ଏକ ଆଶ୍ଚର୍ଯ୍ୟଜନକ ସାଇବର୍ ଠକେଇ ଘଟଣାରେ ପୁଣେର ଜଣେ ୭୫ ବର୍ଷୀୟ ଡାକ୍ତର ୧୧ ଦିନ ଭିତରେ ନିଜର ଟଙ୍କା ଦୁଇଗୁଣ କରିବାର ଲୋଭରେ ୧୨.୩୧ କୋଟି ଟଙ୍କା ହରାଇଛନ୍ତି। ଠକମାନେ ତାଙ୍କୁ ଏକ ଫେକ୍ ଅନଲାଇନ୍ ସେୟାର୍ ଟ୍ରେଡିଂ ଆପ୍ ମାଧ୍ୟମରେ ଫସାଇଥିଲେ।
ପୁଣେ ସାଇବର୍ ପୋଲିସ୍ ଅନୁଯାୟୀ, ହାଡପସର୍ ଅଞ୍ଚଳର ଏହି ଜେନେରାଲ୍ ଫିଜିସିଆନ୍ (ଡାକ୍ତର) ମାର୍ଚ୍ଚ ୭ ରୁ ମାର୍ଚ୍ଚ ୧୮ ମଧ୍ୟରେ ମାତ୍ର ୧୧ ଦିନ ଭିତରେ ୮ଟି ଆର୍ଥିକ କାରବାର କରି ୮ଟି ଭିନ୍ନ ବ୍ୟାଙ୍କ୍ ଆକାଉଣ୍ଟକୁ ମୋଟ ୧୨.୩୧ କୋଟି ଟଙ୍କା ଟ୍ରାନ୍ସଫର୍ କରିଥିଲେ। ଠକମାନେ ତାଙ୍କୁ ପ୍ରତିଶ୍ରୁତି ଦେଇଥିଲେ ଯେ, ଏହି ଇନଭେଷ୍ଟମେଣ୍ଟ୍ ମାଧ୍ୟମରେ ୧୧ ଦିନ ଭିତରେ ତାଙ୍କର ଟଙ୍କା ଦୁଇଗୁଣ ହେବ ଏବଂ ସର୍ବମୋଟ ୫୪ କୋଟି ଟଙ୍କା ଲାଭ ହେବ।
କେମିତି ହେଲା ଠକେଇ
ଡାକ୍ତରଙ୍କ ମୋବାଇଲ୍ ଫୋନ୍ ଏକ whatsapp group ରେ ଯୋଡ଼ି ହୋଇଥିଲା, ଯେଉଁଠାରେ ଆଡମିନ୍ ଏବଂ ଅନ୍ୟ ସଦସ୍ୟମାନେ ଅନଲାଇନ୍ ସେୟାର୍ ଟ୍ରେଡିଂରେ ବିରାଟ୍ ଲାଭର କଥା ଆଲୋଚନା କରୁଥିଲେ। ଏହି ଚର୍ଚ୍ଚା ଦେଖି ଡାକ୍ତର ପ୍ରଭାବିତ ହୋଇ ଆଡମିନ୍ଙ୍କ ସହ ଯୋଗାଯୋଗ କରିଥିଲେ।ଠକମାନେ ଏକ ଫେକ୍ ଟ୍ରେଡିଂ ଆପ୍ ଦେଇ ଡାକ୍ତରଙ୍କୁ ଇନଭେଷ୍ଟମେଣ୍ଟ୍ କରିବାକୁ ପ୍ରରୋଚିତ କରିଥିଲେ। ପ୍ରଥମେ କିଛି ଟଙ୍କା ଟ୍ରାନ୍ସଫର୍ ପରେ ଆପ୍ରେ ଲାଭ ଦେଖାଯାଉଥିଲା।
କିନ୍ତୁ ଯେତେବେଳେ ଡାକ୍ତର ଆହୁରି ଟଙ୍କା ଦେବାକୁ ଅରାଜି ହେଲେ, ଠକମାନେ ତାଙ୍କୁ ଧମକ ଦେଲେ ଯେ, ଯଦି ଆହୁରି ଟଙ୍କା ନ ପଠାନ୍ତି ତେବେ ତାଙ୍କର ସମ୍ପତ୍ତି ଜବତ କରାଯିବ। ଏହି ଧମକରେ ଡାକ୍ତର ଭୟଭୀତ ହୋଇ ଲଗାତାର ଟଙ୍କା ପଠାଇଥିଲେ।ସର୍ବମୋଟ ୧୨.୩୧ କୋଟି ପଠାଇବା ପରେ ଆପ୍ରେ ୫୪ କୋଟି ଟଙ୍କା ଲାଭ ଦେଖାଗଲା।
କିନ୍ତୁ ଯେତେବେଳେ ସେ ଟଙ୍କା ଉଠାଇବାକୁ ଚେଷ୍ଟା କଲେ, ଠକମାନେ ଆହୁରି ଧମକ ଦେଲେ। ସେହି ସମୟରେ ଡାକ୍ତର ବୁଝିପାରିଲେ ଯେ ସେ ଠକେଇର ଶିକାର ହୋଇଛନ୍ତି।
ପୋଲିସ୍ ତଦନ୍ତ
ଏହା ପୁଣେରେ ଚଳିତ ବର୍ଷର ଦ୍ୱିତୀୟ ସର୍ବବୃହତ୍ ସାଇବର୍ ଠକେଇ ଘଟଣା ବୋଲି କୁହାଯାଉଛି। ପୁଣେ ସାଇବର୍ କ୍ରାଇମ୍ ପୋଲିସ୍ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଠକମାନଙ୍କ ବ୍ୟାଙ୍କ୍ ଆକାଉଣ୍ଟ୍ ଟ୍ରେସ୍ କରାଯାଉଛି ଏବଂ ଅଭିଯୁକ୍ତଙ୍କୁ ଚିହ୍ନଟ କରିବାକୁ ପ୍ରୟାସ ଚାଲିଛି। ପୋଲିସ୍ ପକ୍ଷରୁ ଲୋକଙ୍କୁ ସତର୍କ କରାଯାଇଛି ଯେ, ଅତ୍ୟଧିକ ଲାଭ ଆଶାରେ ଅନଲାଇନ୍ ଇନଭେଷ୍ଟମେଣ୍ଟ୍ ସ୍କିମ୍ରେ ଟଙ୍କା ବିନିଯୋଗ ପୂର୍ବରୁ ଯାଞ୍ଚ କରନ୍ତୁ। ବିଶେଷକରି ବୟସ୍କ ନାଗରିକମାନେ ଏଭଳି ଲୋଭରେ ପଡ଼ିବା ଆଗରୁ ପରିବାର ସଦସ୍ୟ କିମ୍ବା ବିଶ୍ୱସ୍ତ ଉପଦେଷ୍ଟାଙ୍କ ସହ ଆଲୋଚନା କରନ୍ତୁ।

/odishatv/media/post_attachments/uploadimage/library/16_9/16_9_0/Dama-Rout-Son-Sambit_1627280147.jpg?w=853&resize=853,479&ssl=1)









