କଂଗ୍ରେସର ସ୍ୱର୍ଗତ ବରିଷ୍ଠ ନେତା ଅହମ୍ମଦ ପଟେଲଙ୍କ ପୁଅ ଫୈସଲ ପଟେଲ ନୂଆ ଦଳ ଗଠନ କରିବେ । ଫୈସଲ ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ଏହା ସଙ୍କେତ ଦେଇଛନ୍ତି ଯେ ସେ କଂଗ୍ରେସଠାରୁ ଅଲଗା ହୋଇ ଏକ ନୂଆ ରାଜନୈତିକ ସମୂହ ଗଠନ କରିବାକୁ ବିଚାର କରୁଛନ୍ତି। ଫୈସଲ ପଟେଲଙ୍କ ଏହି ପୋଷ୍ଟର ସ୍କ୍ରିନସଟ୍ ଭାଇରାଲ୍ ହେବାରେ ଲାଗିଛି, ଯେଉଁଥିରେ ସେ ‘କଂଗ୍ରେସ (AP)’ ନାମରେ ଏକ ନୂଆ ଗ୍ରୁପ୍ର କଥା କହିଛନ୍ତି । ସେ ଦାବି କରିଛନ୍ତି ଯେ ତାଙ୍କ ଭଉଣୀ ମୁମତାଜ ପଟେଲ ମଧ୍ୟ ଏଥିରେ ସାମିଲ୍ ହୋଇପାରନ୍ତି।
ତେବେ, ଏହି ପୋଷ୍ଟ ଭାଇରାଲ୍ ହେବାର କିଛି ସମୟ ପରେ ହିଁ ତାଙ୍କ ଭଉଣୀ ମୁମତାଜ ପଟେଲ ତାଙ୍କ ଭାଇଙ୍କ ଦାବିକୁ ସମ୍ପୂର୍ଣ୍ଣ ରୂପେ ଖଣ୍ଡନ କରିଦେଇଛନ୍ତି। ମୁମତାଜ ପଟେଲ ‘ଏକ୍ସ’ (X)ରେ ସ୍ପଷ୍ଟ ଭାବେ ଲେଖିଛନ୍ତି ଯେ କୌଣସି ନୂଆ ଦଳ ବା ରାଜନୈତିକ ଗ୍ରୁପ୍ରେ ସାମିଲ୍ ହେବାର ତାଙ୍କର କୌଣସି ଇଚ୍ଛା ନାହିଁ। ସେ ସ୍ପଷ୍ଟ କରିଛନ୍ତି ଯେ ଫୈସଲଙ୍କ ବିଚାର ସମ୍ପୂର୍ଣ୍ଣ ଭାବରେ ତାଙ୍କର ବ୍ୟକ୍ତିଗତ ଏବଂ ତାଙ୍କର ଏହା ସହ କୌଣସି ସମ୍ପର୍କ ନାହିଁ। ସେ ମିଡିଆ ଏବଂ ସାଧାରଣ ଲୋକଙ୍କୁ ଅପିଲ୍ କରିଛନ୍ତି ଯେ ତାଙ୍କୁ ଫୈସଲଙ୍କ ଏହି ନୂଆ ଦଳ ସହିତ ଯୋଡ଼ା ନ ଯାଉ। ଫୈସଲ ପଟେଲଙ୍କ ଏହି ଘୋଷଣା କଂଗ୍ରେସ ପାର୍ଟିର ଆଭ୍ୟନ୍ତରୀଣ କଳହକୁ ନେଇ ଚର୍ଚ୍ଚା ଜୋର୍ ଧରିଥିବା ସମୟରେ ଆସିଛି, ଯାହା ପଟେଲ ପରିବାରର ରାଜନୈତିକ ଭବିଷ୍ୟତକୁ ନେଇ କଳ୍ପନାଜଳ୍ପନା ସୃଷ୍ଟି କରିଛି।
















