ବିହାର ନିର୍ବାଚନ ପାଖେଇ ଆସୁଛି । ଏଥର କିଏ ରାଜ୍ୟରେ ସରକାର ଗଠନ କରିବ ତାକୁ ନେଇ ବେଶୀ ଆଲୋଚନା ହେଉଛି । ପ୍ରଶାନ୍ତ କିଶୋର(ପିକେ)ଙ୍କ ଜନ ସୁରାଜ ଦଳ ଭୋଟ ବିଭାଜନର ବଡ଼ କାରଣ ହୋଇଛି । ବିଭିନ୍ନ ଦଳର ନେତାମାନେ ଏହି କଥା କହୁଛନ୍ତି । ପିକେ କହୁଛନ୍ତି ଜନ ସୁରାଜ ବହୁସଂଖ୍ୟାରେ ଜିତିବ। ଏପରିକି ସରକାର ଗଢ଼ିବ । ଯଦିଓ ଜନସୁରାଜ ସରକାର ଗଠନ କରିପାରିବ ନାହିଁ କିନ୍ତୁ ଭୋଟ କାଟିବ । ତେବେ ବଡ଼ ପ୍ରଶ୍ନ ହେଉଛି ଏହା କେବଳ ଭୋଟ୍ କାଟିବ? ନା ନୀତିଶ ସରକାରଙ୍କୁ କ୍ଷତି ଘଟାଇବ ।
୨୪୩ ସଦସ୍ୟ ବିଶିଷ୍ଟ ବିହାର ବିଧାନସଭାରେ ଜନ ସୁରାଜ ସଂଖ୍ୟାଗରିଷ୍ଠତା ହାସଲ କରିବ ବୋଲି ପ୍ରଶାନ୍ତ କିଶୋର ଦାବି କରିଛନ୍ତି। ତେବେ ପ୍ରାକ୍ ନିର୍ବାଚନୀ ସର୍ଭେରୁ ଜଣାପଡିଛି ଯେ, ସେ ହୁଏତ କିଛି ଆସନ ହାସଲ କରିପାରନ୍ତି। ବିହାର ବିଧାନସଭା ନିର୍ବାଚନ ପାଇଁ ନଭେମ୍ବର ୬ ଓ ୧୧ରେ ଦୁଇଟି ପର୍ଯ୍ୟାୟରେ ମତଦାନ ହେବ ଏବଂ ନଭେମ୍ବର ୧୪ରେ ଫଳାଫଳ ଘୋଷଣା କରାଯିବ। ତେଣୁ ସବୁ ଦଳ ଏବେ ମଇଦାନକୁ ଓହ୍ଲାଇ ରଣନୀତି କରୁଛନ୍ତି । ତେଜସ୍ୱୀ ଯାଦବ କହୁଛନ୍ତି ତାଙ୍କ ଦଳ ସରକାର ଗଠନ କରିବ । ଦିନେ ଦୁଇଦିନ ମଧ୍ୟରେ ମହାଗଠବନ୍ଧନ ଆସନ ଘୋଷଣା କରିବ । ମହାଗଠବନ୍ଧନର ମୁଖ୍ୟମନ୍ତ୍ରୀ ଚେହେରା କିଏ ତାକୁ ନେଇ ମଧ୍ୟ ସ୍ପଷ୍ଟ ହୋଇପାରୁନାହିଁ । ତେଜସ୍ୱୀଙ୍କ ନାଁରେ ବିଧିବଦ୍ଧ ମୋହର ବାଜିନାହିଁ । ରାହୁଲଙ୍କ ମାରାଥନ ରାଲି ପରେ କଂଗ୍ରେସ ଅଧିକ ଆସନ ଚାହୁଁଛି । ତେଣୁ ତେଜସ୍ବୀ କେତେ ଆସନ କଂଗ୍ରେସକୁ ଦେଉଛନ୍ତି ତାହା ଦେଖିବା କଥା ।
ଏନଡିଏ ଶିବିରରେ ଘନ ଘନ ବୈଠକ ଚାଲିଛି । ବିଜେପିର ନିର୍ବାଚନ ପ୍ରଭାରୀ ଧମେନ୍ଦ୍ର ପ୍ରଧାନ ବିହାରରେ ଡେରା ପକାଇଛନ୍ତି । ବିହାର ବିଜେପି ରାଜ୍ୟ ପ୍ରଭାରୀ ବିନୋଦ ତାୱଡ଼େ ଚିରାଗଙ୍କ ଘରକୁ ଯାଇ ସାକ୍ଷାତ କରିଛନ୍ତି । ଚିରାଗ ପାଶଓ୍ବାନ ପୂର୍ବରୁ କହିସାରିଛନ୍ତି, ଦଳକୁ ସମ୍ମାନଜନକ ଆସନ ମିଳିବା ଦରକାର । ଚିରାଗ ପ୍ରାୟ ୪୦ଟି ଆସନ ଦାବି କରୁଛନ୍ତି । ପାଞ୍ଚଟି ପ୍ରମୁଖ ଆସନ ପାଇଁ ମଧ୍ୟ ଜିଦ୍ ଧରିଛନ୍ତି । ଅନ୍ୟପଟେ ଜେଡିୟୁ ମଧ୍ୟ ଏଥିରୁ ତିନିଟି ଆସନ ଛାଡ଼ିବାକୁ ପ୍ରସ୍ତୁତ ନୁହେଁ । ଚିରାଗଙ୍କ ଦଳ ୨୦୨୦ ବିଧାନସଭା ନିର୍ବାଚନରେ ମେଣ୍ଟରୁ ବାହାରେ ରହି ନୀତୀଶ କୁମାରଙ୍କ ଗେମ୍ ପ୍ଲାନ୍କୁ ନଷ୍ଟ କରିଦେଇଥିଲେ । ଏହି କାରଣରୁ ଅମିତ ଶାହ ଦିଲ୍ଲୀରେ ଅନୁଷ୍ଠିତ ବିହାର କୋର କମିଟି ବୈଠକରେ ସ୍ପଷ୍ଟ କରିଥିଲେ ଯେ, ୨୦୨୦ର ଭୁଲ ପୁନରାବୃତ୍ତି କରାଯିବା ଉଚିତ୍ ନୁହେଁ । ବିଜେପି ସାମ୍ନାରେ ଥିବା ଚ୍ୟାଲେଞ୍ଜ ହେଉଛି ଚିରାଗଙ୍କ ସହିତ ଜିତନ ରାମ ମାଞ୍ଜି ଏବଂ ଉପେନ୍ଦ୍ର କୁଶୱାହାଙ୍କ ଦଳଗୁଡ଼ିକ ମଧ୍ୟ ଅଧିକ ଆସନ ମାଗିପାରନ୍ତି । ଯଦି ବିଜେପି ରାଜି ହୁଏ । ତେବେ ବିଜେପିର ଆସନ ସଂଖ୍ୟା କମିବ । ଅନ୍ୟ ଦଳମାନେ ଯେତେ ଅଧିକ ଆସନ ପାଇବେ ସେତେ ଆସନ ବିଜେପିରୁ କମିବ ।