ଇରାନର ସୁପ୍ରିମ୍ ଲିଡର୍ ମୋଜତବା ଖାମେନେଇଙ୍କ ଅବସ୍ଥାନ ନେଇ ଚାଲିଥିବା କଳ୍ପନାଜଳ୍ପନା ମଧ୍ୟରେ ରୁଷିୟାର ଇରାନ୍ ରାଷ୍ଟ୍ରଦୂତ ଆଲେକ୍ସେ ଡେଡୋଭ୍ ଏକ ବଡ଼ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ମୋଜତବା ଖାମେନେଇ ଇରାନ୍ ଭିତରେ ଅଛନ୍ତି ଏବଂ ସୁରକ୍ଷା କାରଣରୁ ବାହାରକୁ ଦେଖାଦେଉନାହାନ୍ତି। ରୁଷିୟାନ୍ ନ୍ୟୁଜ୍ ଚ୍ୟାନେଲ୍ RTVI ରେ ଦିଆଯାଇଥିବା ଇଣ୍ଟରଭ୍ୟୁରେ ରାଷ୍ଟ୍ରଦୂତ ଡେଡୋଭ୍ କହିଛନ୍ତି, “ମୋଜତବା ଖାମେନେଇ ଇରାନରେ ଅଛନ୍ତି ଏବଂ ସୁରକ୍ଷା କାରଣରୁ ସେ ପ୍ରକାଶ୍ୟରେ ଦେଖା ଦେଉନାହାନ୍ତି।
ସେ ଆହୁରି କହିଛନ୍ତି ଯେ ମୋଜତବା କୌଣସି ଚିକିତ୍ସା ପାଇଁ ରୁଷିୟାକୁ ଯାଇନାହାନ୍ତି। ଗତ ମାସରେ କେତେକ ମିଡିଆ ରିପୋର୍ଟରେ ଦାବି କରାଯାଇଥିଲା ଯେ ଯୁକ୍ତରାଷ୍ଟ୍ର ଓ ଇସ୍ରାଏଲ୍ ଆକ୍ରମଣରେ ଆହତ ହୋଇଥିବା ମୋଜତବାଙ୍କୁ ରୁଷିୟା ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନଙ୍କ ନିମନ୍ତ୍ରଣରେ ମସ୍କୋକୁ ବିମାନରେ ନିଆଯାଇଥିଲା ଏବଂ ସେଠାରେ ତାଙ୍କ ଚିକିତ୍ସା ଚାଲିଛି। କିନ୍ତୁ ରୁଷିୟାନ୍ ରାଷ୍ଟ୍ରଦୂତଙ୍କ ଏହି ବିବୃତ୍ତି ପରେ ସେହି ଗୁଜବ ଖାରଜ୍ ହୋଇଯାଇଛି।
କ’ଣ ଚାଲିଛି ଗୁଜବ ?
- ମୋଜତବା ଖାମେନେଇ ଫେବ୍ରୁଆରୀ ୨୮ ତାରିଖରେ ତାଙ୍କ ପିତା ଆୟତୋଲ୍ଲା ଅଲି ଖାମେନେଇଙ୍କ ମୃତ୍ୟୁ ପରେ ମାର୍ଚ୍ଚ ୮ ତାରିଖରେ ସୁପ୍ରିମ୍ ଲିଡର୍ ହୋଇଥିଲେ।
- ତାଙ୍କର କୌଣସି ଭିଡିଓ, ଅଡିଓ କିମ୍ବା ପ୍ରକାଶ୍ୟ ଦେଖା ଏପର୍ଯ୍ୟନ୍ତ ମିଳିନାହିଁ। କେବଳ ଲିଖିତ ବିବୃତ୍ତି ଜାରି ହୋଇଛି।
- କେତେକ ରିପୋର୍ଟରେ କୁହାଯାଇଛି ଯେ ସେ ଆହତ ହୋଇଛନ୍ତି (ଗୋଡ଼, ମୁହଁ ଓ ହାତରେ ଆଘାତ) ଏବଂ ସେ ଏକ ସୁରକ୍ଷିତ ସ୍ଥାନରେ (ସମ୍ଭବତଃ କୋମ୍ ବଙ୍କର୍) ରହିଛନ୍ତି।
- କିଛି ସୂତ୍ର ଅନୁଯାୟୀ ସେ କୋମାରେ ଅଛନ୍ତି କିମ୍ବା ଗୁରୁତର ଆହତ ହୋଇଛନ୍ତି।
- ଆମେରିକା ଓ ଇସ୍ରାଏଲ୍ ଗୁପ୍ତଚର ସଂସ୍ଥା ମଧ୍ୟ ତାଙ୍କ ଅବସ୍ଥାନ ଓ ସ୍ୱାସ୍ଥ୍ୟ ବିଷୟରେ ଅନୁସନ୍ଧାନ କରୁଛନ୍ତି।
- କେତେକ ବିଶେଷଜ୍ଞ କହୁଛନ୍ତି ଯେ ବର୍ତ୍ତମାନ ଇରାନର ପ୍ରକୃତ କ୍ଷମତା ଇସ୍ଲାମିକ୍ ରିଭୋଲ୍ୟୁସନାରୀ ଗାର୍ଡ୍ସ (IRGC) ହାତରେ ଅଛି।
ଇରାନ୍ ସରକାର ବାରମ୍ବାର କହିଛନ୍ତି ଯେ ମୋଜତବା ସୁରକ୍ଷିତ ଅଛନ୍ତି ଏବଂ ଯୁଦ୍ଧ ପରିସ୍ଥିତିରେ ସୁରକ୍ଷା କାରଣରୁ ପ୍ରକାଶ୍ୟ ଦେଖାଦେଉନାହାନ୍ତି। ତଥାପି ତାଙ୍କ ଅନୁପସ୍ଥିତି ଯୋଗୁଁ ଇରାନ୍ ଭିତରେ ଓ ବାହାରେ ଅନେକ ପ୍ରଶ୍ନ ଉଠିଛି।










