ଦିବ୍ୟଜୀବନ ସଙ୍ଘ, ଶିବାନନ୍ଦ ଆଶ୍ରମ, ଭୁବନେଶ୍ୱରର ବରିଷ୍ଠ ସନ୍ନ୍ୟାସୀ ସ୍ୱାମୀ ତ୍ୟାଗସ୍ୱରୂପାନନ୍ଦ ସରସ୍ବତୀଙ୍କର ଆଜି ସକାଳ 10ଟା 12 ମିନିଟରେ 97 ବର୍ଷ ବୟସରେ, AIIMS ରେ ମହାପ୍ରୟାଣ ହୋଇଯାଇଛି. ଆଠ ଦଶ ଦିନ ହେବ ଅସୁସ୍ଥ ହୋଇ ଯାଇଥିଲେ. ଯାଜପୁର ଟାଉନ ନିକଟ ଚିତ୍ତଳୋ ଗ୍ରାମରେ ଏକ ସମ୍ବ୍ରାନ୍ତ ପରିବାରରେ ଜନ୍ମ ଗ୍ରହଣ କରିଥିଲେ. ପୂର୍ବାଶ୍ରାମ ନାମ ଥିଲା ତାଙ୍କର ପ୍ରାଣକୃଷ୍ଣ ରାଉତରାୟ. ସନ୍ନ୍ୟାସୀ ପୂର୍ବରୁ ତପୋବନ ହାଇସ୍କୁଲର ପ୍ରଧାନ ଶିକ୍ଷକ ଥିଲେ. ସନ୍ନ୍ୟାସ ଦୀକ୍ଷା ପରେ ଖଣ୍ଡଗିରି,ଶିବାନନ୍ଦ ସେଣ୍ଟିନାରୀ ବୟଜ ହାଇସ୍କୁଲର ପ୍ରଥମ ପ୍ରଧାନ ଶିକ୍ଷକ ଓ ସମ୍ପାଦକ ଥିଲେ. ବହୁତ ଆଧ୍ୟାତ୍ମିକ ପୁସ୍ତକ ଭାଗବତ, ମହାଭାରତ , ଅଷ୍ଟାବକ୍ର ଗୀତା, ସତୀ ଦ୍ରୌପଦୀ, ଭକ୍ତରାଜ ହନୁମାନ, ଧ୍ରୁବ, ପ୍ରହଲ୍ଲାଦ, ତୁଳସୀଦଳ ଇତ୍ୟାଦିର ରଚନା, ଗଦ୍ୟାନୁବାଦ ସୁନ୍ଦର ବ୍ୟାଖ୍ୟା କରିଛନ୍ତି. ଗୀତାପ୍ରେସର ସମସ୍ତ ଓଡ଼ିଆ ପୁସ୍ତକ ଆଜି ତାଙ୍କ ଉଦ୍ୟମରେ ପ୍ରକାଶିତ ହୋଇପାରିଛି.
ଯୋଗ ପ୍ରାଣାୟାମ ନିଜେ ଏହି ପରିଣତ ବୟସ ପର୍ଯ୍ୟନ୍ତ କରୁଥିଲେ ଓ ଅନ୍ୟମାନଙ୍କୁ ଶିକ୍ଷା ଦେଉଥିଲେ. ସେ ତାଙ୍କର ଉତ୍ତମ ବ୍ୟବହାର, ତ୍ୟାଗପୂତ ସେବା କାର୍ଯ୍ୟ ପାଇଁ ତାଙ୍କ ଗୁରୁ ଚିଦାନନ୍ଦ ମହାରାଜ ତାଙ୍କ ସନ୍ନ୍ୟାସୀ ନାମ ହିସାବରେ ତ୍ୟାଗ ସ୍ୱରୂପାନନ୍ଦ ଦେଇଥିଲେ. ତାଙ୍କର ମହନୀୟତା ପାଇଁ କେଵଳ ଦିବ୍ୟ ଜୀବନ ସଙ୍ଘ ନୁହେଁ ଓଡ଼ିଶାର ଅନ୍ୟ ଧର୍ମ ସଂସ୍ଥାମାନେ ତାଙ୍କୁ ଆଦର କରୁଥିଲେ. ଲୋକମାନଙ୍କର କିପରି ସ୍ୱାସ୍ଥ୍ୟ ଭଲ ରହିବ ତାଙ୍କର ଗବେଷଣା ଲବ୍ଧ ଆୟୁର୍ବେଦ ଔଷଧ , ସ୍ୱମୂତ୍ର ଚିକିତ୍ସା,ଚେର ମୂଳି, ପତ୍ର, ଲତା ଔଷଧ ଖାଇବା, ନିଜର ଖାଦ୍ୟ ପେୟ ଦିନାଚର୍ଯ୍ୟା କୁ ଠିକ ରଖି ପାରିଲେ ସ୍ୱାସ୍ଥ୍ୟ ଭଲ ରହିବ, ଏ ବିଷୟରେ ସମସ୍ତଙ୍କୁ ଉପଦେଶ ଦେଉଥିଲେ.ସେ ତାଙ୍କ ନିଜ ସ୍ୱାସ୍ଥ୍ୟକୁ ଶେଷ ପର୍ଯ୍ୟନ୍ତ ନିରୋଗ ରଖିପାରିଥିଲେ.

















