ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବୁଧବାର ରାତିରେ ଆମେରିକାବାସୀଙ୍କୁ ଟେଲିଭିଜନ୍ ମାଧ୍ୟମରେ ସମ୍ବୋଧନ କରିଛନ୍ତି। ସେ କହିଛନ୍ତି, ଇରାନ୍ ବିରୋଧରେ ଚାଲିଥିବା ଯୁଦ୍ଧରେ ଆମେରିକାର ମୂଳ ଲକ୍ଷ୍ୟ ଗୁଡ଼ିକ ପୂରଣ ହେବାକୁ ଯାଉଛି। ଏହି ସମ୍ବୋଧନରେ ସେ ଆଗାମୀ ଦୁଇରୁ ତିନି ସପ୍ତାହ ମଧ୍ୟରେ ଇରାନ୍ ଉପରେ ଅତ୍ୟନ୍ତ କଠୋର ଆକ୍ରମଣ କରିବାକୁ ଚେତାବନୀ ଦେଇଛନ୍ତି।
ଏହି ଅବସରରେ ଟ୍ରମ୍ପ କହିଛନ୍ତି ଯେ, ଇରାନ୍କୁ ପୁନର୍ବାର ‘ପ୍ରସ୍ତର ଯୁଗ’କୁ ଠେଲି ଦିଆଯିବ। ହ୍ୱାଇଟ୍ ହାଉସ୍ରୁ ପ୍ରାୟ ୧୯ ମିନିଟ୍ ଧରି ଚାଲିଥିବା ଏହି ଭାଷଣରେ ଟ୍ରମ୍ପ କହିଛନ୍ତି, “ଆଜି ରାତିରେ ମୁଁ ଖୁସିର ସହିତ କହିପାରୁଛି ଯେ, ଆମର ସବୁ ଲକ୍ଷ ପୂରଣ ହେବା ନିକଟବର୍ତ୍ତୀ ଅଛି। ଆମେ ଅତି ଶୀଘ୍ର ସମସ୍ତ ଲକ୍ଷ୍ୟ ପୂରଣ କରିବୁ।”
ସେ ଆହୁରି କହିଛନ୍ତି ଯେ, ଆଗାମୀ ଦୁଇରୁ ତିନି ସପ୍ତାହ ମଧ୍ୟରେ ଇରାନ୍ର ନୌସେନା, ବାୟୁସେନା ଏବଂ କ୍ଷେପଣାସ୍ତ୍ର ଉତ୍ପାଦନ କ୍ଷମତାକୁ ସମ୍ପୂର୍ଣ୍ଣ ଭାବେ ଧ୍ୱଂସ କରିଦିଆଯିବ। ଟ୍ରମ୍ପ ଏହି ସମୟରେ ଇରାନ୍ ଉପରେ ଆକ୍ରମଣ ତୀବ୍ର କରିବାର ଚେତାବନୀ ଦେଇ କହିଛନ୍ତି, “ଆମେ ସେମାନଙ୍କୁ ଅତ୍ୟନ୍ତ କଠୋର ଭାବେ ଆକ୍ରମଣ କରିବୁ। ଆମେ ସେମାନଙ୍କୁ ପୁନର୍ବାର ପ୍ରସ୍ତର ଯୁଗକୁ ଠେଲି ଦେବୁ, ଯେଉଁଠୁ ସେମାନେ ଆଉ ଫେରିବା ସମ୍ଭବ ନୁହେଁ।”
ଏହି ଯୁଦ୍ଧ ଆରମ୍ଭ ହେବାର ପ୍ରାୟ ଏକ ମାସ ପରେ ଏହା ତାଙ୍କର ପ୍ରଥମ ଜାତୀୟ ସମ୍ବୋଧନ ଥିଲା। ଏହି ଭାଷଣ ପରେ ଆନ୍ତର୍ଜାତିକ ତୈଳ ବଜାରରେ ମୂଲ୍ୟ ବୃଦ୍ଧି ପାଇଛି ଏବଂ ଆର୍ଥିକ ଅସ୍ଥିରତା ବଢ଼ିଛି। ଇରାନ୍ ପକ୍ଷରୁ ଏ ପର୍ଯ୍ୟନ୍ତ କୌଣସି ଆନୁଷ୍ଠାନିକ ପ୍ରତିକ୍ରିୟା ଆସିନାହିଁ, ଯଦିଓ ଯୁଦ୍ଧ ଚାଲିଥିବା ସମୟରେ ଉଭୟ ପକ୍ଷରୁ ଆକ୍ରମଣ ଜାରି ରହିଛି। ଏହି ଘଟଣା ବିଶ୍ୱର ତୈଳ ଯୋଗାଣ ଏବଂ ମଧ୍ୟପ୍ରାଚ୍ୟ ସ୍ଥିରତା ଉପରେ ଗଭୀର ପ୍ରଭାବ ପକାଉଛି। ଭାରତ ସମେତ ଅନେକ ଦେଶ ଏହି ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି।










