ଯୁକ୍ତରାଷ୍ଟ୍ର ଆମେରିକା ଓ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧରେ ଚୀନ୍ ନୀରବ ଖେଳାଳି ଭାବେ ରହିଥିଲା। କିନ୍ତୁ ଏବେ ପ୍ରକାଶ ପାଇଛି ଯେ, ଚୀନର ଗୋପନୀୟ କୂଟନୀତି ଏବଂ ଶେଷ ମୁହୂର୍ତ୍ତର ହସ୍ତକ୍ଷେପ ଯୋଗୁଁ ଇରାନ ଦୁଇ ସପ୍ତାହର ଯୁଦ୍ଧବିରାମ ଚୁକ୍ତିକୁ ସମ୍ମତି ଦେଇଛି। ଫଳରେ ପାକିସ୍ତାନ ନୁହେଁ, ଚୀନ୍ ହିଁ ଏହି ଯୁଦ୍ଧବିରାମର ପ୍ରକୃତ ଖେଳାଳି ଭାବେ ଉଭା ହୋଇଛି।
ଇଣ୍ଡିଆ ଟୁଡେର ରିପୋର୍ଟ ଅନୁଯାୟୀ, ଯୁଦ୍ଧ ଚାଲିଥିବା ସମୟରେ ଚୀନ୍ ତେହରାନର ଏକ ପ୍ରମୁଖ ମିତ୍ର ହୋଇଥିଲେ ମଧ୍ୟ ସାର୍ବଜନୀନ ଭାବେ କୌଣସି ସକ୍ରିୟ ଭୂମିକା ନେଇ ନଥିଲା। କିନ୍ତୁ ଯୁଦ୍ଧବିରାମ ଚର୍ଚ୍ଚା ଶେଷ ପର୍ଯ୍ୟାୟରେ ଚୀନ୍ ଇରାନୀ କର୍ତ୍ତୃପକ୍ଷଙ୍କ ସହିତ ଯୋଗାଯୋଗ କରି ସେମାନଙ୍କୁ ଯୁଦ୍ଧବିରାମ ପ୍ରସ୍ତାବକୁ ଗ୍ରହଣ କରିବାକୁ ବୁଝାଇଥିଲା। ଏହି ଶେଷ ମୁହୂର୍ତ୍ତର ହସ୍ତକ୍ଷେପ ଯୋଗୁଁ ଇରାନ ଦୁଇ ସପ୍ତାହର ଯୁଦ୍ଧବିରାମ ଚୁକ୍ତିରେ ରାଜି ହୋଇଥିଲା ବୋଲି ଜଣାପଡ଼ିଛି।
ଯୁକ୍ତରାଷ୍ଟ୍ର ପ୍ରେସିଡେଣ୍ଟ ଡୋନାଲ୍ଡ ଟ୍ରମ୍ପ ପାକିସ୍ତାନର ଭୂମିକାକୁ କ୍ରେଡିଟ୍ ଦେଇଥିଲେ ଏବଂ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରୀଫ୍ ଓ ଫିଲ୍ଡ ମାର୍ଶାଲ ଆସିମ୍ ମୁନିରଙ୍କ ସହିତ ଆଲୋଚନା ପରେ ଯୁଦ୍ଧବିରାମ ଘୋଷଣା କରିଥିଲେ। କିନ୍ତୁ ନ୍ୟୁୟର୍କ ଟାଇମ୍ସ ଏବଂ ଅନ୍ୟାନ୍ୟ ରିପୋର୍ଟ ଅନୁଯାୟୀ, ପାକିସ୍ତାନ, ତୁର୍କୀ ଓ ଇଜିପ୍ଟଙ୍କ ମଧ୍ୟସ୍ଥତା ମାଧ୍ୟମରେ ଚୀନ୍ ପୃଷ୍ଠଭୂମିରେ କାର୍ଯ୍ୟ କରୁଥିଲା। ଚୀନ୍ ଇରାନର ସର୍ବବୃହତ୍ତମ ବାଣିଜ୍ୟ ସହଯୋଗୀ ହୋଇଥିବାରୁ ତେହରାନ ଉପରେ ତାହାର ଯଥେଷ୍ଟ ପ୍ରଭାବ ରହିଛି।
ଏହି ଯୁଦ୍ଧବିରାମ ଚୁକ୍ତି ପରେ ଇରାନ ହର୍ମୁଜ୍ ପ୍ରଣାଳୀ ଖୋଲିବାକୁ ରାଜି ହୋଇଛି, ଯାହା ବିଶ୍ୱର ଶକ୍ତି ପରିବହନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଏ । ପାକିସ୍ତାନ ଏହି ଆଲୋଚନାରେ ଏକ ମଧ୍ୟସ୍ଥି ଭାବେ ସକ୍ରିୟ ଥିଲା ଏବଂ ଇସଲାମାବାଦରେ ଆଗାମୀ ଆଲୋଚନା ହେବାର ସମ୍ଭାବନା ରହିଛି। ତଥାପି ଚୀନର ଗୋପନୀୟ ହସ୍ତକ୍ଷେପ ଏହି ଚୁକ୍ତିର ମୂଳ କାରଣ ବୋଲି ବିଶ୍ଳେଷକମାନେ ମତ ଦେଉଛନ୍ତି।ଏହି ଘଟଣା ଚୀନର କୂଟନୀତିକ କ୍ଷମତାକୁ ପୁନଃ ପ୍ରମାଣିତ କରୁଛି ଏବଂ ଏହା ମଧ୍ୟପ୍ରାଚ୍ୟରେ ତାହାର ପ୍ରଭାବ ବଢ଼ାଇବାରେ ସହାୟକ ହୋଇପାରେ। ଯଦିଓ ପାକିସ୍ତାନ ସାର୍ବଜନୀନ ଭାବେ କ୍ରେଡିଟ୍ ନେଉଛି, ପୃଷ୍ଠଭୂମିରେ ଚୀନ ଭୂମିକା ଅଧିକ ନିର୍ଣ୍ଣାୟକ ଥିଲା ବୋଲି ରିପୋର୍ଟ ସୂଚାଇଛି।











