ଭୁବନେଶ୍ୱର : ଆସନ୍ତା କାଲି କଟକର ବାରବାଟୀ ଷ୍ଟାଡିୟମ୍ରେ ଆରମ୍ଭ ହେବାକୁ ଥିବା ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ସିରିଜ୍ ପାଇଁ ଟିମ୍ ଇଣ୍ଡିଆର ଟି-୨୦ ଉପ-ଅଧିନାୟକ ଶୁଭମନ ଗିଲ୍ ଖେଳିବେ । ସେ ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ଓ ଦିନିକିଆ ସିରିଜ୍ରୁ ବାଦ୍ ପଡ଼ିବା ପରେ କାଲି ଖେଳିବେ ବୋଲି ସୂଚନା ଦେଇଛନ୍ତି କୋଚ୍ ଗମ୍ଭୀର । ବିସିସିଆଇ (BCCI) ଗିଲ୍ଙ୍କୁ ଟି-୨୦ ସ୍କ୍ୱାଡ୍ରେ ସାମିଲ୍ କରିବା ସମୟରେ ତାଙ୍କର ଉପସ୍ଥିତି “BCCI COEର ଫିଟ୍ନେସ୍ କ୍ଲିୟରାନ୍ସ ଅଧୀନରେ” ରହିବ ବୋଲି କହିଥିଲା। ତେବେ, ଗତ ମାସରେ ତାଙ୍କ ବେକରେ ଯେଉଁ ଆଘାତ ଲାଗିଥିଲା, ସେଥିରୁ ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଯାଇଛନ୍ତି। ସେ ବେଙ୍ଗାଲୁରୁରେ ଥିବା ବିସିସିଆଇ ସେଣ୍ଟର ଅଫ୍ ଏକ୍ସଲେନ୍ସ (CoE) ରେ ଅଭ୍ୟାସ କରିବା ପରେ ଡାକ୍ତରୀ ଟିମ୍ରୁ ସବୁଜ ସଙ୍କେତ ପାଇ କଟକ ଆସିଛନ୍ତି।
ଦିନିକିଆ ସ୍କ୍ୱାଡ୍ର ଅଂଶ ନଥିବାରୁ ଗିଲ୍ ବିଳମ୍ବରେ ଗତକାଲି ରାତି ୯ଟା ସମୟରେ ଭୁବନେଶ୍ବରରେ ପହଁଚିଛନ୍ତି । ଆଜି ସେ ଷ୍ଟାଡିୟମରେ ଅଭ୍ୟାସ କରିଛନ୍ତି । ଅନ୍ୟପକ୍ଷରେ, ଭାରତ ଏବଂ ଦକ୍ଷିଣ ଆଫ୍ରିକା ଦଳର ଖେଳାଳି ଆଜି ଅଭ୍ୟାସ କରୁଛନ୍ତି । ହାର୍ଦ୍ଦିକ ପାଣ୍ଡ୍ୟା ପ୍ରଥମେ ଆସିଥିବା ଖେଳାଳିଙ୍କ ମଧ୍ୟରୁ ଅନ୍ୟତମ ଥିଲେ ଏବଂ ସେ ରବିବାର ସନ୍ଧ୍ୟାରେ ବାରବାଟୀ ଷ୍ଟାଡିୟମ୍ରେ ଅଭ୍ୟାସ କରୁଥିବା ଦେଖାଯାଇଥିଲା ।
ଭାରତର ସମ୍ଭାବ୍ୟ ଚୂଡ଼ାନ୍ତ ଏକାଦଶ କିପରି ହେବ?
ଟେଷ୍ଟ ଓ ଦିନିକିଆ ମ୍ୟାଚ୍ର ଉତ୍ତେଜନା ସମାପ୍ତ ହେବା ପରେ, କଟକର ବାରବାଟୀ ଷ୍ଟାଡିୟମ୍ରେ ଖେଳାଯିବ ପ୍ରଥମ ଟି-20 । ଏହି ମ୍ୟାଚ୍ ଜିତି ଭାରତୀୟ ଦଳ ଏକ ଚମତ୍କାର ଆରମ୍ଭ କରିବାକୁ ଚାହିଁବ। ମ୍ୟାଚ୍ ପୂର୍ବରୁ, ବାରବାଟୀରେ ଭାରତୀୟ ଦଳ କେଉଁ ଖେଳାଳିଙ୍କ ସହିତ ମଇଦାନକୁ ଓହ୍ଲାଇବ ତାକୁ ନେଇ ଚର୍ଚା ଜୋର ଧରିଛି । ତେବେ ପୂର୍ବପରି ଅଭିଷେକ ଶର୍ମା ଓ ଶୁଭମନ ଗିଲ୍ ପାଳି ଆରମ୍ଭ କରିବେ। ଏହି ଦୁଇ ଖେଳାଳି ନିକଟରେ T20 ଫର୍ମାଟରେ ଭଲ ପ୍ରଦର୍ଶନ କରିଛନ୍ତି। ଅଭିଷେକ ଶର୍ମା ଆରମ୍ଭରୁ ହିଁ ଆକ୍ରମଣାତ୍ମକ ବ୍ୟାଟିଂ କରୁଥିବାବେଳେ ଗିଲ୍ ସଂଯମତାର ସହ ପାଳିକୁ ଆଗକୁ ବଢ଼ାନ୍ତି।
ମଧ୍ୟକ୍ରମର ଦାୟିତ୍ୱ ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ସମେତ ତିଳକ ବର୍ମା ଏବଂ ଜିତେଶ ଶର୍ମାଙ୍କ କାନ୍ଧରେ ରହିବ। ସୂର୍ଯ୍ୟକୁମାରଙ୍କ ବିସ୍ଫୋରକ ବ୍ୟାଟିଂ ବିଷୟରେ ସମସ୍ତେ ଜାଣନ୍ତି। ଯୁବ ଖେଳାଳି ତିଳକ ବର୍ମା କ୍ରମାଗତ ଭାବରେ ଦଳର ବିଜୟରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଉଛନ୍ତି। ଜିତେଶ ଶର୍ମାଙ୍କୁ ଆନ୍ତର୍ଜାତୀୟ ସ୍ତରରେ ଅଧିକ ସୁଯୋଗ ମିଳିନଥିଲେ ମଧ୍ୟ IPLରେ ସେ ନିଜର ଦକ୍ଷତା ପ୍ରମାଣ କରିଛନ୍ତି। ଭାରତୀୟ ଦଳ ପ୍ରଥମ T20 ମୁକାବିଲାରେ ମୋଟ ୩ ଜଣ ଅଲରାଉଣ୍ଡରଙ୍କ ସହ ମଇଦାନକୁ ଓହ୍ଲାଇପାରେ। ସେମାନେ ହେଲେ: ହାର୍ଦ୍ଦିକ ପାଣ୍ଡ୍ୟା,ଶିବମ ଦୁବେ,ଅକ୍ଷର ପଟେଲ,ଏହି ତିନିଜଣ ଖେଳାଳି ବ୍ୟାଟିଂ ସହିତ ବୋଲିଂରେ ମଧ୍ୟ ମ୍ୟାଚ୍ର ମୋଡ଼ ବଦଳାଇବାରେ ସକ୍ଷମ। ଦ୍ରୁତ ବୋଲିଂର ଦାୟିତ୍ୱ ଯଶପ୍ରୀତ ବୁମରା ଓ ଅର୍ଶଦୀପ ସିଂହଙ୍କ ଉପରେ ରହିବ। ମୁଖ୍ୟ ସ୍ପିନର୍ ଭାବରେ ବରୁଣ ଚକ୍ରବର୍ତ୍ତୀଙ୍କୁ ସୁଯୋଗ ମିଳିପାରେ, ଯିଏ ନିକଟରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଛନ୍ତି।
ପ୍ଲେଇଂ 11 ଏପରି ହୋଇପାରେ-
୧,ଅଭିଷେକ ଶର୍ମା,ଓପନର୍ / ବ୍ୟାଟ୍ସମ୍ୟାନ୍
୨,ଶୁଭମନ ଗିଲ୍,ଓପନର୍ / ବ୍ୟାଟ୍ସମ୍ୟାନ୍
୩,ସୂର୍ଯ୍ୟକୁମାର ଯାଦବ (କ୍ୟାପ୍ଟେନ୍),ବ୍ୟାଟ୍ସମ୍ୟାନ୍
୪,ତିଳକ ବର୍ମା,ବ୍ୟାଟ୍ସମ୍ୟାନ୍
୫,ଜିତେଶ ଶର୍ମା (ୱିକେଟ୍ କିପର୍)/ବ୍ୟାଟ୍ସମ୍ୟାନ୍
୬,ହାର୍ଦ୍ଦିକ ପାଣ୍ଡ୍ୟା,ଅଲରାଉଣ୍ଡର
୭,ଶିବମ ଦୁବେ,ଅଲରାଉଣ୍ଡର
୮,ଅକ୍ଷର ପଟେଲ,ସ୍ପିନ୍ ଅଲରାଉଣ୍ଡର
୯,ଅର୍ଶଦୀପ ସିଂହ,ଦ୍ରୁତ ବୋଲର୍
୧୦,ଯଶପ୍ରୀତ ବୁମରା,ଦ୍ରୁତ ବୋଲର୍
୧୧,ବରୁଣ ଚକ୍ରବର୍ତ୍ତୀ,ସ୍ପିନର୍





/odishatv/media/media_files/2026/03/25/naa-2026-03-25-12-43-50.jpg?w=1280&resize=1280,730&ssl=1)





