ଆସନ୍ତା ୨୭ ତାରିଖରୁ ଆରମ୍ଭ ହେବାକୁ ଥିବା ବିଧାନସଭାକୁ ଓହ୍ଲାଇବ ଶାସକ ଦଳ। ସେପଟେ ପରାଜୟକୁ ସ୍ବୀକାର କରୁନାହାନ୍ତି ବିରୋଧୀ। ଭୋଟ ଅନିୟମିତତା ପ୍ରସଙ୍ଗ ଧରି ସରକାରଙ୍କୁ ଘେରୁଛି ବିଜେଡି। ଆଉ କଂଗ୍ରେସ ବି କହୁଛି ଯେ ଉପନିର୍ବାଚନ ଜିତିବା ପଛର ଅନେକ କାରଣ ମଧ୍ୟରୁ ବୁଥ୍ ରିଗିଂ, ଇଭିଏମ୍ ଟ୍ୟାମ୍ପରିଂ ଅନ୍ୟତମ। ଏସବୁକୁ ନେଇ ବିଧାନସଭା ଅଧିବେଶନ ସରଗରମ ହେବ ବୋଲି ପୂର୍ବାନୁମାନ କଲେଣି ରାଜନୈତିକ ବିଶେଷଜ୍ଞ। ବିଜେପି ବି ଦମ୍ ଦେଖାଇବାକୁ ପ୍ରସ୍ତୁତ। ନୂଆପଡ଼ା ଉପନିର୍ବାଚନରେ ବିପୁଳ ବିଜୟ ପରେ ଶାସକ ଦଳ ବିଧାୟକମାନେ ପୂରା ଜୋସ୍ରେ ଅଛନ୍ତି।ବିରୋଧୀଙ୍କୁ ମୁହଁତୋଡ଼ ଜବାବ ଦେବାର କୌଣସି ସୁଯୋଗ ସେମାନେ ହାତଛଡ଼ା କରିବେନି।
ବିଜେଡି ଓ କଂଗ୍ରେସ ସରକାର ସମୟରେ ବାଲିଘାଟକୁ ନେଇ କ’ଣ ଅନିୟମିତତା ହୋଇଛି, ତାହାକୁ ସେମାନେ ବାହାର କରି ପାଲଟା ଆକ୍ରମଣ କରିବାକୁ ସଜବାଜ ହେଉଛନ୍ତି। ସେହିଭଳି ବିଧାନସଭା ସମୟରେ ସିବିଆଇ ତନାଘନା ଓ ପୀତବାସ ମୃତ୍ୟୁ ଘଟଣାରେ ବିଜେଡି ନେତାଙ୍କ ସଂପୃକ୍ତି ପ୍ରସଙ୍ଗ ଉଠାଇ ବିରୋଧୀଙ୍କୁ ଜବାବ ଦେବାକୁ ପ୍ରସ୍ତୁତି ଚଳାଇଛନ୍ତି।
ଆଇନଶୃଙ୍ଖଳା ପରିସ୍ଥିତି ଗୃହରେ ଏକ ବଡ଼ ପ୍ରସଙ୍ଗ ହୋଇପାରେ। ବ୍ରହ୍ମପୁରର ଆଇନଜୀବୀ ପୀତବାସ ପଣ୍ଡା ହତ୍ୟାକାଣ୍ଡ ମାମଲା, ଚୌଦ୍ବାର ଜେଲ୍ରୁ ଅପରାଧୀ ଫେରାର ହେବା ଭଳି ପ୍ରସଙ୍ଗ ଉଠିବ। ପୁଲିସ ଏସ୍ଆଇ ନିଯୁକ୍ତି କେଳେଙ୍କାରୀ ପ୍ରସଙ୍ଗ ସହିତ ବିଜେପି ସରକାର ଅମଳରେ ବାରମ୍ବାର ନିଯୁକ୍ତି ପରୀକ୍ଷା ବାତିଲ ପ୍ରସଙ୍ଗ ନେଇ ବିରୋଧୀ ସରକାରଙ୍କୁ ଆକ୍ତାମାକ୍ତା କରିପାରନ୍ତି।
ଏହି ଅଧିବେଶନରେ ପ୍ରଥମ ଅତିରିକ୍ତ ବଜେଟ୍ ଆସିବ। ଗୃହ କାର୍ଯ୍ୟ ଯେପରି ସୁରୁଖୁରରେ ଚାଲିବ ସେଥିପାଇଁ ବାଚସ୍ପତି ନଭେମ୍ବର ୨୬ରେ ସର୍ବଦଳୀୟ ବୈଠକ ଡାକିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସମ୍ବୋଧନରୁ ଆରମ୍ଭ ହେବାକୁ ଥିବା ଏହି ଅଧିବେଶନ କିନ୍ତୁ ଚର୍ଚ୍ଚାରେ ରହିବ। ବିରୋଧୀଙ୍କ ହାତରେ ପୁଳାପୁଳା ପ୍ରସଙ୍ଗ ଥିବାବେଳେ ସରକାର ବି ଚୁପ୍ ବସିବେ ନାହିଁ। ସଂପ୍ରତି ରାଜ୍ୟରେ ବେଧଡ଼କ ବାଲି, ଲଘୁ ଖଣିଜପଦାର୍ଥ ଚୋରାଚାଲାଣ ହେଉଛି। ବାଲିଘାଟ ନିଲାମ ହେଉନି। ସରକାର ନିଲାମ ବନ୍ଦ କରି ଇ-ଲଟେରି କରିବାକୁ ନିଷ୍ପତ୍ତି ନେଇଛନ୍ତି। ତଥାପି ବିଜେଡି ଓ କଂଗ୍ରେସ ଏହି ପ୍ରସଙ୍ଗରେ ସରକାରଙ୍କୁ ଘେରୁଛନ୍ତି। ଏପରିକି ଶାସକ ଦଳର ବିଧାୟକ ଓ ସିଏମ୍ଓକୁ ମଧ୍ୟ ବିବାଦକୁ ଟାଣିଲେଣି। ଏଣୁ ବିଧାନସଭାରେ ଏ ପ୍ରସଙ୍ଗକୁ ନେଇ ଅବଶ୍ୟ ଚର୍ଚ୍ଚା କରିବେ, ଅଚଳାବସ୍ଥା ସୃଷ୍ଟି ହୋଇପାରେ।




















