧିନାୟକ ଶୁବମନ୍ ଗିଲ୍ ୨୪ ରନ୍ କରି ଆଉଟ୍ ‌ହୋଇଥିଲେ। ଗିଲ୍-ରୋହିତ ପ୍ରଥମ ୱିକେଟ୍‌ରେ ୬୯ ରନ୍ ଯୋଡ଼ିଥିଲେ। ଏହା ପରେ ରୋହିତ-କୋହଲି ନିଜ ପୁରୁଣା ଯାଦୁ ଦେଖାଇ ଶତକୀୟ ଭାଗୀଦାର ସହ ବିଜୟ ମୁଣ୍ଡି ମାରିଥିଲେ।  ଅଷ୍ଟ୍ରେଲିଆ ବିପକ୍ଷରେ ନବମ ଶତକ ଅର୍ଜନ ସହ ମୋଟ ଉପରେ ୨୨୪ ରନ୍ କରିଥିବା ରୋହିତ ମ୍ୟାଚ୍ ସହ ଶୃଙ୍ଖଳାର ଶ୍ରେଷ୍ଠ ଖେଳାଳି ମଧ୍ୟ ବିବେଚିତ ହୋଇଥିଲେ।

ଅଷ୍ଟ୍ରେଲିଆକୁ  ୪୬.୪ ଓଭରରେ ମାତ୍ର ୨୩୬ ରନ୍‌ରେ ଅଲ୍‌ଆଉଟ୍ କରି ଦେଇଥିଲା ଭାରତ । ଅଷ୍ଟ୍ରେଲିଆ ଅଧିନାୟକ ମିଚେଲ ମାର୍ସ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେବା ଘରୋଇ ଦଳ ପାଇଁ ବୁମେରାଂ ସାବ୍ୟସ୍ତ ହୋଇଥିଲା। ମ୍ୟାଟ୍ ରେନ୍‌ସ’ଙ୍କ ପ୍ରଥମ ଅର୍ଦ୍ଧଶତକ ବଡ଼ ସ୍କୋର ଥିଲା ଅଷ୍ଟ୍ରେଲିଆ ପାଇଁ ।  ମାର୍ସଙ୍କ ସହ ଅଷ୍ଟ୍ରେଲିଆର ଶୀର୍ଷ ୬ ବ୍ୟାଟର୍‌ ଭଲ ଆରମ୍ଭ ପାଇଥିଲେ ମଧ୍ୟ ଭାରତୀୟ ବୋଲରମାନେ କୁଶଳୀ ବୋଲିଂ କରି ନିୟମିତ ବ୍ୟବଧାନରେ ସେମାନଙ୍କୁ ପ୍ୟାଭିଲିୟନ ଫେରାଇ ଦେଇଥିଲେ। ଭାରତୀୟ ଦଳ ମଧ୍ୟ ଉଚ୍ଚକୋଟୀର କ୍ଷେତ୍ରରକ୍ଷଣ କରି ଅଷ୍ଟ୍ରେଲିଆ ବ୍ୟାଟର୍‌ଙ୍କୁ ଚକିତ କରି ଦେଇଥିଲା। ଅଷ୍ଟ୍ରେଲିଆ ପାଳିର ୩୪ତମ ଓଭରରେ ଭାରତୀୟ ଉପଅଧିନାୟକ ଶ୍ରେୟସ୍ ଆୟରଙ୍କ ପିଞ୍ଜରା ହାଡ଼ରେ ଆଘାତ ଲାଗିବାରୁ ସେ ଡାକ୍ତରଖାନାକୁ ଯିବା ଭାରତ ପାଇଁ ବଡ଼ ଝଟ୍‌କା ଥିଲା।