ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ସହ ଚାଲିଥିବା ଯୁଦ୍ଧ ମଧ୍ୟରେ ଏକ ବିବାଦୀୟ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ ଇରାନ୍ ପାର୍ଲାମେଣ୍ଟର ସ୍ପିକର୍ ମହମ୍ମଦ ବାଗେର୍ ଘାଲିବାଫ୍ ଙ୍କଠାରୁ ଏକ ‘ଉପହାର’ ପାଇଛନ୍ତି ଏବଂ ସେ ଏବେ ଇରାନର ମୁଖ୍ୟ ତୈଳ ରପ୍ତାନି କେନ୍ଦ୍ର ଖାର୍ଗ ଦ୍ୱୀପ ଦଖଲ କରି ତୈଳ ନେବା ଆରମ୍ଭ କରିବେ।ଫାଇନାନ୍ସିୟାଲ୍ ଟାଇମ୍ସକୁ ଦିଆଯାଇଥିବା ଏକ ସାକ୍ଷାତ୍କାରରେ ଟ୍ରମ୍ପ କହିଛନ୍ତି, “ସତ କହିବାକୁ ଗଲେ ମୋର ପ୍ରିୟ କାର୍ଯ୍ୟ ହେଉଛି ଇରାନର ତୈଳ ନେବା। କିନ୍ତୁ ଆମେରିକାର କେତେକ ମୂର୍ଖ ଲୋକ ପଚାରୁଛନ୍ତି କାହିଁକି ଏମିତି କରୁଛ ?”
ସେ ଆହୁରି କହିଛନ୍ତି ଯେ ଖାର୍ଗ ଦ୍ୱୀପ ଦଖଲ କରିବା ଏକ ବିକଳ୍ପ ଏବଂ ଏହା କରିବା ପାଇଁ ଆମେରିକୀୟ ସୈନ୍ୟମାନେ ସେଠାରେ କିଛି ସମୟ ରହିବାକୁ ପଡ଼ିପାରେ। ଖାର୍ଗ ଦ୍ୱୀପ ଇରାନର ପ୍ରାୟ ୮୦ ରୁ ୯୦ ପ୍ରତିଶତ ତୈଳ ରପ୍ତାନିର ମୁଖ୍ୟ କେନ୍ଦ୍ର ଅଟେ। ଟ୍ରମ୍ପ ଦାବି କରିଛନ୍ତି ଯେ ଘାଲିବାଫ୍ ଙ୍କ ଅନୁମତିରେ ଇରାନ୍ ପାକିସ୍ତାନୀ ପତାକା ଥିବା ତୈଳ ଟ୍ୟାଙ୍କରକୁ ହର୍ମୁଜ୍ ପ୍ରଣାଳୀ ମାଧ୍ୟମରେ ଯିବାକୁ ଅନୁମତି ଦେଇଛି। ଏହାକୁ ସେ ‘ଉପହାର’ ବୋଲି ବର୍ଣ୍ଣନା କରିଛନ୍ତି।
ପ୍ରଥମେ ୮-୧୦ଟି ଜାହାଜ୍ ଏବଂ ପରେ ଆଉ ଅଧିକ ଜାହାଜ ପଠାଯାଇଥିବା କଥା ସେ ଉଲ୍ଲେଖ କରିଛନ୍ତି। ଟ୍ରମ୍ପ ଆହୁରି କହିଛନ୍ତି ଯେ ଇରାନରେ ଏକ ‘ରେଜିମ୍ ଚେଞ୍ଜ୍’ ହୋଇଛି ଏବଂ ସୁପ୍ରିମ୍ ଲିଡର୍ ଅଲି ଖାମେନେଇଙ୍କ ମୃତ୍ୟୁ ପରେ ନୂତନ ନେତୃତ୍ୱ ସହ କଥାବାର୍ତ୍ତା ଚାଲିଛି। ସେ ଦାବି କରିଛନ୍ତି ଯେ ଖାମେନେଇଙ୍କ ପୁତ୍ର ମୋଜତବା ଖାମେନେଇ ହୁଏତ ମୃତ କିମ୍ବା ଗୁରୁତର ଅସୁସ୍ଥ ଅଛନ୍ତି। ତଥାପି ଇରାନ୍ ପକ୍ଷରୁ ଏହି ଦାବିକୁ ଖଣ୍ଡନ କରାଯାଇଛି ଏବଂ ନେତୃତ୍ୱ ସୁରକ୍ଷିତ ଥିବା କୁହାଯାଇଛି।
ଇରାନ୍ ପାର୍ଲାମେଣ୍ଟ ସ୍ପିକର୍ ଘାଲିବାଫ୍ ପୂର୍ବରୁ କହିଛନ୍ତି ଯେ ଆମେରିକୀୟ ସୈନ୍ୟ ଯଦି ସ୍ଥଳଭାଗରେ ପ୍ରବେଶ କରେ ତେବେ ସେମାନଙ୍କୁ ‘ଆଗ୍ନେୟ ବର୍ଷା’ କରାଯିବ। ଏହି ପରିସ୍ଥିତି ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଆହୁରି ଭୟଙ୍କର ହେବା ଆଶଙ୍କାକୁ ବଢ଼ାଇଛି। ଟ୍ରମ୍ପ କହିଛନ୍ତି ଯେ ଆଲୋଚନା ଅତି ଭଲ ଭାବରେ ଚାଲିଛି ଏବଂ ଏକ ଚୁକ୍ତି ଶୀଘ୍ର ହୋଇପାରେ। ତେବେ ଏହି ବିବୃତ୍ତି ପରେ ଆନ୍ତର୍ଜାତୀୟ ତୈଳ ବଜାରରେ ଉତ୍ତେଜନା ଦେଖାଦେଇଛି।ଆମେରିକା ଓ ଇରାନ୍ ମଧ୍ୟରେ ଚାଲିଥିବା ଯୁଦ୍ଧର ପଞ୍ଚମ ସପ୍ତାହରେ ଏଭଳି ସ୍ଥିତି ଆସିଛି ଏବଂ ବିଶ୍ୱ ନେତାମାନେ ଏହା ଉପରେ ନଜର ରଖିଛନ୍ତି।









