ବାଂଲାଦେଶରେ ପୁଣିଥରେ ବ୍ୟାପକ ହିଂସାକାଣ୍ଡ ଦେଖାଦେଇଛି। ଭାରତ ବିରୋଧୀ ଆନ୍ଦୋଳନର ପ୍ରମୁଖ ଚେହେରା କୁହାଯାଉଥିବା ଛାତ୍ର ନେତା ସରିଫ ଓସମାନ ହାଦିଙ୍କ ମୃତ୍ୟୁ ପରେ ସମଗ୍ର ବାଂଲାଦେଶ ଏବେ ଅଶାନ୍ତ। ହାଦିଙ୍କ ସମର୍ଥକମାନେ ରାସ୍ତାକୁ ଓହ୍ଲାଇ ବ୍ୟାପକ ଭଙ୍ଗାରୁଜା ଓ ଜଳାପୋଡ଼ା କରୁଥିବା ଖବର ମିଳିଛି। ବାଂଲାଦେଶରେ ଭାରତ ବିରୋଧୀ ଛାତ୍ର ନେତା ସରିଫ ଓସମାନ ହାଦିଙ୍କ ମୃତ୍ୟୁ ପରେ ହିଂସା ଚରମ ସୀମାରେ ପହଞ୍ଚିଛି। ଶୁକ୍ରବାର ବିଳମ୍ବିତ ରାତିରେ ବାଂଲାଦେଶର ଦୁଇ ପ୍ରମୁଖ ଗଣମାଧ୍ୟମ ସଂସ୍ଥା ‘ପ୍ରଥମ ଆଲୋ’ ଏବଂ ‘ଦି ଡେଲି ଷ୍ଟାର୍’ ଉପରେ ହୋଇଥିବା ବର୍ବରୋଚିତ ଆକ୍ରମଣ ସାରା ବିଶ୍ୱକୁ ଚକିତ କରିଦେଇଛି। ବିଶୃଙ୍ଖଳ ଜନତା ଅଫିସ୍ ଭିତରେ ପଶି ଭଙ୍ଗାରୁଜା କରିବା ସହ ନିଆଁ ଲଗାଇ ଦେଇଛନ୍ତି।କରୱନ ବଜାର ସ୍ଥିତ ‘ଦି ଡେଲି ଷ୍ଟାର୍’ ଅଫିସ୍ ଉପରେ ଆକ୍ରମଣ ସମୟରେ ପ୍ରାୟ ୨୫ ଜଣ ସାମ୍ବାଦିକ ପ୍ରାୟ ୪ ଘଣ୍ଟା ଧରି ଭୟଙ୍କର ସ୍ଥିତିରେ ଫସି ରହିଥିଲେ। ସାମ୍ବାଦିକମାନେ ଅନ୍ଲାଇନରେ ଜରୁରୀ ମେସେଜ୍ ପୋଷ୍ଟ କରି ସାହାଯ୍ୟ ମାଗୁଥିବା ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଛି। ‘ପ୍ରଥମ ଆଲୋ’ର କାର୍ଯ୍ୟନିର୍ବାହୀ ସମ୍ପାଦକ ସଜ୍ଜଦ ସରିଫ ଏହାକୁ ବାଂଲାଦେଶ ଗଣମାଧ୍ୟମ ପାଇଁ ଏକ ‘ଘନ ଅନ୍ଧାର ରାତି’ ବୋଲି ବର୍ଣ୍ଣନା କରିଛନ୍ତି। ୧୯୯୮ ମସିହାରୁ ଏହି ପତ୍ରିକା ପ୍ରକାଶ ପାଇବା ପରଠାରୁ ପ୍ରଥମ ଥର ପାଇଁ ଆଜି ଖବରକାଗଜ ଛପା ହୋଇପାରିନାହିଁ କିମ୍ବା ଅନଲାଇନରେ ଖବର ପୋଷ୍ଟ କରାଯାଇନାହିଁ।ସୋସିଆଲ ମିଡିଆରେ ଭାଇରାଲ୍ ହୋଇଥିବା ଭିଡିଓଗୁଡ଼ିକରେ ଦେଖିବାକୁ ମିଳିଛି ଯେ, ହଜାର ହଜାର ବିଶୃଙ୍ଖଳ ଜନତା ‘ଦି ଡେଲି ଷ୍ଟାର୍’ର କରୱନ ବଜାର ସ୍ଥିତ ମୁଖ୍ୟ କାର୍ଯ୍ୟାଳୟ ଘେରାଉ କରି ଭଙ୍ଗାରୁଜା କରୁଛନ୍ତି। ଆକ୍ରମଣ ସମୟରେ ପ୍ରାୟ ୨୫ ଜଣ ସାମ୍ବାଦିକ ଅଫିସ୍ ଭିତରେ ଫସି ରହିଥିଲେ। ପ୍ରାୟ ଚାରି ଘଣ୍ଟା ଧରି ଚାଲିଥିବା ଏହି ତାଣ୍ଡବ ମଧ୍ୟରେ ସାମ୍ବାଦିକମାନେ ଅନ୍ଲାଇନ୍ ଜରିଆରେ ଜରୁରୀ ସହାୟତା ପାଇଁ ନିବେଦନ କରିଥିଲେ। ଦୁର୍ବୃତ୍ତମାନେ ଅଫିସର ଆସବାବପତ୍ର ଭାଙ୍ଗିବା ସହ ସେଠାରେ ନିଆଁ ଲଗାଇ ଦେଇଥିଲେ।
ସୂଚନା ଅନୁସାରେ, ସରିଫ ଓସମାନ ହାଦି ଗତ କିଛି ମାସ ଧରି ବାଂଲାଦେଶରେ ଭାରତ ବିରୋଧୀ ସ୍ଲୋଗାନ ଏବଂ ପ୍ରତିବାଦର ନେତୃତ୍ୱ ନେଉଥିଲେ। ତାଙ୍କର ମୃତ୍ୟୁର ସଠିକ୍ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନଥିଲେ ମଧ୍ୟ, ଏହାକୁ ଏକ ପରିକଳ୍ପିତ ହତ୍ୟାକାଣ୍ଡ ବୋଲି ତାଙ୍କ ସମର୍ଥକମାନେ ଅଭିଯୋଗ କରିଛନ୍ତି। ଢାକା ବିଶ୍ୱବିଦ୍ୟାଳୟ ସମେତ ବିଭିନ୍ନ ସହରରେ ଆନ୍ଦୋଳନକାରୀ ଓ ପୋଲିସ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି।
ହିଂସାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ବିଭିନ୍ନ ସ୍ଥାନରେ ଇଣ୍ଟରନେଟ୍ ସେବା ବନ୍ଦ କରାଯିବା ସହ ସେନା ମୁତୟନ ପାଇଁ ଚେତାବନୀ ଦିଆଯାଇଛି। ଏହି ଘଟଣା ପରେ ଭାରତ-ବାଂଲାଦେଶ ସୀମାରେ ମଧ୍ୟ ବିଏସଏଫ (BSF) କୁ ହାଇ-ଆଲର୍ଟରେ ରଖାଯାଇଛି।



















