କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟର ଏକ ବଡ଼ ନିଷ୍ପତ୍ତିରେ ଜାତୀୟ ଶିକ୍ଷା ଗବେଷଣା ଓ ତାଲିମ୍ ପରିଷଦ୍ (NCERT)କୁ ‘ଡିମ୍ଡ୍ ଟୁ ବି ୟୁନିଭରସିଟି’ ମାନ୍ୟତା ମିଳିଛି। ମାର୍ଚ୍ଚ ୩୦, ୨୦୨୬ ତାରିଖରେ ଜାରି ହୋଇଥିବା ବିଜ୍ଞପ୍ତି ଅନୁଯାୟୀ, NCERT ଏବଂ ତା’ର ଛଅଟି ଶାଖା ଏବେ ଏକ ସ୍ୱତନ୍ତ୍ର ବର୍ଗରେ ଡିମ୍ଡ୍ ୟୁନିଭରସିଟି ଭାବେ ସ୍ୱୀକୃତି ପାଇଛନ୍ତି।
ୟୁନିଭରସିଟି ଗ୍ରାଣ୍ଟ୍ସ କମିଶନ୍ (UGC) ଆଇନ୍ ୧୯୫୬ର ଧାରା ୩ ଅନୁଯାୟୀ ଏହି ମାନ୍ୟତା ପ୍ରଦାନ କରାଯାଇଛି। ଏହା ଫଳରେ NCERT ଏବେ ନିଜର ପାଠ୍ୟକ୍ରମ ଏବଂ ଅଧ୍ୟୟନ କାର୍ଯ୍ୟକ୍ରମ ସ୍ଥିର କରିପାରିବ ଏବଂ ଡିଗ୍ରୀ ପ୍ରଦାନ କରିପାରିବ। ଏହା ଅଧୀନରେ ସ୍ନାତକ, ସ୍ନାତକୋତ୍ତର, ପିଏଚ୍ଡି ଏବଂ ଅନ୍ୟାନ୍ୟ ଉଚ୍ଚଶିକ୍ଷା କାର୍ଯ୍ୟକ୍ରମ ଚଳାଇପାରିବ। ୨୦୨୩ରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ପ୍ରସ୍ତାବ ଉପସ୍ଥାପନ କରିଥିଲେ।
ଏହାର ଲକ୍ଷ୍ୟ ହେଉଛି ଶିକ୍ଷା କ୍ଷେତ୍ରରେ ଗବେଷଣାକୁ ପ୍ରୋତ୍ସାହନ ଦେବା, ଆନ୍ତର୍ଜାତିକ ସହଯୋଗ ବଢ଼ାଇବା ଏବଂ ଶିକ୍ଷକ ତାଲିମ୍ ଓ ପାଠ୍ୟକ୍ରମ ବିକାଶରେ ନୂଆ ଅଧ୍ୟାୟ ଯୋଡ଼ିବା। ନ୍ୟାସନାଲ୍ ଏଜୁକେସନ୍ ପଲିସି (NEP) ୨୦୨୦ ସହ ଏହା ସମ୍ପୂର୍ଣ୍ଣ ଭାବେ ସମନ୍ୱୟ ରଖିଛି।ଏହି ନିଷ୍ପତ୍ତି ପରେ NCERT ଏବେ ସ୍ୱାଧୀନ ଭାବେ ନିଜର ଶିକ୍ଷା କାର୍ଯ୍ୟକ୍ରମ ପରିଚାଳନା କରିପାରିବ।
ଏହା ସ୍କୁଲ୍ ଶିକ୍ଷା ପାଠ୍ୟପୁସ୍ତକ ପ୍ରସ୍ତୁତି ସହିତ ଉଚ୍ଚଶିକ୍ଷା ଏବଂ ଗବେଷଣାରେ ମଧ୍ୟ ସକ୍ରିୟ ହୋଇପାରିବ। ଶିକ୍ଷା ବିଶେଷଜ୍ଞମାନେ କହୁଛନ୍ତି ଯେ, ଏହା ଭାରତର ଶିକ୍ଷା ବ୍ୟବସ୍ଥାକୁ ଆହୁରି ମଜବୁତ୍ କରିବ।ବର୍ତ୍ତମାନ NCERT ତା’ର ନୂଆ ମାନ୍ୟତା ଅନୁଯାୟୀ ପାଠ୍ୟକ୍ରମ ଏବଂ ଅଧ୍ୟୟନ କାର୍ଯ୍ୟକ୍ରମ ପ୍ରସ୍ତୁତ କରିବାର ପ୍ରକ୍ରିୟା ଆରମ୍ଭ କରିଛି। ଏହା ଛାତ୍ରଛାତ୍ରୀ ଏବଂ ଶିକ୍ଷକଙ୍କ ପାଇଁ ଏକ ନୂଆ ଯୁଗର ଆରମ୍ଭ ହୋଇପାରେ ବୋଲି ଆଶା କରାଯାଉଛି।






/odishatv/media/media_files/2025/11/06/3-siblings-swept-away-2025-11-06-22-04-49.jpeg?w=640&resize=640,400&ssl=1)




