ଅନଲାଇନ୍ ପେମେଣ୍ଟକୁ ଆହୁରି ସୁରକ୍ଷିତ କରିବା ପାଇଁ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (RBI) ନୂଆ ନିୟମ ଆଣିଛି। ଏହି ନୂଆ ପ୍ରସ୍ତାବ ଅନୁଯାୟୀ, କିଛି ବିଶେଷ ଧରଣର UPI ଟ୍ରାଞ୍ଜାକ୍ସନ୍ରେ ଟଙ୍କା ପଠାଇବା ସମୟରେ ଗ୍ରାହକଙ୍କୁ କିଛି ସମୟ ଅପେକ୍ଷା କରିବାକୁ ପଡ଼ିବ।
ନୂଆ ନିୟମ ଅନୁସାରେ, ଅଧିକ ପରିମାଣର ଟଙ୍କା କାରବାର କିମ୍ବା ସନ୍ଦେହଜନକ ପେମେଣ୍ଟ କ୍ଷେତ୍ରରେ ବ୍ୟାଙ୍କ ସୁରକ୍ଷା ଯାଞ୍ଚ ପାଇଁ କିଛି ସମୟ ନେବ। ଏହା ଦ୍ୱାରା ସାଇବର ଠକେଇ ଓ ଅନଧିକୃତ ଟ୍ରାଞ୍ଜାକ୍ସନ୍ ବହୁତ କମିବ ବୋଲି ଆରବିଆଇ ଆଶା କରୁଛି।
ଏଥିସହିତ ଗ୍ରାହକଙ୍କୁ ଏଭଳି ଏକ ସୁବିଧା ମିଳିବ, ଯାହାଦ୍ୱାରା ଗୋଟିଏ କ୍ଲିକ୍ରେ ସେ ସମସ୍ତ ଡିଜିଟାଲ୍ ପେମେଣ୍ଟ ସେବାକୁ ବନ୍ଦ କରିପାରିବେ। ଯଦି କୌଣସି ପେମେଣ୍ଟ ବ୍ୟାଙ୍କକୁ ସନ୍ଦେହଜନକ ଲାଗେ, ତେବେ ଗ୍ରାହକଙ୍କୁ ଦ୍ୱିତୀୟ ଥର କନଫର୍ମେସନ୍ ଦେବାକୁ ପଡ଼ିପାରେ। ୭୦ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତି ଓ ଭିନ୍ନକ୍ଷମଙ୍କ ପାଇଁ ଜଣେ ‘ବିଶ୍ୱସ୍ତ ବ୍ୟକ୍ତି’ଙ୍କ ଅନୁମତି ଜରୁରୀ ହେବ, ଯଦି କାରବାର ୫୦,୦୦୦ ଟଙ୍କାରୁ ଅଧିକ ହୁଏ।
ଏହି ପଦକ୍ଷେପ ମୁଖ୍ୟତଃ ଉପଭୋକ୍ତାଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ନିଆଯାଇଛି। ଛୋଟ ପରିମାଣର ଦୈନନ୍ଦିନ ପେମେଣ୍ଟରେ କୌଣସି ପରିବର୍ତ୍ତନ ହେବ ନାହିଁ। କେବଳ ବଡ଼ ଟ୍ରାଞ୍ଜାକ୍ସନ୍ ଏବଂ ଅସ୍ୱାଭାବିକ ପ୍ୟାଟର୍ନର ପେମେଣ୍ଟରେ ଏହି ନୂଆ ନିୟମ ଲାଗୁ ହେବ। ଆରବିଆଇ କହିଛି ଯେ, ଏହା ଦ୍ୱାରା UPI ପ୍ରଣାଳୀର ବିଶ୍ୱାସଯୋଗ୍ୟତା ଆହୁରି ବଢ଼ିବ ଏବଂ ଲୋକଙ୍କ ଟଙ୍କା ସୁରକ୍ଷିତ ରହିବ। ନୂଆ ନିୟମ ଶୀଘ୍ର ଲାଗୁ ହେବ ବୋଲି ଜଣାପଡ଼ିଛି।





/odishatv/media/post_attachments/uploadimage/library/16_9/16_9_0/recent_photo_1743954136.webp?w=640&resize=640,360&ssl=1)





