ବଙ୍ଗୋପସାଗରରେ ବଳ ଗୋଟାଇ ସ୍ଥଳଭାଗ ମୁହାଁ ବାତ୍ୟା ମୋନ୍ଥା। ଆଜି ସକାଳ ସୁଦ୍ଧା ଏହା ଭୀଷଣ ବାତ୍ୟା ବା ଭୟଙ୍କର ଘୁର୍ଣ୍ଣିଝଡ଼ର ରୂପ ନେଇ ସନ୍ଧ୍ୟା କିମ୍ବା ରାତି ସୁଦ୍ଧା ଏହା କାକିନାଡା ପାଖାପାଖି ମଛଲିପଟନମ ଏବଂ କଳିଙ୍ଗପଟନମ ମଝିରେ ସ୍ଥଳଭାଗ ଅତିକ୍ରମ କରିବ। ଏହି ସମୟରେ ୯୦ରୁ ଶହେ କିଲୋମିଟର ବେଗରେ ପବନ ଓ ଝଟକା ପବନ ୧୧୦ କିଲୋମିଟର ପର୍ଯ୍ୟନ୍ତ ହେବା ସମ୍ଭାବନା ରହିଛି। ଘଣ୍ଟାପ୍ରତି ୧୫ କିଲୋମିଟର ରହିଛି ବାତ୍ୟାର ବେଗ ।
କାକିନାଡାଠାରୁ ୩୧୦, ବିଶାଖାପାଟଣାଠାରୁ ୩୭୦ କିଲୋମିଟର ଓ ଗୋପାଳପୁର ଠାରୁ ୫୭୦ କିଲୋମିଟର ଦକ୍ଷିଣରେ ରହିଛି ସାମୁଦ୍ରିକ ଝଡ଼ । ଗତକାଲି ଠାରୁ ବର୍ଷା ଆରମ୍ଭ ହୋଇଥିବା ବେଳେ ଏହାର ପରିମାଣ ଆହୁରି ବଢ଼ିବ । ବିଶେଷ କରି ଗଜପତି, ରାୟଗଡ଼ା, କୋରାପୁଟ ,କଳାହାଣ୍ଡି, ନବରଙ୍ଗପୁର ଓ ମାଲକାନଗିରିରେ ରହିବ ସର୍ବାଧିକ ପବନର ପ୍ରଭାବ । ସେଥିପାଇଁ ଏହି ସବୁ ଜିଲ୍ଲା କୁ ରେଡ ଆଲର୍ଟ ଜାରି କରିଛି ବିଭାଗ । ଗଞ୍ଜାମ କନ୍ଧମାଳ, ବୌଦ୍ଧ, ବଲାଙ୍ଗୀର ଓ ନୂଆପଡା ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଦେଇଛି ବିଭାଗ । ଏଠାରେ ପବନର ବେଗ ଘଣ୍ଟାପ୍ରତି ୬୦ ରୁ ୭୦ କିଲୋମିଟର ହେବାକୁ ଥିବା ବେଳେ ୮୦ କିମି ପ୍ରତି ଘଣ୍ଟାରେ ରହିବ ଝଟକା ପବନ ।
ଭୁବନେଶ୍ବରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶିକା ମନୋରମା ମହାନ୍ତି କହିଛନ୍ତି, ବର୍ଷା ଆରମ୍ଭ ହୋଇଛି । ଏହା ଅକ୍ଟୋବର ୩୦ ଯାଏଁ ଜାରି ରହିବ। ପବନର ବେଗ ଘଣ୍ଟା ପିଛା ୬୦ରୁ ୭୦ ରହିବ। ଏଥି ସହିତ ଝଟକା ପବନର ବେଗ ଘଣ୍ଟା ପିଛା ୮୦ ପର୍ଯ୍ୟନ୍ତ ହୋଇପାରେ। ରାଜ୍ୟରେ ଥିବା ବନ୍ଦରଗୁଡ଼ିକୁ ୩ ନମ୍ବର ବିପଦ ସଂକେତ ଦିଆଯାଇଥିବା ବେଳେ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ନଯିବା ପାଇଁ ପରାମର୍ଶ ଦିଆଯାଇଛି।
ରାଜ୍ୟ ସରକାର ବିଭିନ୍ନ ବିଭାଗକୁ ନେଇ ସତର୍କ କରାଇଛନ୍ତି। ସ୍ବତନ୍ତ୍ର ରିଲିଫ କମିସନର ପକ୍ଷରୁ ନେଇ ପ୍ରସ୍ତୁତି ଜାରି ରହିଛି। ସେହିପରି ଜଳ ସମ୍ପଦ ବିଭାଗ ମଧ୍ୟ ନିଜର ଅଧିକାରୀମାନଙ୍କୁ ସତର୍କ ଓ ପ୍ରସ୍ତୁତ ରହିବାକୁ କହିଛି। ସମ୍ଭାବ୍ୟ ବାତ୍ୟା ପାଇଁ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ସମୀକ୍ଷା କରିଛନ୍ତି। ସେ କହିଛନ୍ତି, ବାତ୍ୟା ପାଇଁ ସ୍କୁଲ ଛୁଟି ନେଇ ଆସନ୍ତାକାଲି ନିଷ୍ପତ୍ତିି ନିଆଯିବ। ଆଜି ସମସ୍ତ ସରକାରୀ କର୍ମଚାରୀ ଅଫିସରେ ରହିବେ। ଅଧିକାରୀଙ୍କ ଛୁଟି ବାତିଲ ନେଇ କାଲି ନିଷ୍ପତ୍ତି ହେବ। ଛୁଟି ହେବ କି ନାହିଁ କାଲି ନିଷ୍ପତ୍ତି ନିଆଯିବ।



















