ନୂଆଦିଲ୍ଲୀ, ୨୧/୦୧: ଭାରତୀୟ ଇଞ୍ଜିନିୟରିଂ ଦକ୍ଷତା ବିଶ୍ୱ ଦରବାରରେ ଆଉ ଏକ ମାଇଲଖୁଣ୍ଟ ସ୍ଥାପନ କରିଛି। ବେଙ୍ଗାଲୁରୁ-କଡ଼ପ୍ପା-ବିଜୟୱାଡା ଅର୍ଥନୈତିକ କରିଡରର ୬-ଲେନ୍ ବିଶିଷ୍ଟ ପ୍ୟାକେଜ୍-୨ ଏବଂ ପ୍ୟାକେଜ୍-୩ ନିର୍ମାଣ ସମୟରେ କ୍ରମାଗତ ଭାବେ ‘ବିଟୁମିନସ୍ କଂକ୍ରିଟ୍’ ବିଛାଇ NHAI ଏବଂ ନିର୍ମାଣକାରୀ ସଂସ୍ଥା ରାଜପଥ ଇନଫ୍ରାକନ୍ ପ୍ରାଇଭେଟ୍ ଲିମିଟେଡ୍ ମିଳିତ ଭାବେ ୪ଟି ଗିନିଜ୍ ୱାର୍ଲ୍ଡ ରେକର୍ଡ ନିଜ ନାମରେ କରିଛନ୍ତି।
ଏହି ଅଦ୍ୱିତୀୟ ସଫଳତା ପାଇଁ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ଶ୍ରୀ ନିତିନ ଗଡ଼କରୀ NHAI ଟିମ୍ ଏବଂ ଏଜେନ୍ସିକୁ ଆନୁଷ୍ଠାନିକ ଭାବେ ଶୁଭେଚ୍ଛା ଜଣାଇଛନ୍ତି। ଶ୍ରୀ ଗଡ଼କରୀ କହିଛନ୍ତି ଯେ, “ଉନ୍ନତ ବୈଷୟିକ ଜ୍ଞାନକୌଶଳ ଏବଂ କଠୋର ଗୁଣବତ୍ତା ମାନଦଣ୍ଡ ଯୋଗୁଁ ଏହି ସଫଳତା ମିଳିଛି। ଏହା ଭାରତର ବୃଦ୍ଧି ପାଉଥିବା ଇଞ୍ଜିନିୟରିଂ ଶ୍ରେଷ୍ଠତା ଏବଂ ନିର୍ମାଣ କ୍ଷମତାର ପ୍ରତିଫଳନ।”
ବିଶ୍ୱସ୍ତରୀୟ ରାଜପଥ ନିର୍ମାଣରେ ନୂଆ ମାନଦଣ୍ଡ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦର୍ଶୀ ନେତୃତ୍ୱରେ ଭାରତ ଆଜି ବିଶ୍ୱସ୍ତରୀୟ ଭିତ୍ତିଭୂମି ବିକାଶ ପାଇଁ ପ୍ରତିବଦ୍ଧ। ଏହି ବିଶ୍ୱ ରେକର୍ଡ ପ୍ରମାଣ କରୁଛି ଯେ ଭାରତ କେବଳ ରାଜପଥ ନିର୍ମାଣ କରୁନାହିଁ, ବରଂ ବିଶ୍ୱ ପାଇଁ ନୂତନ ମାନଦଣ୍ଡ ସ୍ଥାପନ କରୁଛି। ବିନା ବିରତିରେ ଦୀର୍ଘ ସମୟ ଧରି ବିଟୁମିନସ୍ କଂକ୍ରିଟ୍ ବିଛାଯାଇ ଏହି ରେକର୍ଡ କରାଯାଇଛି। ଏହି କରିଡର ବେଙ୍ଗାଲୁରୁ ଓ ବିଜୟୱାଡା ମଧ୍ୟରେ ଯାତାୟାତ ଏବଂ ମାଲ୍ ପରିବହନକୁ ସହଜ କରିବା ସହ ଅର୍ଥନୈତିକ ବିକାଶକୁ ଗତିଶୀଳ କରିବ।




















