ଦେଶକୁ ସ୍ତବ୍ଧ କରିଦେଇଥିବା ୨୦୧୨ ମସିହାର ମହାରାଷ୍ଟ୍ର ଶିଶୁ କନ୍ୟା ଦୁଷ୍କର୍ମ ଓ ହତ୍ୟା ମାମଲାରେ ଶେଷରେ ନ୍ୟାୟ ମିଳିଛି। ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଅପରାଧୀ ରବି ଅଶୋକ ଘୁମାରେର କରୁଣା ଆବେଦନକୁ ଖାରଜ କରିଦେଇଛନ୍ତି। ୨୦୨୨ରେ କାର୍ଯ୍ୟଭାର ଗ୍ରହଣ କରିବା ପରେ ରାଷ୍ଟ୍ରପତିଙ୍କ ଦ୍ୱାରା ଖାରଜ ହୋଇଥିବା ଏହା ହେଉଛି ତୃତୀୟ ରାଜକ୍ଷମା ଆବେଦନ।
ବସନ୍ତ ସମ୍ପତ ପ୍ରଧାନ, ଛତିଶଗଡ଼ (୨୦୧୧)ଦୁଇ ଜଣ ପୁତୁରା (୨ ଓ ୩ ବର୍ଷର ଶିଶୁ)ଙ୍କୁ ଅତି ନୃଶଂସ ଭାବେ ହତ୍ୟା। ମାର୍ଚ୍ଚ ୨୦୨୩: କ୍ଷମା ଆବେଦନ ଖାରଜ।
ଶ୍ୟାମଲାଲ,ଉତ୍ତର ପ୍ରଦେଶ, ନାବାଳିକାକୁ ଦୁଷ୍କର୍ମ ଓ ନିର୍ମମ ହତ୍ୟା।୨୦୨୩-୨୪ ମଧ୍ୟରେ କ୍ଷମା ଆବେଦନ ଖାରଜ।
ରବି ଅଶୋକ ଘୁମାରେ, ମହାରାଷ୍ଟ୍ର (୨୦୧୨)୨ ବର୍ଷର ଶିଶୁ କନ୍ୟାକୁ ଅପହରଣ, ଦୁଷ୍କର୍ମ ଓ ହତ୍ୟା। କ୍ଷମା ଆବେଦନ ଖାରଜ
୨୦୧୨ ମାର୍ଚ୍ଚ ୬ ତାରିଖ, ମହାରାଷ୍ଟ୍ରର ଜାଲନା ସହରର ଇନ୍ଦିରାନଗର ଅଞ୍ଚଳରେ ଅଭିଯୁକ୍ତ ରବି ଅଶୋକ ଘୁମାରେ ମାତ୍ର ୨ ବର୍ଷର ଏକ ଅପାପବିଦ୍ଧ ଶିଶୁ କନ୍ୟାକୁ ଚକୋଲେଟ୍ ଦେବାର ଲାଳସା ଦେଖାଇ ଅପହରଣ କରିଥିଲା।
ଅପହରଣ ପରେ ପ୍ରାୟ ୪ରୁ ୫ ଘଣ୍ଟା ପର୍ଯ୍ୟନ୍ତ ଶିଶୁଟି ସହ ଦୁଷ୍କର୍ମ କରିବା ପରେ ତାକୁ ନିର୍ମମ ଭାବେ ହତ୍ୟା କରିଥିଲା ଏବଂ ପ୍ରମାଣ ନଷ୍ଟ କରିବା ପାଇଁ ଶବକୁ ପୋତି ଦେଇଥିଲା।
ରାଷ୍ଟ୍ରପତି ଦାୟିତ୍ୱ ଗ୍ରହଣ କରିବା ପରଠାରୁ ଦ୍ରୌପଦୀ ମୁର୍ମୁ ଏକ ସ୍ପଷ୍ଟ ବାର୍ତ୍ତା ଦେଇଛନ୍ତି ଯେ, ଶିଶୁଙ୍କ ବିରୋଧରେ ହେଉଥିବା ଜଘନ୍ୟ ଅପରାଧୀଙ୍କ ପାଇଁ କୌଣସି ପ୍ରକାର “ରାଜକ୍ଷମା” ନାହିଁ। ଏହି ତିନୋଟି ଯାକ ମାମଲାରେ ପୀଡ଼ିତାମାନେ ଅତି ଛୋଟ ଶିଶୁ ଥିଲେ।
ସମସ୍ତ ତିନୋଟି ମାମଲାକୁ ସୁପ୍ରିମକୋର୍ଟ ‘ବିରଳରୁ ଅତି ବିରଳ’ ଶ୍ରେଣୀଭୁକ୍ତ କରିଥିଲେ। ଅପରାଧୀମାନେ ନିଜର ପରିବାର କିମ୍ବା ପରିଚିତ ଲୋକଙ୍କ ବିଶ୍ୱାସଘାତକତା କରି ଏହି କାଣ୍ଡ ଘଟାଇଥିଲେ।
ପୂର୍ବ ଅପେକ୍ଷା ବର୍ତ୍ତମାନ ରାଷ୍ଟ୍ରପତି ଭବନକୁ ଯାଉଥିବା ଫାଇଲଗୁଡ଼ିକ ଉପରେ ଶୀଘ୍ର ନିଷ୍ପତ୍ତି ନିଆଯାଉଛି, ଯାହା ପୀଡ଼ିତାଙ୍କ ପରିବାର ପାଇଁ ଏକ ଆଶ୍ୱସ୍ତିର ବିଷୟ।
ଧାରା ୭୨ ଅନୁଯାୟୀ ରାଷ୍ଟ୍ରପତିଙ୍କ ପାଖରେ ଶେଷ କ୍ଷମତା ଥିଲେ ମଧ୍ୟ, ସାମାଜିକ ନ୍ୟାୟ ଓ ଶିଶୁ ସୁରକ୍ଷାକୁ ଆଖିରେ ରଖି ରାଷ୍ଟ୍ରପତି ମୃତ୍ୟୁଦଣ୍ଡକୁ କାଏମ ରଖିବାକୁ ଉଚିତ ମନେ କରିଛନ୍ତି।



















