ପାକିସ୍ତାନର ଇସଲାମାବାଦରେ ଆମେରିକା ସହ ହୋଇଥିବା ଶାନ୍ତି ଆଲୋଚନା ବିଫଳ ହେବା ପରେ ଇରାନ୍ ପ୍ରତିନିଧି ଦଳର ବିମାନକୁ ଉଡାଇଦିଆଯିବାକୁ ଧମକ ମିଳିଥିଲା । ଏହି ଧମକ ପରେ ଦଳ ତା’ର ଫେରନ୍ତା ଯାତ୍ରାରେ ବିମାନ ବଦଳାଇ ବସ୍ ଏବଂ ଟ୍ରେନ୍ ମାଧ୍ୟମରେ ତେହେରାନ୍ ଫେରିଥିବା ଜଣାପଡ଼ିଛି।
ତେହେରାନ୍ ବିଶ୍ୱବିଦ୍ୟାଳୟର ପ୍ରଫେସର ଏବଂ ଇରାନ୍ ପ୍ରତିନିଧି ଦଳର ସଦସ୍ୟ ମହମ୍ମଦ ମରନ୍ଦି କହିଛନ୍ତି ଯେ, ଇସଲାମାବାଦ ଯାତ୍ରାରେ ପ୍ରତିନିଧି ଦଳକୁ ସିଧାସଳଖ ସୁରକ୍ଷା ଧମକ ମିଳିଥିଲା। ସେ କହିଛନ୍ତି, “ଆମ ବିମାନକୁ ଆକ୍ରମଣ ହୋଇପାରେ ବୋଲି ସିଧା ଧମକ ଆସିଥିଲା। ଏହା ପରେ ଫେରିବା ସମୟରେ ଦଳ ଗୁପ୍ତଭାବେ ବିମାନ ବଦଳାଇଥିଲା।”ସୂଚନା ଅନୁଯାୟୀ, ଇରାନ୍ ପ୍ରତିନିଧି ଦଳ ବିମାନର ଗତିପଥ ବଦଳାଇ ମଶ୍ହଦ୍ରେ ଅବତରଣ କରିଥିଲା।
ସେଠାରୁ ଦଳର ସଦସ୍ୟମାନେ ଟ୍ରେନ୍, ବସ୍ ଏବଂ ରାସ୍ତା ମାଧ୍ୟମରେ ବିଭିନ୍ନ ପର୍ଯ୍ୟାୟରେ ତେହେରାନ୍ ପହଞ୍ଚିଥିଲେ। ଏହି ଅସ୍ୱାଭାବିକ ଯାତ୍ରା ସୁରକ୍ଷା ଆଶଙ୍କାକୁ ସ୍ପଷ୍ଟ କରୁଛି। ଇରାନ୍ ପକ୍ଷରୁ କୁହାଯାଇଛି ଯେ, ଏହି ଧମକ ଆମେରିକା ପକ୍ଷରୁ ଆସିଥିବା ସମ୍ଭାବନା ରହିଛି ଏବଂ ଏହା ବର୍ତ୍ତମାନ ଚାଲିଥିବା ଯୁଦ୍ଧ ପରିସ୍ଥିତି ଓ ଟ୍ରମ୍ପ ପ୍ରଶାସନର କଠୋର ମନୋଭାବକୁ ପ୍ରତିଫଳିତ କରୁଛି।
ତଥାପି ଉଭୟ ପକ୍ଷ ମଧ୍ୟରେ ଆଗାମୀ ଦୁଇ ଦିନ ମଧ୍ୟରେ ଇସଲାମାବାଦରେ ଦ୍ୱିତୀୟ ପର୍ଯ୍ୟାୟ ଆଲୋଚନା ହୋଇପାରେ ବୋଲି ଆଶା କରାଯାଉଛି।ଏହି ଘଟଣା ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନାକୁ ଆହୁରି ବଢ଼ାଇଛି ଏବଂ କୂଟନୀତିକ ଆଲୋଚନା ମଧ୍ୟରେ ସୁରକ୍ଷା ପ୍ରସଙ୍ଗକୁ ନେଇ ପ୍ରଶ୍ନ ଉଠାଇଛି।
