ନେପାଳ ସରକାର ଜାରି କରିଥିବା ୧୦୦ ଟଙ୍କିଆ ନୋଟ୍ରେ ଭାରତର କିଛି ଅଂଶ ସ୍ଥାନ ପାଇଛି । ଯେଉଁଥିରେ ବିବାଦୀୟ ଭାରତୀୟ ଅଞ୍ଚଳକୁ ନେପାଳର ଅଂଶ ଭାବରେ ଦର୍ଶାଯାଇଛି। ନେପାଳର ଏହି ପଦକ୍ଷେପ ଭାରତ ସହିତ ଦଶନ୍ଧି ଧରି ଅସମାହିତ ରହିଥିବା ସୀମା ବିବାଦକୁ ପୁଣି ଥରେ ଉଜ୍ଜୀବିତ କରିଛି । ଭାରତ ଏହାକୁ ନେଇ କଡ଼ା ପ୍ରତିକ୍ରିୟା ଦେଇଛି।
ନେପାଳର ଶହେ ଟଙ୍କିଆ ନୋଟରେ କାଲାପାଣି, ଲିପୁଲେଖ, ଲିମ୍ପିୟାଧୁରା ଅଞ୍ଚଳଗୁଡ଼ିକ ରହିଛି । ଯାହା କି ଉତ୍ତରାଖଣ୍ଡ ନିକଟସ୍ଥ ନେପାଳର ପଶ୍ଚିମ ସୀମାନ୍ତରେ ଅବସ୍ଥିତ ଏବଂ ଭାରତ ଦୀର୍ଘ ଦିନରୁ ଏହାକୁ ନିଜର ସାର୍ବଭୌମ ଅଞ୍ଚଳ ବୋଲି ଦାବି କରିଆସୁଛି। କାଠମାଣ୍ଡୁ ଏହି ଅଞ୍ଚଳକୁ ନିଜ ମୁଦ୍ରାରେ ସ୍ଥାନ ଦେଇ ଏକ ରାଜନୈତିକ ବାର୍ତ୍ତା ଦେଇଛି । ନେପାଳ ରାଷ୍ଟ୍ର ବ୍ୟାଙ୍କ ଦ୍ୱାରା ଜାରି କରାଯାଇଥିବା ନୂଆ ୧୦୦ ଟଙ୍କିଆ ନୋଟରେ କାଲାପାଣି, ଲିପୁଲେଖ ଓ ଲିମ୍ପିୟାଧୁରା ଅଞ୍ଚଳ ମାନଚିତ୍ରରେ ରହିଛି।
ଏହି ନୋଟରେ ପୂର୍ବତନ ଗଭର୍ଣ୍ଣର ମହା ପ୍ରସାଦ ଅଧିକାରୀଙ୍କ ସ୍ୱାକ୍ଷର ଅଛି ଏବଂ ମାଉଣ୍ଟ ଏଭରେଷ୍ଟ, ନେପାଳର ଜାତୀୟ ଫୁଲ ଲାଲଗୁରାଂଶ ଏବଂ ଅଶୋକ ସ୍ତମ୍ଭ ସହିତ “ଲୁମ୍ବିନୀ, ଭଗବାନ ବୁଦ୍ଧଙ୍କ ଜନ୍ମସ୍ଥାନ” ଲେଖାଯାଇଛି। ନୋଟର ପଛ ପାର୍ଶ୍ୱରେ ଗୋଟିଏ ଶିଙ୍ଗ ଥିବା ଗଣ୍ଡା ଓ ତା’ର ଛୁଆର ଚିତ୍ର ରହିଛି।
କାଲାପାଣି, ଉତ୍ତରାଖଣ୍ଡର ପିଥୋରାଗଡ ଜିଲ୍ଲାରେ ଅବସ୍ଥିତ ଏହି ଅଞ୍ଚଳ ଭାରତ-ଚୀନ-ନେପାଳର ତ୍ରି-ସୀମା ନିକଟରେ ରହିଛି। ୧୮୧୬ ସୁଗୌଲି ଚୁକ୍ତି ମହାକାଳୀ ନଦୀକୁ ନେପାଳର ପଶ୍ଚିମ ସୀମା ଭାବରେ ଦର୍ଶାଉଥିବାବେଳେ, ନେପାଳ ଦାବି କରେ ଯେ ନଦୀର ଉତ୍ପତ୍ତିସ୍ଥଳ ଲିମ୍ପିୟାଧୁରାରେ।
ଲିପୁଲେଖ ହେଉଛି ହିମାଳୟ ପାର୍ଶ୍ବ ରାସ୍ତା ଯାହା ଉତ୍ତରାଖଣ୍ଡକୁ ତିବ୍ବତ ସହ ଯୋଡ଼ିଥାଏ ଏବଂ କୈଳାସ ମାନସରୋବର ଯାତ୍ରୀମାନଙ୍କ ଦ୍ୱାରା ବ୍ୟବହୃତ ହୁଏ।
ଲିମ୍ପିୟାଧୁରା କାଳାପାଣିର ଉତ୍ତର-ପଶ୍ଚିମରେ ଥିବା ଏହି ଗ୍ଲେସିଆଲ୍ କୁ ନେପାଳ ମହାକାଳୀ ନଦୀର ପ୍ରକୃତ ଉତ୍ପତ୍ତିସ୍ଥଳ ବୋଲି ଦାବି କରୁଛି।
ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ନେପାଳର ଏହି ପଦକ୍ଷେପକୁ ଅଗ୍ରାହ୍ୟ କରିଛି ଏବଂ ଏହାକୁ ‘ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି କହିଛି । ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ଏହି ଚିତ୍ରାଙ୍କନ କିଛି ପରିବର୍ତ୍ତନ ଆଣିବ ନାହିଁ । ଗତ ଏକ ଦଶନ୍ଧି ଧରି ଚୀନ ହିଁ ନେପାଳୀ ନୋଟ୍ ଛାପୁଛି। ଭାରତୀୟ ପ୍ରିଣ୍ଟରମାନେ ବିବାଦୀୟ ଅଞ୍ଚଳକୁ ନେପାଳ ମାନଚିତ୍ରରେ ଦେଖାଇବାକୁ ମନା କରିବା ପରେ ନେପାଳ ଚୀନକୁ ନୋଟ ଛାପିବା ପାଇଁ ଦେଉଛି । ଭାରତ ଏହି ପରିବର୍ତ୍ତନକୁ ନେପାଳର ଚୀନ ଆଡ଼କୁ ବଢୁଥିବା ଭୌଗୋଳିକ ରାଜନୈତିକ ସମ୍ପର୍କର ଏକ ଅଂଶ ଭାବରେ ଦେଖୁଛି। ଭାରତ ଏବେ ମଧ୍ୟ କୂଟନୈତିକ ଆଲୋଚନା ପାଇଁ ପ୍ରସ୍ତୁତ ଥିବା କହିଛି, କିନ୍ତୁ କାଗଜପତ୍ରରେ ସୀମାକୁ ବଦଳାଇବା ଗ୍ରହଣୀୟ ନୁହେଁ ବୋଲି ସ୍ପଷ୍ଟ କରିଛି।


















