ଅଷ୍ଟ୍ରେଲିଆରେ ତୃତୀୟ ଦିନିକିଆରେ ଖେଳୁଥିବାବେଳେ କ୍ୟାଚନେଇ ଗୁରୁତର ଆହତ ହୋଇଥିବା ଶ୍ରେୟସ ଆୟାର ଏବେ ଆଇସିୟୁରେ ରହି ଚିକିତ୍ସିତ ହେଉଛନ୍ତି । ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଦିନିକିଆ ମ୍ୟାଚ୍ରେ କ୍ୟାଚ୍ ନେବା ସମୟରେ ଶ୍ରେୟସ ଆୟରଙ୍କ ପଞ୍ଜରାରେ ଆଘାତ ଲାଗିଥିଲା। ତାଙ୍କୁ ସଙ୍ଗେ ସଙ୍ଗେ ସିଡନୀର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପରୀକ୍ଷା ପରେ ତାଙ୍କୁ ଏବେ ICUରେ ରଖାଯାଇଛି। ସୂଚନା ମିଳିଛି ଯେ, ଘଟଣା ଘଟିବା ପରେ ପଞ୍ଜରା ହାଡ଼ ଭିତରେ ରକ୍ତସ୍ରାବ ହେବାରୁ (ଇଣ୍ଟରନାଲ ବ୍ଲିଡିଂ) ତାଙ୍କୁ ତୁରନ୍ତ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ୭ଦିନ ପର୍ଯ୍ୟନ୍ତ ଶ୍ରେୟସ ଡାକ୍ତରଙ୍କ ପର୍ଯ୍ୟବେକ୍ଷଣରେ ରହିଛନ୍ତି । ରକ୍ତସ୍ରାବରୁ ସଂକ୍ରମଣ ବ୍ୟାପିବାର ଆଶଙ୍କା ଥିବାରୁ ସେ ଏବେ ଭାରତ ଆସିପାରିବେ ନାହିଁ । ଶ୍ରେୟସ ଆୟର ଅଷ୍ଟ୍ରେଲିୟ ୱିକେଟକିପର ଆଲେକ୍ସ କ୍ୟାରିଙ୍କ ଏକ କଷ୍ଟସାଧ୍ୟ କ୍ୟାଚ୍ ନେବାବେଳେ ପଡ଼ିଯାଇଥିଲେ। ବ୍ୟାକଓ୍ବାଡ୍ ପଏଣ୍ଟରେ କ୍ୟାଚ୍ ସମୟରେ ଶ୍ରେୟସ ତାଙ୍କର ଭାରସାମ୍ୟ ହରାଇ ତଳେ ପଡ଼ିଯାଇଥିଲେ ଏବଂ ତାଙ୍କ ବାମ ପଞ୍ଜରାରେ ଆଘାତ ଲାଗିଥିଲା। ଫିଲ୍ଡିଂ ପରେ ଯେତେବେଳେ ସେ ଡ୍ରେସିଂ ରୁମକୁ ଫେରିଲେ, ସେତେବେଳେ ତାଙ୍କର ଯନ୍ତ୍ରଣା ବଢ଼ିଥିଲା ଏବଂ ନିଶ୍ୱାସ ନେବାରେ କଷ୍ଟ ହୋଇଥିଲା। ଏହା ଦେଖି ତାଙ୍କୁ ତୁରନ୍ତ ହସ୍ପିଟାଲକୁ ନିଆଯାଇଥିଲା। ପରୀକ୍ଷା ପରେ ଆଭ୍ୟନ୍ତରୀଣ ରକ୍ତସ୍ରାବ ହୋଇଥିବା ଜଣାପଡ଼ିବାରୁ ତାଙ୍କୁ ତୁରନ୍ତ ICUରେ ଭର୍ତ୍ତି କରାଯାଇଥିଲା। ଟି20 ମ୍ୟାଚରେ ଶ୍ରେୟସଙ୍କ ନାମ ନାହିଁ, ତେଣୁ ସୁସ୍ଥ ହେଲେ ସେ ଭାରତ ଫେରିବେ ବୋଲି ଜଣାପଡିଛି । ଅଷ୍ଟ୍ରେଲିଆ ସହ ଖେଳିଥିବା ପ୍ରଥମ ଦିନିକିଆରେ ସେ 11 ରନ କରିଥିବା ବେଳେ ଦ୍ବିତୀୟ ଦିନିକିଆରେ 61 ରନ କରିଥିଲେ । ତୃତୀୟ ଦିନିକିଆରେ ସେ ଫିଲ୍ହିଂ କରୁଥିବା ବେଳେ ଆଘାତ ହୋଇଥିଲେ ।


















