ଯୁକ୍ତରାଷ୍ଟ୍ର ଆମେରିକା ଇରାନ ବିରୋଧରେ ଯୁଦ୍ଧ ଆରମ୍ଭ କରି ତେହରାନରେ ଶାସନ ପରିବର୍ତ୍ତନର ବାହାସ୍ପୋଟ ମାରିଥିଲା। କିନ୍ତୁ ଏବେ ପରିସ୍ଥିତି ବିପରୀତ ମୋଡ଼ ନେଇଛି। ଓ୍ୱାଶିଂଟନ୍ ଡିସିରେ ଶାସନ ପରିବର୍ତ୍ତନର ସମ୍ଭାବନା ଦେଖାଦେଇଛି।
ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଉଚ୍ଚପଦସ୍ଥ ଅଧିକାରୀଙ୍କୁ ବରଖାସ୍ତ କରିବାର ସଂଖ୍ୟା ବଢ଼ୁଛି, ଯାହାକୁ ବିଶେଷଜ୍ଞମାନେ ଶାସନ ପରିବର୍ତ୍ତନର ଏକ ବଡ଼ ସୂଚନା ବୋଲି କହୁଛନ୍ତି। ଇରାନ ସହ ଯୁଦ୍ଧ ଆରମ୍ଭ ହେବା ପରେ ଟ୍ରମ୍ପ ପ୍ରଶାସନରେ ଅସନ୍ତୋଷ ବଢ଼ିଛି। ସମ୍ପ୍ରତି କେତେକ ଉଚ୍ଚପଦସ୍ଥ ସାମରିକ ଅଧିକାରୀ ଏବଂ ଗୁପ୍ତଚର ବିଭାଗର ଅଧିକାରୀଙ୍କୁ ବରଖାସ୍ତ କରାଯାଇଛି।
ଏହା ସହ ଏଫବିଆଇ ନିର୍ଦ୍ଦେଶକ କାଶ ପଟେଲ୍ ଏବଂ ଜାତୀୟ ଗୁପ୍ତଚର ନିର୍ଦ୍ଦେଶକ ତୁଲସୀ ଗାବାର୍ଡଙ୍କ ପଦ ମଧ୍ୟ ବିପଦରେ ପଡ଼ିପାରେ ବୋଲି ଚର୍ଚ୍ଚା ହେଉଛି। ଟ୍ରମ୍ପ ଇରାନ ଯୁଦ୍ଧ ନୀତି ଉପରେ ଗାବାର୍ଡଙ୍କ ମତିଗତିକୁ ନେଇ ଅସନ୍ତୁଷ୍ଟ ଥିବା କୁହାଯାଉଛି।
ବିଶେଷଜ୍ଞମାନେ କହୁଛନ୍ତି ଯେ, ଇରାନ ଯୁଦ୍ଧର ପ୍ରଭାବ ଯୁକ୍ତରାଷ୍ଟ୍ରର ଅଭ୍ୟନ୍ତରୀଣ ରାଜନୀତିରେ ପଡ଼ୁଛି। ଟ୍ରମ୍ପ ପ୍ରଶାସନ ନିଜର ଲକ୍ଷ୍ୟ ପୂରଣ ପାଇଁ ବିଶ୍ୱସ୍ତ ଲୋକଙ୍କୁ ଗୁରୁତ୍ୱପୂର୍ଣ୍ଣ ପଦରେ ରଖିବାକୁ ଚାହୁଁଛି। ଏହା ଫଳରେ ଅନେକ ପୁରୁଣା ଅଧିକାରୀଙ୍କୁ ବାହାର କରାଯାଉଛି। କେତେକ ସୂତ୍ର ଅନୁଯାୟୀ, ଆହୁରି ଅନେକ ଉଚ୍ଚପଦସ୍ଥ ବ୍ୟକ୍ତିଙ୍କ ମୁଣ୍ଡ ଗଡ଼ିପାରେ।
ଇରାନ ସହ ଯୁଦ୍ଧ ଆରମ୍ଭ ହେବା ପରେ ଟ୍ରମ୍ପ ଦାବି କରିଛନ୍ତି ଯେ, ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନେଇଙ୍କ ମୃତ୍ୟୁ ସହ ସେଠାରେ ଶାସନ ପରିବର୍ତ୍ତନ ହୋଇସାରିଛି। କିନ୍ତୁ ବାସ୍ତବରେ ଇରାନର ଶାସନ ବ୍ୟବସ୍ଥା ଏପର୍ଯ୍ୟନ୍ତ ଅପରିବର୍ତ୍ତିତ ରହିଛି ଏବଂ ନୂତନ ନେତୃତ୍ୱ ସହ କଥାବାର୍ତ୍ତା ଚାଲିଛି। ଏହି ପରିପ୍ରେକ୍ଷୀରେ ଆମେରିକାର ଅଭ୍ୟନ୍ତରୀଣ ପରିବର୍ତ୍ତନ ସାରା ବିଶ୍ୱର ଦୃଷ୍ଟି ଆକର୍ଷଣ କରୁଛି।ଏହି ଘଟଣା ଟ୍ରମ୍ପଙ୍କ ଦ୍ୱିତୀୟ କାର୍ଯ୍ୟକାଳରେ ବଡ଼ ଅସ୍ଥିରତାର ସଙ୍କେତ ଦେଉଛି।






/odishatv/media/media_files/2025/11/06/3-siblings-swept-away-2025-11-06-22-04-49.jpeg?w=640&resize=640,400&ssl=1)




