ଆମେରିକାର ହ୍ବାଇଟ ହାଉସରୁ ଯେଉଁ ନିଷ୍ପତ୍ତି ଡୋନାଲ୍ଡ ଟ୍ରମ୍ପ ନେଉଛନ୍ତି । ତାର ପ୍ରଭାବ ଓଡ଼ିଶାର ବାଲେଶ୍ବର ଆଉ ଅସ୍ତରଙ୍ଗରେ କିଭଳି ପଡ଼ୁଛି ଏହାର ଅନୁଧ୍ୟାନ ଜରୁରୀ । ଆମେରିକାର 50 ପ୍ରତିଶତ ଟାରିଫ ଭାରତ ଉପମହାଦେଶରେ ଏକ ଅର୍ଥନୈତିକ ସଂକଟ ସୃଷ୍ଟି କରିବ କି ? ଏହାକୁ ନେଇ ଅନେକ ଆଲୋଚନା ଜାରି ରହିଛି । ନରେନ୍ଦ୍ର ମୋଦି କହୁଛନ୍ତି ଭାରତରେ ଚକ୍ରଧାରୀ କୃଷ୍ଣ ଆଉ ଚରଖାଧାରୀ ଗାନ୍ଧୀ ଏହି ଦୁଇ ଜଣଙ୍କୁ ଆଦର୍ଶ ମନାଯାଏ । ଚରଖାଧାରୀ ଗାନ୍ଧୀ ହେଉଛନ୍ତି ସ୍ବଦେଶୀ ଆନ୍ଦୋଳନର ପ୍ରତୀକ । ଯିଏ ଆଣ୍ଠୁ ଲୁଚୁନଥିବା ଲୁଗା ପିନ୍ଧୁଥିଲେ । ଯାହାକୁ ଦେଶୀ ବୁଣାକାରମାନେ ବୁଣୁଥିଲେ । ଯିଏ ଲୁଣ ମାରିବା ପାଇଁ ଦାଣ୍ଡି ଯାତ୍ରା କରୁଥିଲେ । ଅର୍ଥାତ ବ୍ରିଟିଶ ଲୁଣ ଆମେ ଖାଇବୁ ନାହିଁ କହୁଥିଲେ । ଚରଖାରେ ଲୁଗା ବୁଣୁଥିଲେ ଅର୍ଥାତ ବିଦେଶରୁ ଆସୁଥିବା ଲୁଗାକୁ ଆମେ କିଣିବୁ ନାହିଁ ।
ଆମେରିକାର ଟାରିଫ ମାଡ଼ ଭିତରେ ଗାନ୍ଧି ମନେ ପଡ଼ନ୍ତି । ଆମ ଦେଶର ବ୍ୟବସାୟୀ, କ୍ଷୁଦ୍ର ଶିଳ୍ପ ଆଉ କଂପାନିମାନଙ୍କ କଥା ଏବେ ବେଶୀ ମନେପକାଯାଉଛି । ମୋଦି ଆମକୁ ସ୍ବଦେଶୀ କଥା କହୁଛନ୍ତି । ଓଡ଼ିଶାର ଜଣାଶୁଣା ଶିଳ୍ପପତି ତାରା ରଂଜନ ପଟ୍ଟନାୟକ । ଯାହାଙ୍କର କଂପାନି ହେଉଛି ଫାଲକନ । ଯେ ବିଦେଶକୁ ଚିଙ୍ଗୁଡି ରପ୍ତାନି କରନ୍ତି । ତାଙ୍କ ଚିଙ୍ଗୁଡି ଆମେରିକା ଯାଏ । ବାଲେଶ୍ବର ଆଉ କାକଟପୁରର ଅନେକ ତାଙ୍କ ଚିଙ୍ଗୁଡି କଂପାନିରେ କାମ କରନ୍ତି । ଏବେ ଟ୍ରମ୍ପଙ୍କର ଟାରିଫ ଏମାନଙ୍କ ଉପରେ ବୋଝ ହୋଇପାରେ । କିଏ ଜାଣିଛି କାହାର ଚାକିରି ଯିବ । କାହାର ବ୍ୟବସାୟ ପ୍ରଭାବିତ ହେବ । ଆଉ ଏ ବିବାଦ କୁଆଡ଼େ ପହଁଚିବ ।
ଖବର ଆସୁଛି ମୋଦିଙ୍କୁ ଟ୍ରମ୍ପ ଫୋନ କରୁଛନ୍ତି । ଟ୍ରମ୍ପଙ୍କର ଚାରିଚାରିଥର ଫୋନକୁ ମୋଦି ଉଠାଉନାହାଁନ୍ତି । ଆଉ ଭାରତ ଉପରେ 25 ପ୍ରତିଶତ ଟାରିଫ ସହିତ ରଷିଆରୁ ତେଲ ଆମଦାନୀ ପାଇଁ ଆଉ 25 ପ୍ରତିଶତ ଟାରିଫ ମିଶାଇ 50 ପ୍ରତିଶତ ଟାରିଫ ଆଜିଠୁ ଲାଗିଛି । ଅର୍ଥାତ ଆମେରିକା ବଜାରକୁ ଯେଉଁମାନେ ଭାରତରୁ କୈାଣସି ସାମଗ୍ରୀ ପଠାଇବେ ତାହାର ଦର ଅତ୍ୟଧିକ ବଢ଼ିଯିବ । ଆମେରିକାର ଲୋକ ଭାରତ ପଠାଉଥିବା ବ୍ୟବହାର ନକରି ଭିଏତନାମ ଆଉ ଇଣ୍ଡୋନିସିଆରୁ ଆସିଥିବା କମ ଦାମର ସାମଗ୍ରୀ କିଣିବେ । ଆଉ ଏତିକି ବେଳେ ଓଡ଼ିଶା ସମେତ ସାରା ଭାରତ ବର୍ଷର ବ୍ୟବସାୟୀମାନେ ପ୍ରଭାବିତ ହେବେ ।
ଓଡ଼ିଶାର ତାରା ରଂଜନ ପଟ୍ଟନାୟକ ହୁଅନ୍ତୁ ବା ଗୁଜରାଟର ଅଳଙ୍କାର ବ୍ୟବସାୟୀ ହୁଅନ୍ତୁ । ଏମାନଙ୍କୁ ଆଉ ଏକ ମାର୍କେଟ ଖୋଜିବାକୁ ପଡ଼ିବ । ବ୍ୟବସାୟରେ କେବଳ ଜଣଙ୍କର ଲାଭ ବା କ୍ଷତି ହୁଏ ନାହିଁ । ଗୋଟିଏ ବ୍ୟବସାୟ ସହ ଅନେକ ପ୍ରକାର ଲୋକ ସଂପୃକ୍ତ ଥାଆନ୍ତି । କର୍ମଚାରୀଙ୍କଠାରୁ ଆରମ୍ଭ କରି କଂଚା ମାଲ ଦେଉଥିବା ଛୋଟ ବ୍ୟବସାୟୀ, ଏହି ସବୁ ବ୍ୟବସାୟକୁ ଆଧାର କରି ଗଢ଼ିଉଠିଥିବା ଛୋଟ ବଡ଼ ମାର୍କେଟ । ସମସ୍ତଙ୍କ ପାଇଁ ସମାନ ଦଶା ହେବ ।
ଦର୍ଶକ ବନ୍ଧୁ ଆପଣମାନେ ଜାଣନ୍ତି ଓଡ଼ିଶାର ଅର୍ଥନୀତି କୃଷି ଆଉ ଖଣିଜ ଦ୍ରବ୍ୟ ଉପରେ ନିର୍ଭରଶୀଳ। ୨୦୨୪-୨୫ରେ ଓଡ଼ିଶା ରପ୍ତାନୀ କ୍ଷେତ୍ରରେ ୧୭୦ ମିଲିୟନ୍ ଡଲାର୍ ପ୍ରାୟ ୧୪୨୦ କୋଟି ଆୟ କରିଥିଲା । ଯାହାର ୯୯.୫% ପ୍ରତିଶତ ଚିଙ୍ଗୁଡ଼ି ବ୍ୟବସାୟରୁ ହୋଇଥିଲା । କେବଳ ଓଡ଼ିଶାରୁ ଆମେରିକାକୁ ୩୦ ପ୍ରତିଶତରୁ ଅଧିକ ଚିଙ୍ଗୁଡ଼ି ରପ୍ତାନୀ ହୁଏ। ୫୦ପ୍ରତିଶତ ଟାରିଫ୍ ଯୋଗୁଁ ଆମେରିକାରେ ଓଡ଼ିଶା ଚିଙ୍ଗୁଡି ଅଧିକ ବିକ୍ରି ହେବ ନାହିଁ । ଯାହା ଫଳରେ ରପ୍ତାନୀ ୪୦ରୁ ୫୦ପ୍ରତିଶତ ହ୍ରାସ ପାଇବ । ଯାହାକି ହାରାହାରି 400 କୋଟିରୁ ଅଧିକ କ୍ଷତି ହେବ । ରପ୍ତାନୀ କ୍ଷତି ପାଇଁ ଓଡ଼ିଶାର ରାଜସ୍ବ ୦.୨ ପ୍ରତିଶତରୁ ୫% ପ୍ରତିଶତକୁ ହ୍ରାସ ପାଇବାର ସଂଭାବନା ରହିଛି ।
ଏନେଇ ଚିନ୍ତା ବ୍ୟକ୍ତ କରିଛନ୍ତି ଆମେରିକାକୁ ଚିଙ୍ଗୁଡି ରପ୍ତାନୀ କରୁଥିବା ଫାଲକନ୍ ମାରିନ୍ ଏକ୍ସପୋର୍ଟସର ଅଧ୍ୟକ୍ଷ ତାରା ରଞ୍ଜନ ପଟ୍ଟନାୟକ । ସେ କହିଛନ୍ତି ତାଙ୍କ କମ୍ପାନି ଆମେରିକାକୁ ଚିଙ୍ଗୁଡ଼ି ରପ୍ତାନୀ କରିବାରେ ଏବେ ସଂକଟର ସମ୍ମୁଖୀନ ହୋଇଛି । ଫାଲକନ ମାରିନ ପ୍ରତିବର୍ଷ ୧୭୦ ନିୟୁତ ଡଲାର ମୂଲ୍ୟର ସାମୁଦ୍ରିକ ଖାଦ୍ୟ ଆମେରିକାକୁ ପଠାଇଥାଏ । ଏବେ ଆଉ ଏତେ ପରିମାଣର ଚିଙ୍ଗୁଡି ରପ୍ତାନି ହେବ ନାହିଁ । ଯାହାରା ପ୍ରଭାବ କର୍ମଚାରୀ ଛଟେଇ ହେବ । କାରଣ ବାଲେଶ୍ବର ଉପକୂଳ ଅଂଚଳର ହଜାର ହଜାର ପରିବାରଙ୍କୁ ଚିଙ୍ଗୁଡି ବ୍ୟବସାୟରେ ନିଯୁକ୍ତି ମିଳିଛି । ତାଙ୍କ କହିବା କଥା ଆମେରିକା “ଇଣ୍ଡୋନେସିଆ ପାଇଁ ୧୯% ଟାରିଫ, ଭିଏତନାମ ପାଇଁ ୨୦% ଟାରିଫ ଲଗାଇଛି । ଏମାନେ ଏବେ ଆମର ଚିଙ୍ଗୁଡ଼ି ବ୍ୟବସାୟ ପାଇଁ ବଡ଼ ପ୍ରତିଦ୍ୱନ୍ଦ୍ୱୀ ହୋଇଛନ୍ତି । ଇକ୍ୱେଡର ପାଇଁ ଆମେରିକା ୧୦% ପ୍ରତିଶତ ଟାରିଫ ଲଗାଇଛି । ଇକ୍ବେଡର ଆମର ବଡ଼ ପ୍ରତିଦ୍ବନ୍ଦୀ ହେବ ବୋଲି କହିଛନ୍ତି ତାରା ପଟ୍ଟନାୟକ । ୫୦% ଟାରିଫ୍ ଯୋଗୁଁ ଆମେରିକାନ୍ ଆମଦାନିକାରୀମାନେ ଏବେ ଓଡ଼ିଶା ଅପେକ୍ଷା ଇକ୍ୱାଡୋର୍ ରୁ ଚିଙ୍ଗୁଡି କିଣୁଛନ୍ତି । ଯାହା ଫଳରେ ଓଡ଼ିଶାର ଚିଙ୍ଗୁଡ଼ି ଚାଷରେ କାମ କରୁଥିବା ୧୦,୦୦୦ ଲୋକ ନିଯୁକ୍ତି ହରାଇବାର ଆଶଙ୍କା ରହିଛି ।
ରପ୍ତାନୀ କ୍ଷେତ୍ରରେ ଟେକସଟାଇଲ ଶିଳ୍ପର ଓଡ଼ିଶା ଭାଗିଦାର ୫୦-୭୦ ମିଲିୟନ୍ ଡଲାର୍ ରହିଛି । ଯାହା ଏବେ ୨୦ରୁ ୩୦ ପ୍ରତିଶତ ହ୍ରାସ ପାଇପାରେ | ଆମେରିକା ଆମଦାନିକାରୀମାନେ ବାଙ୍ଗଲାଦେଶ୍/ଭିଏତନାମରୁ ଟେକସଟାଇଲ ସାମଗ୍ରୀ କମ ଟିକସ ଯୋଗୁ କିଣିବେ । ଏଥିରେ ମଧ୍ୟ ଓଡ଼ିଶାର ବ୍ୟବସାୟୀ, ଶ୍ରମିକ କ୍ଷତି ସହିବେ । ଟେକ୍ସଟାଇଲ ରପ୍ତାନୀ କମିଲେ ୫,୦୦୦ରୁ ଅଧିକ ନିଯୁକ୍ତି କମିବ ।
ସେହିଭଳି ଆମେରିକା ସହ ଷ୍ଟିଲ ରପ୍ତାନୀ ବ୍ୟବସାୟ ୧୦୦ ମିଲିୟନ୍ ଡଲାରରୁ ଅଧିକ | ଟାରିଫ ବୃଦ୍ଧି ଯୋଗୁ ୩୫-୪୫% ପ୍ରତିଶତ ହ୍ରାସ ପାଇବ | ଓଡ଼ିଶାର ଷ୍ଟିଲ୍ ପ୍ଲାଣ୍ଟ୍ ପ୍ରଭାବିତ ହେବ । ଶ୍ରମିକମାନେ କ୍ଷତି ସହିବେ । ଉତ୍ପାଦନ ହ୍ରାସ ପାଇଲେ ୨,୦୦୦-୩,୦୦୦ ନିଯୁକ୍ତି ହ୍ରାସ ପାଇବ । ଓଡ଼ିଶା ଶହ ଶହ କୋଟିରୁ ଅଧିକ ରାଜସ୍ବ ହରାଇବ ।
ଆମେରିକା ସହ ଅଟୋ ମୋବାଇଲ କମ୍ପୋନେଣ୍ଟ୍ ବ୍ୟବସାୟ ୩୦ରୁ ୫୦ ମିଲିୟନ୍ ଡଲାର୍ । ଉଚ୍ଚ ଟାରିଫ ପରେ ଓଡ଼ିଶାର ଆଟୋ ସପ୍ଲାଏ ଚେନ୍ ପ୍ରଭାବିତ। ହେବ । ଓଡ଼ିଶାରୁ ଲେଦର୍, କେମିକାଲ୍ ରପ୍ତାନୀ ବ୍ୟବସାୟ ୨୦ରୁ ୪୦ ମିଲିୟନ୍ ଡଲାର୍ । ଯାହାର ରପ୍ତାନୀ ଆଗାମୀ ଦିନରେ କମିବ ।
ଭାରତ-ଆମେରିକା ଟ୍ରେଡ୍ ଡିଲ୍ ଯଦି ସଫଳ ହୁଏ । ତେବେ ଟାରିଫ 50 ପ୍ରତିଶତରୁ କମି ୧୫ରୁ୨୦ ପ୍ରତିଶତକୁ ହ୍ରାସ ପାଇବ । ଯଦି ନହୁଏ ତାରା ପଟ୍ଟନାୟକଙ୍କ ଭଳି ଶିଳ୍ପପତିମାନେ ସଙ୍କଟକୁ ମୁକାବିଲା କରିବାରେ ଅସମର୍ଥ ହେବେ । ସେମାନେ ଭାରତୀୟ ବଜାର ଉପରେ ନିର୍ଭର କରିବେ । ମୋଦିଙ୍କ ସ୍ବଦେଶୀ ବାର୍ତ୍ତାକୁ ଗ୍ରହଣ କରିବେ । ତେବେ କଥା ଉଠୁଛି ଓଡ଼ିଶାରେ ଏବଂ ଭାରତରେ ଲୋକମାନେ ଅଧିକ ସାମୁଦ୍ରିକ ଚିଙ୍ଗୁଡି କିଣି ଖାଇବେ କି ? କାରଣ ଚିଙ୍ଗୁଡି କିଲୋ 300ରୁ 500 ଟଙ୍କା ଦେଇ ଆମ ଲୋକଙ୍କୁ କିଣିବାକୁ ପଡ଼ିବ ।
ତାରାଙ୍କ ପାଇଁ, ସ୍ବଦେଶୀ ବଜାର ଅର୍ଥ ହେଉଛି ଭାରତର ବିଭିନ୍ନ ସହରରେ ଥିବା ବଜାରକୁ ଚିଙ୍ଗୁଡି ବିକିବାକୁ ବ୍ୟବହାର କରିବା। ତାଙ୍କ କମ୍ପାନୀ ଏବେ ସ୍ଥାନୀୟ ଖୁଚୁରା ବ୍ୟବସାୟୀ ଏବଂ ସ୍ୱିଗି ଭଳି ଦ୍ରୁତ-ବାଣିଜ୍ୟ ପ୍ଲାଟଫର୍ମକୁ ଚିଙ୍ଗୁଡ଼ି ଯୋଗାଣ କରୁଛି । ଯେଉଁଠାରେ ସାମୁଦ୍ରିକ ଚିଙ୍ଗୁଡି ଖାଦ୍ୟର ଚାହିଦା ବୃଦ୍ଧି ପାଉଛି। ଇଣ୍ଡିଆ SME ଫୋରମ୍ ଆକଳନ କରୁଛି ଯେ ଘରୋଇ ବଜାରରେ ଚିଙ୍ଗୁଡିର ବ୍ୟବହାର ଆମେରିକାକୁ ରପ୍ତାନି କ୍ଷତିର 30% ପୂରଣ କରିପାରିବ। ଆଉ 70 ପ୍ରତିଶତ ରପ୍ତାନୀ କ୍ଷତି କିପରି ଭରଣା ହେବ ତାହା ସମୟ କହିବ ।