ୟୁଏସ୍ ସିନେଟର କ୍ରିସ୍ ମର୍ଫି ଯୁକ୍ତରାଷ୍ଟ୍ର ପ୍ରେସିଡେଣ୍ଟ ଡୋନାଲ୍ଡ ଟ୍ରମ୍ପଙ୍କ ଇରାନ୍ ଯୁଦ୍ଧ ନୀତିକୁ ତୀବ୍ର ସମାଲୋଚନା କରି ଏହାକୁ “ପାଗଳାମି (Insanity)” ବୋଲି କହିଛନ୍ତି। ସିନେଟର ମର୍ଫି କହିଛନ୍ତି ଯେ, ଯୁଦ୍ଧ ଆରମ୍ଭ ହେବା ପୂର୍ବରୁ ହର୍ମୁଜ୍ ପ୍ରଣାଳୀ ପୂରା ଖୋଲା ଥିଲା ଏବଂ ସବୁ ଜାହାଜ ସ୍ୱାଧୀନ ଭାବେ ଯାତାୟାତ କରୁଥିଲେ।
କିନ୍ତୁ ଟ୍ରମ୍ପଙ୍କ ଯୁଦ୍ଧ ନୀତି ଯୋଗୁଁ ଏହି ପ୍ରଣାଳୀ ବନ୍ଦ ହୋଇଛି। ବର୍ତ୍ତମାନ ସେହି ସମସ୍ୟାର ସମାଧାନ ପାଇଁ ଯୁକ୍ତରାଷ୍ଟ୍ର ପ୍ରତିଦିନ ୨ ବିଲିୟନ୍ ଡଲାର୍ ଖର୍ଚ୍ଚ କରୁଛି। ଇରାନ୍ ଏବେ ହର୍ମୁଜ୍ ପ୍ରଣାଳୀ ଦେଇ ଯାଉଥିବା ଜାହାଜଗୁଡ଼ିକୁ ପାସ୍ କରିବା ପାଇଁ ବିରାଟ ଫି (ଟ୍ୟାକ୍ସ) ଲଗାଇବାର ନିଷ୍ପତ୍ତି ନେଇଛି। ଏହା ଯୋଗୁଁ ବିଶ୍ୱର ତୈଳ ଯୋଗାଣ ଏବଂ ମୂଲ୍ୟ ଉପରେ ବଡ଼ ପ୍ରଭାବ ପଡ଼ିପାରେ।
ସିନେଟର ମର୍ଫିଙ୍କ କହିବା କଥା ହେଉଛି , “ହର୍ମୁଜ୍ ଯୁଦ୍ଧ ପୂର୍ବରୁ ଖୋଲା ଥିଲା। ଆମେ ଏବେ ନିଜେ ସୃଷ୍ଟି କରିଥିବା ସମସ୍ୟାର ସମାଧାନ ପାଇଁ ୨ ବିଲିୟନ୍ ଡଲାର୍ ଖର୍ଚ୍ଚ କରୁଛୁ। ଏହା ପାଗଳାମି।”ସେ ଆହୁରି କହିଛନ୍ତି ଯେ, ଏହି ଯୁଦ୍ଧରେ ଯୁକ୍ତରାଷ୍ଟ୍ରର ଅନେକ ସୈନିକଙ୍କ ମୃତ୍ୟୁ ହୋଇଛି ଏବଂ ପରିବାରଗୁଡ଼ିକ ଶୋକରେ ଅଛନ୍ତି।
ଏହି ଘଟଣା ଯୋଗୁଁ ବିଶ୍ୱ ତୈଳ ବଜାରରେ ଅସ୍ଥିରତା ବଢ଼ିଛି ଏବଂ ଭାରତ ସମେତ ଅନେକ ଦେଶ ହର୍ମୁଜ୍ ପ୍ରଣାଳୀ ଉପରେ ନିର୍ଭର କରୁଥିବାରୁ ଚିନ୍ତା ବଢ଼ିଛି। ବର୍ତ୍ତମାନ ଇରାନ୍-ଯୁକ୍ତରାଷ୍ଟ୍ର-ଇସ୍ରାଏଲ୍ ଯୁଦ୍ଧ ଏବଂ ହର୍ମୁଜ୍ ପ୍ରଣାଳୀର ସ୍ଥିତି ନେଇ ଆନ୍ତର୍ଜାତିକ ସ୍ତରରେ ବିବାଦ ଜାରି ରହିଛି।










