ଅଷ୍ଟ୍ରେଲିଆ ସହ ଭାରତୀୟ କ୍ରିକେଟ୍ ଦଳ ପ୍ରଥମ ଟ୍ବେଣ୍ଟି-୨୦ ମ୍ୟାଚରେ ଟସ ହାରି ବ୍ୟାଟିଂ କରିବ ।  ଦୁଇ ଦଳ ମଧ୍ୟରେ ଖେଳାଯିବାକୁ ଥିବା ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟ୍ବେଣ୍ଟି-୨୦ ଶୃଙ୍ଖଳାର ପ୍ରଥମ ମୁକାବିଲା  କାନ‌ବେରାର ମାନୁକା ଓଭାଲରେ ଖେଳାଯାଉଛି । ଭାରତୀୟ ଦଳରେ ଆଜି  ଅଭିଷେକ ଶର୍ମା, ଶୁଭମନ ଗିଲ୍, ସୂର୍ଯ୍ୟକୁମାର ଯାଦବ୍ (ଅଧିନାୟକ), ତିଲକ ବର୍ମା, ସଞ୍ଜୁ ସାମ୍‌ସନ୍ (ଉଇକେଟ୍‌କିପର୍), ଶିବମ ଦୁବେ, ଅକ୍ଷର ପଟେଲ୍, ହର୍ଷିତ ରାଣା, କୁଲଦୀପ ଯାଦବ୍, ବରୁଣ ଚକ୍ରବର୍ତ୍ତୀ, ଜସପ୍ରୀତ ବୁମରାହ୍ ଖେଳୁଛନ୍ତି ।

ସୂର୍ଯ୍ୟକୁମାର ଯାଦବଙ୍କ ଯୁବ ବାହିନୀ ଏହି ଶୃଙ୍ଖଳା ଲାଗି ମଧ୍ୟ ପୂରା ପ୍ରସ୍ତୁତ ରହିଛି। ଟ୍ବେଣ୍ଟି-୨୦ ଶୃଙ୍ଖଳା ଜିତି ଦିନିକିଆ ଶୃଙ୍ଖଳା ପରାଜୟର ପ୍ରତିଶୋଧ ନେବା ଲକ୍ଷ୍ୟରେ ଅଛି। ସୂର୍ଯ୍ୟକୁମାରଙ୍କ ବ୍ୟକ୍ତିଗତ ଫର୍ମ ଭଲ ନାହିଁ । ବର୍ଷେ ହେଲା ସୂର୍ଯ୍ୟ ଅର୍ଧଶତକ କରିନାହାଁନ୍ତି । ଅଭିଷେକ ଶର୍ମା, ତିଳକ ବର୍ମା, ସଞ୍ଜୁ ସାମସନ, ଶିବମ ଦୁବେଙ୍କ ଭଳି ଖେଳାଳିଙ୍କ ପାଇଁ ଭାରତର ଆତ୍ମବିଶ୍ବାସ ଢେର୍‌ ଉଚ୍ଚରେ ରହିଛି। ଅଭିଜ୍ଞ ଦ୍ରୁତ ବୋଲର ଯଶପ୍ରୀତ୍ ବୁମ୍‌ରାଙ୍କ ପ୍ରତ୍ୟାବର୍ତ୍ତନ ମଧ୍ୟ ଭାରତକୁ ଅତିରିକ୍ତ ମନୋବଳ ଯୋଗାଇଛି। ଦିନିକିଆରେ ଦୁର୍ବଳ ଖେଳିଥିବା ଉପଅଧିନାୟକ ଶୁବମନ୍ ଗିଲ୍ ଟ୍ବେଣ୍ଟି-୨୦ ଶୃଙ୍ଖଳାରେ ଏହାର ଭରଣା କରିବାକୁ ଆଶା ରଖିଛନ୍ତି। ମାନୁକା ଓଭାଲ ପିଚ୍ କିନ୍ତୁ ନିଶ୍ଚିତ ଭାବେ ଭାରତୀୟ ଯୁବ ଖେଳାଳିଙ୍କୁ ପରୀକ୍ଷାରେ ପକାଇବ, ସେଥିରେ ଆଦୌ ସନ୍ଦେହ ନାହିଁ। ତେବେ ବିସ୍ଫୋରକ ଅଭିଷେକ ଏବଂ ନିର୍ଭରଯୋଗ୍ୟ ତିଳକଙ୍କ ପାଇଁ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରିସାରିଥିବା କହି କଙ୍ଗାରୁ ଦଳ ସେମାନଙ୍କ ଉପରେ ମନସ୍ତାତ୍ତ୍ବିକ ଚାପ ସୃଷ୍ଟି କରିବାକୁ ଚେଷ୍ଟା କରିଛି।

ଭାରତ ଓ ଶ୍ରୀଲଙ୍କାରେ ଆସନ୍ତାବର୍ଷ ଆୟୋଜିତ ହେଉଥିବା ଟ୍ବେଣ୍ଟି-୨୦ ବିଶ୍ବକପ୍ ପାଇଁ ପ୍ରସ୍ତୁତି ଦୃଷ୍ଟିରୁ ଏହି ଶୃଙ୍ଖଳାର ଢେର ମହତ୍ତ୍ବ ରହିଥିବାରୁ ଭ୍ରମଣକାରୀ ଭାରତ ଓ ଘରୋଇ ଅଷ୍ଟ୍ରେଲିଆ ଏହାକୁ ଅତ୍ୟନ୍ତ ଗୁରୁତ୍ବ ଦେଉଛନ୍ତି। ଆଇସିସି ଟ୍ବେଣ୍ଟି-୨୦ ମାନ୍ୟତାର ଏକନମ୍ବର ସ୍ଥାନରେ ଥିବା ଭାରତ ଏବଂ ଦୁଇ ନମ୍ବରରେ ଥିବା ଅଷ୍ଟ୍ରେଲିଆ ମଧ୍ୟରେ ହେବାକୁ ଥିବା ଏହି ଲମ୍ବା ଲଢ଼େଇକୁ ନେଇ ଦୁଇ ଦେଶର କ୍ରିକେଟ୍‌ପ୍ରେମୀ ବେଶ୍ ଉତ୍ସାହିତ ରହିଛନ୍ତି।

‘‘ମୁଁ ମାନସିକ ଓ ଶାରିରୀକ ସ୍ତରରେ ବେଶ୍ ସତେଜ ରହିଛି। ଏହି ଶୃଙ୍ଖଳାରେ ଫର୍ମକୁ ଫେରିବାର ଆଶା ଅଛି। ଆମ ପାଖରେ ବିକଳ୍ପର ଅଭାବ ନାହିଁ। ଏଣୁ ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇବୁ’’ ବୋଲି ମ୍ୟାଚ୍ ପୂର୍ବ ସାମ୍ବାଦିକ ସମ୍ମିଳନୀରେ ସୂର୍ଯ୍ୟକୁମାର କହିଛନ୍ତି।