କଟକ ବଡ ମେଡିକାଲ ନିଆଁକୁ ନେଇ ରାଜ୍ୟ ବିଧାନସଭାରେ ପ୍ରବଳ ହଟ୍ଟଗୋଳ ଦେଖିବାକୁ ମିଳିଛି I ଗୃହର ମଧ୍ୟଭାଗକୁ ଆସି ବିରୋଧୀ ସଦସ୍ୟମାନେ ନାରାବାଜି କରିଛନ୍ତି I
କଟକ ଏସ୍ସିବି ମେଡିକାଲକୁ ବିଶ୍ୱସ୍ତରୀୟ କରିବା ପାଇଁ ପାଣି ଭଳି ଟଙ୍କା ଖର୍ଚ୍ଚ ହେଉଛି । ବଜେଟରେ ସ୍ୱତନ୍ତ୍ର ବ୍ୟୟ ବରାଦ କରାଯାଉଛି । କିନ୍ତୁ ରବିବାର ରାତିର ଅଗ୍ନିକାଣ୍ଡ ଏସସିବି ହସ୍ପିଟାଲର ଅବ୍ୟବସ୍ଥାକୁ ପଦାରେ ପକାଇଛି । ଅନ୍ୟପଟେ ଅଗ୍ନିକାଣ୍ଡ ପରେ ମୁଖ୍ୟମନ୍ତ୍ରୀ ତନାଘନା କରିବା ସହ ମୃତକଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କା ସହାୟତା ଦେବାକୁ ଘୋଷଣା କରିଥିଲେ ବି ତେଜିଛି ରାଜନୀତି । ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିବା ସହ ସରକାରଙ୍କୁ ଘେରିଛନ୍ତି ବିରୋଧୀ ।
କଟକ ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ନିଆଁର ତାତି ବିଧାନସଭାରେ ଦେଖିବାକୁ ମିଳିଛି । ଏସସିବି ଟ୍ରମା କେୟାର ଅଗ୍ନିକାଣ୍ଡ ଓ ୧୨ ରୋଗୀଙ୍କ ମୃତ୍ୟୁକୁ ନେଇ ଗୃହରେ ହଙ୍ଗାମା କରିଛନ୍ତି ବିରୋଧୀ । ବାଚସ୍ପତିଙ୍କ ପୋଡ଼ିଅମ ତଳେ ପୋଷ୍ଟର ଧରି ନାରାବାଜି କରିଛନ୍ତି । ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ବିରୋଧରେ ନାରା ଦେବା ସହ ତାଙ୍କ ଇସ୍ତଫା ଦାବି କରିଛନ୍ତି । ଶୂନ୍ୟକାଳରେ ମଧ୍ୟ ବିରୋଧୀ ସମାନ ପ୍ରସଙ୍ଗ ଉଠାଇ ହଟ୍ଟଗୋଳ କରିଛନ୍ତି । ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ, ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିବା ସହ ମୃତକଙ୍କ ପରିବାରକୁ ୫୦ଲକ୍ଷ ଲେଖାଏଁ ଆର୍ଥିକ ସହାୟତା ଦେବାକୁ ଦାବି କରିଛନ୍ତି । କଂଗ୍ରେସ ମଧ୍ୟ ରଖିଛି ସମାନ ଦାବି ।
ବିରୋଧୀଙ୍କ ହଟ୍ଟଗୋଳ ଭିତରେ ଶୂନ୍ୟକାଳରେ ବିଧାନସଭାରେ ବିବୃତି ରଖିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ । କହିଛନ୍ତି, ଯାହା ଆବଶ୍ୟକୀୟ ପଦକ୍ଷେପ ସରକାର ନେଉଛନ୍ତି । ସରକାର୍ ଏହି ଘଟଣାରେ ବିଚାର ବିଭାଗୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ତଦନ୍ତରେ ଯିଏ ବି ଦୋଷୀ ସାବ୍ୟସ୍ତ ହେବେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
ଅଗ୍ନିକାଣ୍ଡ ଘଟିବା ତୁରନ୍ତ ପରେ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ କରାଯାଇଥିଲା । ଗୁରୁତର ରୋଗୀଙ୍କୁ ଅନ୍ୟ ଆଇସିୟୁକୁ ସ୍ଥାନାନ୍ତର କରାଯାଇଛି । ଘଟଣାରେ ମୋଟ ୧୨ ଜଣ ପ୍ରାଣ ହରାଇଛନ୍ତି । ଦେବଦୂତ ଭଳି ଯେଉଁ ମେଡିକାଲ କର୍ମଚାରୀମାନେ ଉଦ୍ଧାର କାର୍ଯ୍ୟ କରିଥିଲେ , ସେମାନଙ୍କ ମଧ୍ୟରୁ ୧୧ଜଣ ଆହତ ହୋଇ ଚିକିତ୍ସିତ ହେଉଛନ୍ତି । ଯାହା ଆବଶ୍ୟକୀୟ ପଦକ୍ଷେପ ସରକାର ଗ୍ରହଣ କରୁଛନ୍ତି । ଅନ୍ୟପଟେ ବିରୋଧୀଙ୍କ ଦାବିର କଡ଼ା ଜବାବ ଦେଉଛନ୍ତି ବିଜେପି ବିଧାୟକ ଜୟ ନାରାୟଣ ମିଶ୍ର ।
ଅଗ୍ନିକାଣ୍ଡ ଘଟିବା ପରେ ହସ୍ପିଟାଲ ଯାଇ ତନାଘନା କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମୃତକଙ୍କ ପରିବାରକୁ ୨୫ଲକ୍ଷ ଅନୁକମ୍ପା ମୂଳକ ସହାୟତା ରାଶି ଦେବାକୁ ଘୋଷଣା କରିଥିଲେ । ଫ୍ୟାକ୍ଟ ଫାଇଣ୍ଡିଙ୍ଗ ଟିମ ଅଧ୍ୟକ୍ଷ ତଥା ଉନ୍ନୟନ କମିଶନର ଦେଓରଞ୍ଜନ କୁମାର ସିଂ ମେଡିକାଲକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି । ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍ ଲକ୍ଷ୍ମୀଧର ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ତଦନ୍ତ ହେବ । ୬୦ଦିନରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।







/odishatv/media/post_attachments/uploadimage/library/16_9/16_9_0/ramesh-jena_1617884867.jpg?w=853&resize=853,479&ssl=1)








