ବିଶାଖାପାଟନମରେ ଚାଲିଥିବା ତୃତୀୟ ତଥା ନିର୍ଣ୍ଣାୟକ ଦିନିକିଆ ମ୍ୟାଚ୍ରେ ଭାରତ ଦମଦାର ବିଜୟ ହାସଲ କରିଛି। ଦକ୍ଷିଣ ଆଫ୍ରିକାକୁ ୯ ୱିକେଟରେ ହରାଇ ଭାରତ ୨-୧ରେ ଏହି ଦିନିକିଆ ସିରିଜକୁ କବ୍ଜା କରିଛି। ୨୭୧ ରନ୍ର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ଟିମ୍ ଇଣ୍ଡିଆ ମାତ୍ର ଗୋଟିଏ ୱିକେଟ୍ ହରାଇ ଅତି ସହଜରେ ଏହି ଲକ୍ଷ୍ୟ ହାସଲ କରିନେଇଥିଲା। ରୋହିତ ଶର୍ମାଙ୍କ ଦ୍ରୁତ ଆରମ୍ଭ: ଏକମାତ୍ର ୱିକେଟ୍ ଭାବେ ‘ହିଟ୍ ମ୍ୟାନ୍’ ରୋହିତ ଶର୍ମା ଆଉଟ୍ ହୋଇଥିଲେ। ତେବେ ସେ ଆଉଟ୍ ହେବା ପୂର୍ବରୁ ଧୂଆଁଧାର ୭୫ ରନ୍ ,୭ ଚୌକା ଓ ୩ ଛକା ସହାୟତାରେ ଦଳ ପାଇଁ ଏକ ମଜବୁତ ମୂଳଦୁଆ ପକାଇଥିଲେ। ତାଙ୍କୁ କେଶବ ମହାରାଜ ଆଉଟ୍ କରିଥିଲେ। ଯଶସ୍ୱୀ ଜୟସ୍ୱାଲ୍ଙ୍କ ଶତକ: ଆଜିର ମ୍ୟାଚ୍ରେ ଓପନର୍ ଯଶସ୍ୱୀ ଜୟସ୍ୱାଲ୍ ଏକ ଶତକୀୟ ପାରି ଖେଳିଥିଲେ। ସେ ୧୨୧ ବଲ୍ରୁ ୧୨ ଚୌକା ଓ ୨ ଛକା ସହାୟତାରେ ୧୧୬ ରନ୍ କରି ଅପରାଜିତ ରହିଥିଲେ।
ବିରାଟ କୋହଲିଙ୍କ ଦ୍ରୁତ ଅର୍ଦ୍ଧଶତକ: ରୋହିତ ଆଉଟ୍ ହେବା ପରେ ପଡ଼ିଆକୁ ଆସିଥିବା ବିରାଟ କୋହଲିଙ୍କ ବ୍ୟାଟ୍ରୁ ଧୂଆଁଧାର ୬୫ ରନ୍ ବାହାରିଥିଲା। ସେ ମାତ୍ର ୪୫ ବଲ୍ର ସାମ୍ନା କରି ୬ ଚୌକା ଓ ୩ ଛକା ସହାୟତାରେ ଏହି ଆକ୍ରମଣାତ୍ମକ ପାରି ଖେଳିଥିଲେ।
ଦକ୍ଷିଣ ଆଫ୍ରିକା ଇନିଂସ
ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଦକ୍ଷିଣ ଆଫ୍ରିକା ଦଳ ୪୭.୫ ଓଭରରେ ସମସ୍ତ ୱିକେଟ୍ ହରାଇ ୨୭୦ ରନ୍ କରିପାରିଥିଲା।
ଡି କକ୍ଙ୍କ ଶତକ: ଦକ୍ଷିଣ ଆଫ୍ରିକା ପକ୍ଷରୁ କ୍ୱିଣ୍ଟନ୍ ଡି କକ୍ ୮୯ ବଲ୍ରୁ ୮ ଚୌକା ଓ ୬ ଛକା ସହାୟତାରେ ୧୦୬ ରନ୍ର ଏକ ଧୂଆଁଧାର ଇନିଂସ୍ ଖେଳିଥିଲେ। ଅଧିନାୟକ ଟି. ବାଭୁମା ୪୮ ରନ୍ କରିଥିଲେ।
ମାଥ୍ୟୁ ୨୪, ବ୍ରେଭିସ ୨୯ ଏବଂ ମହାରାଜ ୨୦ ରନ୍ କରିଥିବା ବେଳେ ଅନ୍ୟ ବ୍ୟାଟ୍ସମ୍ୟାନ୍ ବିଶେଷ ସ୍କୋର କରିପାରି ନଥିଲେ।
ଭାରତର ବୋଲିଂ ଚମତ୍କାର
ଭାରତ ପକ୍ଷରୁ ପ୍ରସିଦ୍ଧ କ୍ରିଷ୍ଣା ଏବଂ କୁଲଦୀପ ଯାଦବ ଚମତ୍କାର ପ୍ରଦର୍ଶନ କରି ପ୍ରତ୍ୟେକେ ୪ଟି ଲେଖାଏଁ ୱିକେଟ୍ ନେଇଥିଲେ। ସେହିପରି ଅର୍ଶଦୀପ ସିଂ ଏବଂ ରବୀନ୍ଦ୍ର ଜାଡେଜା ଗୋଟିଏ ଲେଖାଏଁ ୱିକେଟ୍ ନେଇ ଦକ୍ଷିଣ ଆଫ୍ରିକାକୁ ବଡ଼ ସ୍କୋର କରିବାରୁ ରୋକିଥିଲେ।















