ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନବରାତ୍ରୀର ଚତୁର୍ଥ ଦିନରେ ଦେବୀ କୁଷ୍ମାଣ୍ଡାଙ୍କୁ ପ୍ରାର୍ଥନା କରିଛନ୍ତି ।
ଏକ୍ସରେ ଏକ ଭିଡିଓ ସେୟାର କରି ପ୍ରଧାନମନ୍ତ୍ରୀ ପୋଷ୍ଟ କରିଛନ୍ତି;
“ନବରାତ୍ରୀରେ ଆଜି ଦେବୀ ମାତାଙ୍କ ଚତୁର୍ଥ ସ୍ୱରୂପ ମା’ କୁଷ୍ମାଣ୍ଡାଙ୍କୁ ମୋର ସାଦର ପ୍ରଣାମ! ସୂର୍ଯ୍ୟଙ୍କ ସମାନ ଦୈଦୀପ୍ୟମାନ ଦେବୀ ମା’ଙ୍କୁ ଏହା ପ୍ରାର୍ଥନା, ସେ ସମସ୍ତ ଭକ୍ତଙ୍କୁ ସମ୍ପନ୍ନତା ଓ ପ୍ରସନ୍ନତାର ଆଶୀର୍ବାଦ ଦିଅନ୍ତୁ । ତାଙ୍କର ଦିବ୍ୟ ଆଲୋକ ପ୍ରତ୍ୟେକଙ୍କ ଜୀବନକୁ ଆଲୋକିତ କରୁ ।
କୁଷ୍ମାଣ୍ଡା ଦେବୀ ବ୍ରହ୍ମାଣ୍ଡ ସୃଷ୍ଟି କରିପାରନ୍ତି । କୁଷ୍ମାଣ୍ଡାଙ୍କୁ ଦେବୀ ଦୁର୍ଗାଙ୍କର ଚତୁର୍ଥ ଅବତାର ବୋଲି ମନେକରାଯାଏ । ନବରାତ୍ରୀର ଚତୁର୍ଥ ଦିବସରେ କୁଷ୍ମାଣ୍ଡାଙ୍କୁ ପୂଜା କରାଯାଏ; ସେ ସମ୍ପଦ ଓ ଶକ୍ତିର ଦେବୀ ଅଟନ୍ତି । ଦେବୀ କୁଷ୍ମାଣ୍ଡାଙ୍କର ଆଠଟି ହାତ ଥିବାରୁ ସେ ଅଷ୍ଟଭୂଜା ଦେବୀ ଭାବରେ ପରିଚିତ । ତାଙ୍କ ଜପାମାଳାରେ ସିଦ୍ଧି ଓ ନିଧି ଦେବାର ସମସ୍ତ ଶକ୍ତି ନିହିତ ଥାଏ ।
ପ୍ରବାଦ ଅଛି, ସେ କେବଳ ସ୍ମିତ ହସଦ୍ୱାରା ସମସ୍ତ ବ୍ରହ୍ମାଣ୍ଡ ସୃଷ୍ଟି କରିଥିଲେ । ସେ ଧଳା କଖାରୁ ବା କୁଷ୍ମାଣ୍ଡକୁ ଭଲ ପାଆନ୍ତି । ତାଙ୍କର ବ୍ରହ୍ମାଣ୍ଡ ଓ କୁଷ୍ମାଣ୍ଡ ସାଥିରେ ସମ୍ପର୍କ ରହିବା ଯୋଗୁ ତାଙ୍କର ଏହି ଲୋକପ୍ରିୟ କୁଷ୍ମାଣ୍ଡା ନାମ ହୋଇଛି ।
କୁଷ୍ମାଣ୍ଡାଙ୍କର ୮ ବା ଦଶ ହାତ ଥିବା ବର୍ଣ୍ଣନା କରାଯାଏ ଯାହା ସାହାଯ୍ୟରେ ସେ ପଦ୍ମ, ଚକ୍ର, କମଣ୍ଡଳୁ, ଧନୁ, ତୀର, ଗଦା, ମାଳା, ଅମୃତ ପାତ୍ର ଓ ରକ୍ତ ଇତ୍ୟାଦି ଧରିଥାଆନ୍ତି । ତାଙ୍କର ଭକ୍ତମାନଙ୍କୁ ତାଙ୍କର ଗୋଟିଏ ହାତରେ ଥିବା ଅଭୟ ମୁଦ୍ରା ସାହାଯ୍ୟରେ ସେ ଆଶୀର୍ବାଦ ଦିଅନ୍ତି । ବାଘ ହେଉଛି ତାଙ୍କର ବାହନ ।
ଏପରି ଗୋଟିଏ ସମୟ ଥିଲା ଯେତେବେଳେ ପୃଥିବୀ ବୋଲି କିଛି ନଥିଲା, ଗୋଟିଏ ଶୂନ୍ୟ ସ୍ଥାନ ଅନ୍ଧକାରରେ ଆଚ୍ଛାଦିତ ଥିଲା । ସଂସାରର କୌଣସି ଚିହ୍ନ ବର୍ଣ୍ଣ ନଥିଲା । କେବଳ ଗୋଟିଏ ଆଲୋକ ରେଖା ସର୍ବଦା ବିରାଜମାନ ଥିଲା ଯାହା ଏହି ଶୂନ୍ୟ ସ୍ଥାନକୁ ଆଲୋକିତ କରୁଥିଲା । ଏହି ଆଲୋକ ସାଗରର ଆକାର ନଥିଲା । ହଠାତ ଏହି ଶୂନ୍ୟ ସ୍ଥାନରେ ଆକାର ବିରାଜମାନ ହେଲା ଯାହା ଏକ ସ୍ୱର୍ଗୀୟ ଦେବୀ ଭଳି ପ୍ରତୀତ ହେଲେ ଓ ସେ କୁଷ୍ମାଣ୍ଡା ଥିଲେ । ଦେବୀଙ୍କର ନିରବ ସ୍ମିତ ହସରୁ ବ୍ରହ୍ମାଣ୍ଡର ସୃଷ୍ଟି ଆରମ୍ଭ ହେଲା । ତାଙ୍କ ସ୍ମିତ ହସଦ୍ୱାରା ଅନ୍ଧକାର ଦୂରୀଭୂତ ହୋଇ ଏକ ନୂଆ ବ୍ରହ୍ମାଣ୍ଡ ତିଆରି ହେଲା । ଏହି ହସରୁ ଆଲୋକ ଓ ଜୀବନ ସୃଷ୍ଟି ହେଲା । ପୃଥିବୀ, ଗ୍ରହ, ନକ୍ଷତ୍ର ଓ ଆକାଶ ଗଙ୍ଗାର ସୃଷ୍ଟି ହୋଇଥିଲା । ଜୀବ ଜଗତ ବଞ୍ଚିବା ନିମନ୍ତେ ସୂର୍ଯ୍ୟ ଦରକାର ହେଲା । ତେଣୁ ସେ ସୂର୍ଯ୍ୟ ଓ ଶକ୍ତି ସୃଷ୍ଟି କଲେ ଓ ଜୀବ ଜଗତ ବଞ୍ଚି ରହିବା ନିମନ୍ତେ ଶକ୍ତି ଓ ଆଲୋକ ଦେଲେ । ତାଙ୍କର ଶକ୍ତି ପାଇ ସୂର୍ଯ୍ୟ ଏତେ ଶକ୍ତିଶାଳୀ ।
ସେ ହିଁ ସୂର୍ଯ୍ୟଙ୍କର ଉତ୍ସ । ତାଙ୍କ ବିନା ଆଲୋକ ଓ ଶକ୍ତି ନିଷ୍ପ୍ରଭ ହୋଇଯିବ । ସୃଷ୍ଟିକୁ ସୂର୍ଯ୍ୟ ଆଲୋକିତ କରୁଥିଲେ ମଧ୍ୟ ତାଙ୍କ ଯୋଗୁ ସୂର୍ଯ୍ୟ ଶକ୍ତିପ୍ରାପ୍ତ ହେଉଛନ୍ତି । କୁଷ୍ମାଣ୍ଡା ରୂପରେ ସେ ଶକ୍ତିମୟୀ ହୁଅନ୍ତି । ଦେବତା, ମାନବ ଓ ଅନ୍ୟାନ୍ୟ ପାର୍ଥିବ ଜୀବ ତାଙ୍କର ପୂଜା କଲେ ସେ ସ୍ମିତ ହସ ପ୍ରଦାନ କରନ୍ତି ।