ବାରବାଟୀରେ ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-ଟ୍ବେଣ୍ଟି ମ୍ୟାଚ ଖେଳାଯିବ । ଡିସେମ୍ବର ୯ ତାରିଖରେ ଖେଳାଯିବ ଏହି ହାଇ ଭୋଲଟେଜ୍ ଅନ୍ତର୍ଜାତିକ କ୍ରିକେଟ ମ୍ୟାଚ । ସେଥିପାଇଁ ପ୍ରସ୍ତୁତ ହେଉଛି ପିଚ୍ । ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-ଟ୍ବେଣ୍ଟି ମ୍ୟାଚ ଖେଳାଯିବାକୁ ନେଇ ଓଡ଼ିଶା ଦର୍ଶକ ମଧ୍ୟରେ ଉତ୍ସାହ ବଢ଼ିବାରେ ଲାଗିଛି । ଆସନ୍ତା ୧ ତାରିଖରୁ ଅନଲାଇନ ଟିକେଟ ବିକ୍ରି କରିବାକୁ ପ୍ରସ୍ତୁତି ଆରମ୍ଭ କରିଛି ଓସିଏ । ପରେ ପରେ ୩ ଓ ୪ ତାରିଖରେ ଅନୁବନ୍ଧିତ ସଂଘ, ସ୍କୁଲ ଓ କଲେଜ ପାଇଁ ଅଫ ଲାଇନରେ ଟିକେଟ ବିକ୍ରି ହେବ । ପରେ ୫ ତାରିଖରେ କାଉଣ୍ଟରରେ ସାଧାରଣ ଦର୍ଶକଙ୍କ ପାଇଁ ଟିକେଟ ବିକ୍ରି ହେବ। ଆଉ ୨୦ ଦିନ ପରେ ମ୍ୟାଚ। ତେଣୁ ଦର୍ଶକ ଓ ଓଡିଶାର ଯୁବ ଖେଳାଳିଙ୍କ ମଧ୍ୟରେ ଏବେଠୁ ଉତ୍ସାହ ବଢିବାରେ ଲାଗିଛି।
ଏବେ ଟେଷ୍ଟ ମ୍ୟାଚ ଚାଲିଛି । ପ୍ରଥମ ଟେଷ୍ଟରେ ଭାରତ ପରାଜିତ ହୋଇଛି । ଆଗାମୀ ଟେଷ୍ଟରେ ଭାରତ ବିଜୟ ପାଇଁ ଗୋହାଟିରେ ଲଢ଼େଇ କରିବ । ବାରବାଟୀ ପାଇଁ ମଝିରେ ମାତ୍ର ୨୦ ଦିନ ଥିବାରୁ ପିଚ ଓ ପଡିଆ ପ୍ରସ୍ତୁତି ଚାଲିଛି । ଗ୍ୟାଲେରୀ ମରାମତି ଓ ରଙ୍ଗକାମ ଚାଲିଛି। ସମସ୍ତଙ୍କର ଆଶା ବାରବାଟୀରେ ଏଥର ଏକ ରୋମାଞ୍ଚକର ମ୍ୟାଚ ଦେଖିବାକୁ ମିଳିବ। ବାରବାଟୀ ରେକର୍ଡରେ କିନ୍ତୁ ଦକ୍ଷିଣ ଆଫ୍ରିକାର ପଲ୍ଲା ଭାରି ରହିଛି । ଏଠାରେ ଦୁଇଟି ମ୍ୟାଚ ଖେଳି ଦକ୍ଷିଣ ଆଫ୍ରିକା ଏକତରଫା ଭାବେ ଭାରତକୁ ହରାଇଛି। ତେଣୁ ଏହି ମ୍ୟାଚ ଉପରେ ଏବେ ସମସ୍ତଙ୍କ ନଜର ରହିଛି।


















