କ୍ବିନ୍ସଲାଣ୍ଡର କାରାରା ଓଭାଲ୍ସଠାରେ ଆଜି ଖେଳାଯାଇଥିବା ଭାରତ-ଅଷ୍ଟ୍ରେଲିଆ ୪ର୍ଥ ଟି-୨୦ରେ ଅଷ୍ଟ୍ରେଲିଆକୁ 48 ରନରେ ପରାସ୍ତ କରିଛି ଟିମ୍ ଭାରତ । ଅଷ୍ଟ୍ରେଲିଆ ଆଗରେ ଭାରତ ୧୬୮ ରନର ବିଜୟ ଲକ୍ଷ୍ୟ ରଖିଥିଲା । ତେବେ ଏହି ମ୍ୟାଚରେ ଅଷ୍ଟ୍ରେଲିଆ ବ୍ୟାଟରମାନେ ଭଲ ଖେଳିପାରିନଥିଲେ । ମିଚେଲ ମାର୍ସ ସର୍ବାଧିକ 30 ରନ କରିଥିବା ବେଳେ ମ୍ୟାଥୁ ସଟ୍ 28 ରନ କରିଥିଲେ । ଅନ୍ୟ ବ୍ୟାଟରମାନେ ଗୋଟିଏ ପରେ ଗୋଟିଏ ଉଇକେଟ ହରାଇ ଚାଲିଥିଲେ । ଭାରତ ପକ୍ଷରୁ ଅକ୍ଷର , ଦୁବେ ଦୁଇଟି ଲେଖା ଉଇକେଟ ନେଇଥିବା ବେଳେ ସୁନ୍ଦର ତିନୋଟି ଉଇକେଟ ନେଇଥିଲେ । ବୁମରାହ, ଅର୍ଶଦୀପ, ବରୁଣ ଗୋଟିଏ ଲେଖା ଉଇକେଟ ନେଇଥିଲେ । ଅକ୍ଷର ମ୍ୟାନ ଅଫ ଦି ମ୍ୟାଚ ପୁରସ୍କାର ପାଇଥିଲେ ।
ଏହି ମ୍ୟାଚରେ ଅଷ୍ଟ୍ରେଲିଆ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୮ ଓ୍ବିକେଟ ହରାଇ ୧୬୭ ରନ କରିଥିଲା । ଭାରତ ପକ୍ଷରୁ ଅଭିଷେକ ଶର୍ମା ଓ ଶୁବମନ ଗିଲ୍ ପ୍ରଥମ ଓ୍ବିକେଟ ଯୋଡ଼ିରେ ୫୧ ରନ କରି ଏକ ଭଲ ମୂଳଦୁଆ ପକାଇଥିଲେ । ଅଭିଷେକ ଶର୍ମା ୨୮ ରନ ଓ ଗିଲ୍ ୪୬ ରନ କରିଥିଲେ । ସେହିପରି ଶିବମ ଦୁବେ ୨୨ ଓ ସୂର୍ଯ୍ୟକୁମାର ଯାଦବ ୨୦ ରନ କରିଥିଲେ । ମାତ୍ର ତିଳକ ବର୍ମା ଓ ଜିତେଶ ଶର୍ମା ଯଥାକ୍ରମେ ୫ ଓ ୩ ରନ କରି ବିଫଳ ହୋଇଥିଲେ । ତେବେ ଅକ୍ଷର ପଟେଲ ୧୧ଟି ବଲରୁ ୨୧ ରନ କରି ସ୍କୋରକୁ ଏକ ସମ୍ମାନଜନକ ସ୍ତରକୁ ନେଇଯାଇଥିଲେ । ଅଷ୍ଟ୍ରେଲିଆ ପକ୍ଷରୁ ନାଥନ ଏଲିସ୍ ଓ ଆଡାମ ଜାମ୍ପା ୩ଟି ଲେଖାଏଁ ଓ୍ବିକେଟ ନେଇଥିଲେ ।
















