ଭାରତର ସାଇବର କ୍ଷେତ୍ର ବର୍ତ୍ତମାନ ସବୁଠୁ ବ୍ୟସ୍ତବହୁଳ ସମୟ ଦେଇ ଗତି କରୁଛି। ପ୍ରତ୍ୟେକ ଦିନ କୋଟି କୋଟି କାରବାର ଏବଂ ବିନିମୟ ହେଉଛି। ଏବେ ଦେଶର 86% ପରିବାର ପାଖରେ ଇଣ୍ଟରନେଟ୍ ସଂଯୋଗ ରହିଛି। ଏହା ଡିଜିଟାଲ ଇଣ୍ଡିଆ ଅଭିଯାନର ଅଭୂତପୂର୍ବ ପ୍ରଗତିକୁ ଦର୍ଶାଉଛି। ବର୍ଦ୍ଧିତ ଡିଜିଟାଲ ପରିସର ନାଗରିକମାନଙ୍କୁ ସେମାନଙ୍କ ହାତ ପାଆନ୍ତାରେ ଡିଜିଟାଲ ସେବାର ଉପଲବ୍ଧତା ସହଜ କରିଛି। ତେବେ ଏସବୁ ମଧ୍ୟରେ, ସାଇବର ଠକେଇ ଭଳି ଘଟଣା ଚିନ୍ତାର କାରଣ ପାଲଟିଛି। ସୁତରାଂ, ସାଇବର ସୁରକ୍ଷା ଏକ ଜାତୀୟ ପ୍ରାଥମିକତା ପାଲଟିଛି।
ବେଆଇନ ଭାବେ ଡିଜିଟାଲ ପ୍ଲାଟଫର୍ମଗୁଡ଼ିକୁ ଆକ୍ସେସ୍ କରିବା, ଡାଟା ବା ତଥ୍ୟ ଚୋରି କରିବା କିମ୍ବା ଅନଲାଇନ୍ ସ୍କାମ୍ ଆଦିକୁ ସାଧାରଣତଃ ସାଇବର ଠକେଇ କୁହାଯାଏ। ଏହାଦ୍ୱାରା ପୀଡ଼ିତମାନେ ପ୍ରାୟତଃ ଆର୍ଥିକ କ୍ଷତି ଏବଂ ମାନସିକ ଅଶାନ୍ତିର ସାମ୍ନା କରନ୍ତି।
ସାଇବର ସୁରକ୍ଷା ଘଟଣା 2022ରେ 10.29 ଲକ୍ଷ ଥିବା ବେଳେ 2024ରେ ଏହା 22.68 ଲକ୍ଷକୁ ବୃଦ୍ଧି ପାଇଛି। ଏହି ଧାରା ଭାରତରେ ଡିଜିଟାଲ ବିପଦର ବ୍ୟାପକତା ଏବଂ ଜଟିଳତାକୁ ପ୍ରଦର୍ଶିତ କରିଥାଏ। ଜାତୀୟ ସାଇବର ଅପରାଧ ରିପୋର୍ଟିଂ ପୋର୍ଟାଲ (ଏନସିଆରପି)ର ତଥ୍ୟ ମୁତାବକ 28 ଫେବୃଆରୀ 2025 ସୁଦ୍ଧା 36.45 ଲକ୍ଷ ଟଙ୍କାର ସାଇବର ଠକେଇ ହୋଇଛି। ଯଦିଓ ଏହି ସମସ୍ୟା ଦିନକୁ ଦିନ ବଢ଼ୁଛି ତଥାପି ଦେଶରେ ସାଇବର ଠକେଇକୁ ଠାବ କରିବା ଏବଂ ଅଭିଯୋଗ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ବ୍ୟବସ୍ଥା ମଧ୍ୟ ସୁଦୃଢ଼ ହୋଇଛି।
ସାଇବର ଠକେଇ କେବଳ ଗୋଟିଏ ଦୁଇଟି ପଦ୍ଧତି ମଧ୍ୟରେ ସୀମିତ ନାହିଁ। ବରଂ ନୂଆ ନୂଆ ପ୍ରଯୁକ୍ତି ଏବଂ ବ୍ୟବହାରକାରୀଙ୍କ ଆଚରଣକୁ ଆଧାର କରି ସାଇବର ଅପରାଧୀମାନେ ଠକେଇ ପାଇଁ ନୂଆ ନୂଆ ଉପାୟ ଏବଂ ପଦ୍ଧତି ଅବଲମ୍ବନ କରୁଛନ୍ତି। ଏଥିଯୋଗୁ ହେଉଥିବା ଆର୍ଥିକ କ୍ଷତି ସାଇବର ଠକମାନଙ୍କର ବିଶ୍ୱସ୍ତରୀୟ ପହଞ୍ଚ ଏବଂ ସଂଗଠିତ ଅପରାଧର ସଂକେତ ଦେଉଛି। ଅଧିକାଂଶ ଠକଙ୍କ ମୂଳ ଠିକଣା ଦକ୍ଷିଣପୂର୍ବ ଏସିଆ ହୋଇଥିବା ଜଣାପଡ଼ିଛି।
ସ୍ପୁଫିଂ ଭଳି ପଦ୍ଧତି ବ୍ୟବହାର କରି ଅପରାଧୀମାନେ ବିଶ୍ୱସ୍ତ ଉତ୍ସର ପରିଚୟ ଦେଇ ଏକାଧିକ ଠକେଇ କରୁଛନ୍ତି। ଏଆଇ ବ୍ୟବହାର କରି ଡିପଫେକର ଉପଯୋଗ ଏବଂ ଫିଶିଂ ଭଳି ମାମଲାରେ ଅପରାଧୀମାନେ ଜାଲ୍ ଇମେଲ୍ କିମ୍ବା ମେସେଜ୍ ପଠେଇ ବ୍ୟବହାରକାରୀଙ୍କ ଠାରୁ ସମ୍ବେଦନଶୀଳ ତଥ୍ୟ ଚୋରି କରି ନେଉଛନ୍ତି। ୟୁପିଆଇ ବର୍ତ୍ତମାନ ଦେଶର ସବୁଠୁ ପସନ୍ଦଯୋଗ୍ୟ ଡିଜିଟାଲ ଅର୍ଥପୈଠ ମାଧ୍ୟମ ପାଲଟିଛି। ତେବେ ଠକମାନେ ବେଆଇନ ମୋବାଇଲ ନମ୍ବର ଜରିଆରେ ୟୁପିଆଇରେ ଆର୍ଥିକ ଠକେଇ କରୁଛନ୍ତି। ଦୂରସଞ୍ଚାର ବିଭାଗ ଏଥିପାଇଁ ଏକ ଆର୍ଥିକ ଠକେଇ ବିପଦ ସୂଚକ (ଏଫଆରଆଇ) ପ୍ରଚଳନ କରିଛି। ଏଥିରେ ସନ୍ଦିଗ୍ଧ ମୋବାଇଲ ନମ୍ବରଗୁଡ଼ିକୁ ମଧ୍ୟମ, ଉଚ୍ଚ କିମ୍ବା ଅତି ଉଚ୍ଚ ବିପଦ ବର୍ଗରେ ବର୍ଗୀକୃତ କରାଯାଇଛି।