ନଭି ମୁମ୍ବାଇ : ୫୨ ବର୍ଷର ମହିଳା କ୍ରିକେଟ୍ ବିଶ୍ୱକପ୍ ଇତିହାସରେ ଯାହା କେବେ ହୋଇ ନଥିଲା, ରବିବାର ରାତିରେ ତାହା ସମ୍ଭବ ହୋଇଛି। ଭାରତୀୟ ମହିଳା କ୍ରିକେଟ୍ ଦଳ ସର୍ବପ୍ରଥମ ବିଶ୍ୱକପ୍ ଟ୍ରଫି ଜିତି ଦୀର୍ଘ ପ୍ରତୀକ୍ଷାର ଅନ୍ତ ଘଟାଇଛି। ମୁମ୍ବାଇର ଡିୱାଇ ପାଟିଲ୍ ଷ୍ଟାଡିୟମ୍ରେ ଖେଳାଯାଇଥିବା ରୋମାଞ୍ଚକ ଫାଇନାଲ୍ ମୁକାବିଲାରେ ଭାରତୀୟ ଦଳ ପ୍ରଥମ ଥର ଫାଇନାଲିଷ୍ଟ୍ ଦକ୍ଷିଣ ଆଫ୍ରିକାକୁ ୫୨ ରନ୍ରେ ପରାସ୍ତ କରି ଏହି ଐତିହାସିକ ବିଜୟ ହାସଲ କରିଛି।
ଏହି ଐତିହାସିକ ବିଜୟ ପରେ ୧୪୫ କୋଟି ଭାରତୀୟ ଆନନ୍ଦ ଉଲ୍ଲାସରେ ନାଚି ଉଠିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ସମେତ ବହୁ ପୂର୍ବତନ ଖେଳାଳି ଓ ଖେଳ ପ୍ରଶାସକ ଭାରତୀୟ ମହିଳା ଦଳକୁ ବିଶ୍ୱକପ୍ ବିଜୟ ପାଇଁ ଶୁଭେଚ୍ଛା ଜଣାଇଛନ୍ତି।
୧୯୮୩ ମସିହାରେ କପିଳ ଦେବଙ୍କ ପୁରୁଷ କ୍ରିକେଟ୍ ଦଳର ବିଶ୍ୱକପ୍ ବିଜୟ ପରି, ଭାରତୀୟ ମହିଳା ଦଳ ଏହି ବିଶ୍ୱ ମୁକୁଟ ପ୍ରଥମ ଥର ଜିତି ଭାରତୀୟ କ୍ରିକେଟ୍ ଇତିହାସରେ ଏକ ନୂଆ ଫର୍ଦ ଯୋଡ଼ିବା ସହ ମହିଳା କ୍ରିକେଟ୍ରେ ଏକ ବୈପ୍ଲବିକ ପରିବର୍ତ୍ତନ ଯୁଗର ଶୁଭାରମ୍ଭ କରିଛି। ପୂର୍ବରୁ ୨୦୦୫ ଓ ୨୦୧୭ ଫାଇନାଲ୍ରେ ପରାସ୍ତ ହୋଇ ରନର୍ସଅପ୍ ହୋଇଥିବା ଭାରତୀୟ ଦଳ ତୃତୀୟ ପ୍ରୟାସରେ ବିଶ୍ୱ ବିଜେତା ହେବାର ଗୌରବ ଲାଭ କରିଛି। ପୁରୁଷ ଦଳର ୪ଟି ବିଶ୍ୱ ମୁକୁଟକୁ ମିଶାଇଲେ ଏହା ଭାରତର ପଞ୍ଚମ ଆଇସିସି ବିଶ୍ୱକପ୍ ବିଜୟ।
ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତୀୟ ଦଳ ନିର୍ଦ୍ଧାରିତ ଓଭରରେ ୨୯୮ ରନ୍ କରିବାରେ ସକ୍ଷମ ହୋଇଥିଲା। ଏହି ଲଢ଼ୁଆ ସ୍କୋରରେ ଦୁଇ ଓପନର ସ୍ମୃତି ମନ୍ଧାନା (୫୮ ବଲ୍ରୁ ୪୫ ରନ୍) ଏବଂ ଶେଫାଳି ବର୍ମା (୭୮ ବଲ୍ରୁ ୮୭ ରନ୍)ଙ୍କ ଶତକୀୟ ଭାଗୀଦାରୀ (୧୦୪ ରନ୍) ନିର୍ଣ୍ଣାୟକ ସାବ୍ୟସ୍ତ ହୋଇଥିଲା। ଭେଟେରାନ୍ ଅଲ୍ରାଉଣ୍ଡର୍ ଦୀପ୍ତି ଶର୍ମା ୫୮ ବଲ୍ରୁ ୫୮ ରନ୍ର ଦାୟିତ୍ୱପୂର୍ଣ୍ଣ ଅର୍ଦ୍ଧଶତକ ଓ ରିଚା ଘୋଷଙ୍କ ୨୪ ବଲ୍ରୁ ୩୪ ରନ୍ର ଦ୍ରୁତ ପାଳି ଦଳକୁ ଏକ ମଜବୁତ ସ୍ଥିତିରେ ପହଞ୍ଚାଇଥିଲା।
୨୯୯ ରନ୍ର ବିଶାଳ ଲକ୍ଷ୍ୟକୁ ପିଛା କରି ଦକ୍ଷିଣ ଆଫ୍ରିକା ଫାଇନାଲ୍ ମ୍ୟାଚ୍ର ଚାପରେ ଭଲ ଖେଳିପାରିନଥିଲା । ଦକ୍ଷିଣ ଆଫ୍ରିକାର ଅଧିନାୟିକା ଲୌରା ୱଲ୍ଭର୍ଟ (୯୮ ବଲ୍ରୁ ୧୦୧ ରନ୍) କ୍ରମାଗତ ଦ୍ୱିତୀୟ ଶତକ ମାରି ଶେଷ ପର୍ଯ୍ୟନ୍ତ ଏକାକୀ ଲଢ଼ିଥିଲେ, କିନ୍ତୁ ତାଙ୍କର ଏହି ପ୍ରୟାସ ବିଜୟ ପାଇଁ ଯଥେଷ୍ଟ ନଥିଲା। ଆନେରି ଡର୍କସେନ୍ (୩୫ ରନ୍)ଙ୍କୁ ବାଦ୍ ଦେଲେ ଅନ୍ୟ କୌଣସି ବ୍ୟାଟର୍ ଭାରତୀୟ ବୋଲିଂକୁ ସାମ୍ନା କରିପାରି ନଥିଲେ। ଦକ୍ଷିଣ ଆଫ୍ରିକା ପାଳି ୪୫.୩ ଓଭରରେ ମାତ୍ର ୨୪୬ ରନ୍ରେ ଶେଷ ହୋଇଯାଇଥିଲା।
ଦାୟିତ୍ୱପୂର୍ଣ୍ଣ ଅର୍ଦ୍ଧଶତକ ପରେ ଭେଟେରାନ୍ ଅଲ୍ରାଉଣ୍ଡର୍ ଦୀପ୍ତି ଶର୍ମା ବୋଲିଂରେ ୫ଟି ୱିକେଟ୍ ଦଖଲ କରି ଭାରତୀୟ ବିଜୟରେ ନିର୍ଣ୍ଣାୟକ ଭୂମିକା ନିର୍ବାହ କରିଥିଲେ। ତାଙ୍କ ଭଳି ଶେଫାଳି ବର୍ମାଙ୍କ ଅଲ୍ରାଉଣ୍ଡ୍ ପ୍ରଦର୍ଶନ (୮୭ ରନ୍ ଓ ୨/୩୬ ୱିକେଟ୍) ମଧ୍ୟ ବିଶ୍ୱକପ୍ ସ୍ୱପ୍ନକୁ ସାକାର କରିବାରେ ବଡ଼ ଯୋଗଦାନ ଦେଇଛି।
ଫାଇନାଲ୍ର ଶ୍ରେଷ୍ଠ ଖେଳାଳି (Player of the Final): ଶେଫାଳି ବର୍ମା। ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି (Player of the Tournament): ଦୀପ୍ତି ଶର୍ମା (୨୧୫ ରନ୍ ଓ ୨୨ ୱିକେଟ୍)। ଅଗ୍ରଣୀ ବ୍ୟାଟର୍: ଲୌରା ୱଲ୍ଭର୍ଟ (୫୭୧ ରନ୍)। ଅଗ୍ରଣୀ ବୋଲର: ଦୀପ୍ତି ଶର୍ମା (୨୨ ୱିକେଟ୍)।




















