ଏସିଆ କପ୍ ବିଜୟ ପରେ ଭାରତୀୟ କ୍ରିକେଟ୍ ଦଳକୁ ଅସମ୍ମାନ କରିଛି ଏସୀୟ କ୍ରିକେଟ୍ ପରିଷଦ (ଏସିସି) । ଏପରିକି ଟ୍ରଫି ପ୍ରଦାନରୁ ବଞ୍ଚିତ ରଖିବାର ବିବାଦ ଚର୍ଚ୍ଚାରେ ରହିଛି। ଏହି ଘଟଣା ଭାରତ ଓ ପାକିସ୍ତାନ ମଧ୍ୟରେ ରାଜନୈତିକ ପାର୍ଥକ୍ୟକୁ ଆହୁରି ସ୍ପଷ୍ଟ କରିଛି। ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଏସିଆ କପ୍ରୁ ଅର୍ଜିତ ସମସ୍ତ ରୋଜଗାର ଭାରତୀୟ ସେନାଙ୍କୁ ଦାନ କରିବାକୁ ଘୋଷଣା କରିଥିଲେ । ଯାହା ଦେଶପ୍ରେମ ଓ ସମାଜ ପ୍ରତି ଦାୟିତ୍ବବୋଧର ପରିଚୟ ଦେଇଛି। ଅନ୍ୟପକ୍ଷରେ, ପାକିସ୍ତାନ ଅଧିନାୟକ ସଲମାନ୍ ଅଲୀ ଆଘା ତାଙ୍କ ଦଳର ରୋଜଗାର ଭାରତର ‘ଅପରେସନ୍ ସିନ୍ଦୂର’ରେ ପ୍ରଭାବିତ ପାକିସ୍ତାନୀ ନାଗରିକ ଓ ଆତଙ୍କୀ ପରିବାରଙ୍କୁ ଦେବାକୁ ଘୋଷଣା କରିଛନ୍ତି । ଯାହା ବିବାଦକୁ ଆହୁରି ଉତ୍ତେଜିତ କରିଛି।
ଏହି ଦୁଇ ଖେଳାଳିଙ୍କ ନିଷ୍ପତ୍ତି ଉଭୟ ଦେଶର ଭିନ୍ନ ମାନସିକତା ଓ ରାଜନୈତିକ ଦୃଷ୍ଟିକୋଣକୁ ସାମ୍ନାକୁ ଆଣିଛି। ଭାରତୀୟ ଦଳ ପୂର୍ବରୁ ସ୍ପଷ୍ଟ କରିଥିଲା ଯେ ସେମାନେ ପାକିସ୍ତାନର ଆଭ୍ୟନ୍ତରୀଣ ମନ୍ତ୍ରୀ ତଥା ଏସିସି ଅଧ୍ୟକ୍ଷ ମୋହସିନ୍ ନକ୍ଭୀଙ୍କଠାରୁ ଟ୍ରଫି ଗ୍ରହଣ କରିବେ ନାହିଁ। କିନ୍ତୁ ଏସିସି ଅନ୍ୟ କୌଣସି ବ୍ୟକ୍ତି ମାଧ୍ୟମରେ ଟ୍ରଫି ପ୍ରଦାନ କଲା ନାହିଁ କାହିଁକି ? । ଏହାର ପ୍ରତିବାଦରେ ବିସିସିଆଇ ଆଇସିସି ନିକଟରେ ଦୃଢ଼ ପଦକ୍ଷେପ ନେବାକୁ ନିଷ୍ପତ୍ତି ନେଇଛି। ଏହି ଘଟଣା କ୍ରିକେଟ୍କୁ ରାଜନୀତି ସହ ମିଶାଇବାର ଅଭିଯୋଗକୁ ଆହୁରି ଜୋରଦାର କରିଛି। ଏହା ଦୁଇ ଦେଶ ମଧ୍ୟରେ ସମ୍ପର୍କରେ ଅନିଶ୍ଚିତତା ସୃଷ୍ଟି କରିବା ସହ କ୍ରୀଡ଼ା ଭାବନାର ପ୍ରକୃତ ମହତ୍ତ୍ବକୁ ନେଇ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି ।