କିମିଆ କରିଛି ‘ହେ କଳା ବାନ୍ଧବ’
-କୁନିଝିଅ କଣ୍ଠରେ କଳା ସାଆନ୍ତଙ୍କ ସଙ୍ଗୀତ
-ମନ ଜିଣୁଛି ମୀରାର କାହାଣୀ…
ଭୁବନେଶ୍ବର: ଆଖି ନଥିବା ମଣିଷ ପାଇଁ ଏ ଦୁନିଆଟା ଅନ୍ଧାର, କଳା କିଟମିଟ । କଳା ବି ଆମ କାଳିଆ ଠାକୁର । ହେଲେ ସେହି କଳା ସାଆନ୍ତଙ୍କୁ କେମିତି ଦେଖେ ଆଖି ନଥିବା ମଣିଷଟି ? ଦୃଷ୍ଟିଶକ୍ତି ହରାଇଥିବା ବ୍ୟକ୍ତିଟି ଦାରୁଦିଅଁଙ୍କୁ କେଉଁ ରୂପରେ ଦର୍ଶନ କରେ ? ଏ ପ୍ରଶ୍ନର ଗୋଟିଗୋଟି ଉତ୍ତର ନିକଟରେ ରିଲିଜ ହୋଇଥିବା ଏକ ସୁନ୍ଦର ଭାବପୂର୍ଣ୍ଣ ଭଜନ ‘ହେ କଳା ବାନ୍ଧବ’ରେ ପ୍ରତିଫଳିତ ହୋଇଛି ।
ଜଗନ୍ନାଥ- ଅନୁଭବର ଠାକୁର, ଅଭିମାନର ଠାକୁର…ଭକ୍ତଟିଏ ତାଙ୍କୁ ନଦେଖି ପାରିଲେ ତାଙ୍କ ଉପରେ ଅଭିମାନ କରେ । ଜଗନ୍ନାଥଙ୍କ ଉପରେ ଅଭିମାନ କରିବାର ଅଧିକାର ସମସ୍ତଙ୍କର ଅଛି । ଠିକ୍ ଭଜନରେ ଦୃଷ୍ଟିହୀନ ଝିଅର ଅଭିମାନ ପରି… ଜଗାକୁ ନଦେଖି ପାରିବାର ଅଭିମାନ, ତାକୁ ନଧରି ପାରିବାର ଅବସୋସ, ତାସହ ନଖେଳି ପାରିବାର ଅଝଟପଣକୁ ନେଇ ହିଁ ଭଜନର କାହାଣୀ ଗତିଶୀଳ ।
‘ହେ କଳା ବାନ୍ଧବ’ ନାଁକୁ ଏକ ମ୍ୟୁଜିକ ଭିଡିଓ ହେଇଥିଲେ ହେଁ କିନ୍ତୁ ଦେଖିବାକୁ ଗଲେ ଏହା ଏକ ଛୋଟ ସିନେମା ପରି । ଏ କାହାଣୀ ମୀରାର, କାହାଣୀ ଅଭିମାନର, କାହାଣୀ କୌତୁହଳର, କାହାଣୀ ମୀରା ଓ କାଳିଆର ବନ୍ଧୁତ୍ୱର । ‘ଡବି ବବ୍ଲି’ (Dubby Bubbly) ପ୍ରସ୍ତୁତ ଏହି ଗୀତଟି ଶ୍ରୋତାଙ୍କ ମନକୁ ବେଶ୍ ଛୁଇଁପାରିଛି। ମନୋଜ ଏବଂ ସମୀକଙ୍କ ଦ୍ୱାରା ନିର୍ଦ୍ଦେଶିତ ଏବଂ ବିଶ୍ୱଜିତ ପଟ୍ଟନାୟକଙ୍କ ଦ୍ବାର ପ୍ରଯୋଜିତ ଏହି ଭଜନରେ ଜଣେ କୁନି ଝିଅ (ମୀରା)ର ଜଗା ପ୍ରତି ଥିବା ନିଷ୍କପଟ ଭକ୍ତି ଓ ଆବେଗକୁ ଅତି ସୁନ୍ଦର ଭାବେ ଚିତ୍ରଣ କରାଯାଇଛି।
ଏଥିରେ ମୁଖ୍ୟ ଭୂମିକାରେ ଶିଶୁ କଳାକାର ସାଇ ଦିବ୍ୟାଂଶୀ ଅଭିନୟ କରିଥିବା ବେଳେ ଭଜନରେ କଣ୍ଠଦାନ ମଧ୍ୟ କରିଛନ୍ତି । ଭେଟେରାନ ଅଭିନେତ୍ରୀ ଈଶା ବିବର୍ତ୍ତl ଏବଂ ଜମ୍ବେଶ୍ୱର ଖୁଣ୍ଟିଆ ଏଥିରେ ଅଭିନୟ କରିଛନ୍ତି। ଭକ୍ତିର ଏହି ସୁନ୍ଦର ଭଜନକୁ ଗୀତିକାର ପୁଷ୍ପକ ପରିଡ଼ା ଶବ୍ଦରେ ସଜାଇଥିବା ବେଳେ ମ୍ୟୁଜିକ ଅନିଲ ନାଏକ ଦେଇଛନ୍ତି । ତେବେ ପୂରା ଟିମର ଏହି ପ୍ରୟାସକୁ ଦର୍ଶକ ବେଶ ପସନ୍ଦ କରୁଥିବା ବେଳେ ବର୍ତ୍ତମାନ ଏହି ଭିଡିଓଟି ସୋସିଆଲ ମିଡିଆରେ ଖୁବ୍ ଭାଇରାଲ୍ ହେଉଛି ।














