ଆଜି ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବେ ବିଜୟ । ତାମିଲନାଡୁର ନୂଆ ମୁଖ୍ୟମନ୍ତ୍ରୀ ସି. ଜୋସେଫ୍ ବିଜୟ ବିଧାନସଭାରେ ନିଜର ସଂଖ୍ୟା ଗରିଷ୍ଠତା ପ୍ରମାଣ କରିବେ । ଏହା ପୂର୍ବରୁ ଗତକାଲି ସେ AIADMKର ବିଦ୍ରୋହୀ ଗୋଷ୍ଠୀର ପ୍ରମୁଖ ନେତା ସି.ଭି. ଷଣ୍ମୁଗମ ଓ ଏସପି. ଭେଲୁମଣିଙ୍କୁ ଭେଟି ସମସ୍ତଙ୍କୁ ଚକିତ କରିଦେଇଛନ୍ତି । AIADMK ର ପ୍ରାୟ ୪୭ ଜଣ ବିଧାୟକଙ୍କ ମଧ୍ୟରୁ ୩୦ ଜଣ ବିଦ୍ରୋହୀ ହୋଇ ବିଜୟଙ୍କ ସରକାରକୁ ସମର୍ଥନ କରିବାକୁ ଘୋଷଣା କରିଛନ୍ତି । “ଜନମତକୁ ସମ୍ମାନ ଜଣାଇବା ଓ ରାଜ୍ୟରେ ସ୍ଥିର ସରକାର ଗଢ଼ିବା ପାଇଁ TVKକୁ ସମର୍ଥନ କରିବେ ବୋଲି କହିଛନ୍ତି। ବିଦ୍ରୋହୀ ଗୋଷ୍ଠୀ ଏସ.ପି. ଭେଲୁମଣିଙ୍କୁ ସେମାନଙ୍କ ବିଧାୟକ ଦଳ ନେତା ଭାବେ ନିର୍ବାଚିତ କରିଛନ୍ତି । ଏହି ପଦକ୍ଷେପ ପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଏଡାପାଡି ପାଲାନିସ୍ୱାମୀଙ୍କ ଶିବିରରେ କମ୍ପନ ସୃଷ୍ଟି ହୋଇଛି। ସେ ଏହି ବିଦ୍ରୋହୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଚେତାବନୀ ଦେଇଛନ୍ତି। ତେବେ ୨୩୪ ଆସନ ବିଶିଷ୍ଟ ତାମିଲନାଡୁ ବିଧାନସଭାରେ ମ୍ୟାଜିକ ନମ୍ବର ହେଉଛି ୧୧୮ ।
ବିଦ୍ରୋହୀ AIADMK ବିଧାୟକଙ୍କ ସମର୍ଥନ ପରେ ବିଜୟଙ୍କ ସରକାର ପାଖରେ ସଂଖ୍ୟା ୧୫୦ ଅତିକ୍ରମ କରିବା ପରି ମନେହେଉଛି । ଛୋଟ ଅସୁବିଧା ହେଉଛି, ତିରୁପତ୍ତୁର ବିଧାୟକ ଶ୍ରୀନିବାସ ସେଥୁପାଥିଙ୍କ ଭୋଟ୍ ଦାନ ଉପରେ ହାଇକୋର୍ଟ ରୋକ ଲଗାଇଛନ୍ତି। କେବଳ AIADMK ନୁହେଁ, ବିଜୟ ଅନ୍ୟାନ୍ୟ ସହଯୋଗୀ ଦଳ ଯଥା IUML, କଂଗ୍ରେସ ଓ PMK ନେତାଙ୍କ ସହ ମଧ୍ୟ ସମ୍ପର୍କ ରଖିଛନ୍ତି। ଏମିତିକି ସେ ଡିଏମକେ ନେତା ଏମ.କେ. ଷ୍ଟାଲିନଙ୍କୁ ମଧ୍ୟ ଭେଟିଛନ୍ତି । ଆଜି ଫ୍ଲୋର ଟେଷ୍ଟ କେବଳ ଏକ ସାଧାରଣ ପ୍ରକ୍ରିୟା ନୁହେଁ ବରଂ ତାମିଲନାଡୁ ରାଜନୀତିରେ ଦ୍ରାବିଡ଼ ଦଳଗୁଡ଼ିକର ଏକାଧିକାର ଭାଙ୍ଗିବାର ଏକ ବଡ଼ ପରୀକ୍ଷା ।
