ବାତ୍ୟା ‘ମୋନ୍ଥା’ର ଗତି ଏବଂ ଅବସ୍ଥିତି ସଂପର୍କରେ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦ୍ଦେଶକ ମନୋରମା ମହାନ୍ତି ସୂଚନା ଦେଇଛନ୍ତି। ସେ କହିଛନ୍ତି, ମୋନ୍ଥା ଗତ ୬ ଘଣ୍ଟାରେ ୧୫ କିଲୋମିଟର ପ୍ରତିଘଣ୍ଟା ବେଗରେ ଗତି କରି ଆଜି ସକାଳ ୫.୩୦ ରେ ଭୀଷଣ ବାତ୍ୟାରେ ପରିଣତ ହୋଇଛି। ବର୍ତ୍ତମାନ ମୋନ୍ଥା ଗୋପାଳପୁର ଠାରୁ ୫୫୦ କିଲୋମିଟର ଦକ୍ଷିଣ ଦକ୍ଷିଣ-ପଶ୍ଚିମ ଦିଗରେ ରହିଛି । ଆଜି ସକାଳଠାରୁ ୨୯ ତାରିଖ ସକାଳ ମଧ୍ୟରେ ଅତ୍ୟନ୍ତ ଉଚ୍ଚର ଜୁଆର ରହିବ ଏବଂ ସମୁଦ୍ର ଅଶାନ୍ତ ପ୍ରକ୍ରିୟା ଲାଗିରହିବ। ୨୮ ତାରିଖ ସକାଳଠାରୁ ଦକ୍ଷିଣ ଓଡ଼ିଶା ଉପକୂଳରେ ଘଣ୍ଟାପ୍ରତି ୬୦ରୁ ୭୦ କିମି ବେଗରେ ପବନ ହେବ। ଝଟକା ପବନର ବେଗ ୮୦ କିମି ଛୁଇଁପାରେ। ଆଖପାଖ ଅଞ୍ଚଳରେ ପବନର ବେଗ ସାମାନ୍ୟ କମ୍ ରହିବ। ଅନୁରୂପ ଭାବେ ଉତ୍ତର ଓଡ଼ିଶା ଉପକୂଳ ଓ ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ପବନର ବେଗ ୫୦ରୁ ୭୦ କିମି ରହିବା ନେଇ ପାଣିପାଗ ବିଭାଗ ଆକଳନ କରିଛି। ଆସନ୍ତା ୨୪ ଘଣ୍ଟା ଓଡ଼ିଶା ଉପକୂଳ ସମ୍ପୂର୍ଣ୍ଣ ଅଶାନ୍ତ ରହିବ। ତେଣୁ ୨୯ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ଦକ୍ଷିଣ-ପଶ୍ଚିମ ଓ ସଂଲଗ୍ନ କେନ୍ଦ୍ରୀୟ ବଙ୍ଗୋପଗସାର, ଓଡ଼ିଶା ଉପକୂଳ ଓ ନିକଟବର୍ତ୍ତୀ ଅଞ୍ଚଳ ଏବଂ ୨୮ ଓ ୨୯ ତାରିଖ ମଧ୍ୟରେ ପଶ୍ଚିମବଙ୍ଗ ଉପକୂଳ ଓ ସଂଲଗ୍ନ ଅଞ୍ଚଳ ସମୁଦ୍ର ଭିତରକୁ ନ ଯିବାକୁ ପରାମର୍ଶ ଦିଆଯାଇଛି। ଓଡ଼ିଶାର ସମସ୍ତ ବନ୍ଦର ପାଇଁ ଦୁଇ ନମ୍ବର ସିଗନାଲ୍ ଜାରି ହୋଇଛି।

/odishatv/media/media_files/2026/03/25/naa-2026-03-25-12-43-50.jpg?w=1280&resize=1280,730&ssl=1)








