ରାଜ୍ୟସଭା ନିର୍ବାଚନରେ କ୍ରସ ଭୋଟିଂ ପରେ ବିଜେଡିରୁ ୬ ବିଧାୟକଙ୍କୁ ନିଲମ୍ବନ କରାଯିବା ପରେ ବିଶୃଙ୍ଖଳା କମିବା ବଦଳରେ ବଢ଼ିବାରେ ଲାଗିଛି । ଏହାର ଚିତ୍ର ଦେଖିବାକୁ ମିଳିଛି ସୁବାସିନୀଙ୍କ ବସ୍ତା ନିର୍ବାଚନ ମଣ୍ଡଳୀରେ । ସେଠାରେ ବହୁ ବିଜେଡି ନେତା ଦଳ ଛାଡିବା ପରେ ନବୀନଙ୍କ ପାଇଁ ଏହା ମୁଣ୍ଡବ୍ୟଥାର କାରଣ ହୋଇଛି । ସେପଟେ ବିଧାୟକ ସୌଭିକ ବିଶ୍ୱାଳ ଦଳର ନିଲମ୍ବନ ନିଷ୍ପତିକୁ କଡା ଚାଲେଞ୍ଜ କରିଛନ୍ତି ।
ରାଜ୍ୟ ସଂଗଠନ ସଜାଡୁ ସଜାଡୁ ସେପଟେ ବିଗିଡ଼ିଲାଣି ଜିଲ୍ଲା ସଂଗଠନ। ନେତାଙ୍କୁ ନିଲମ୍ବନ ପରେ ଦଳ ଛାଡିଲେ ସମର୍ଥକ। ପୁଣି ତେଜିଲା ପାଣ୍ଡିଆନଙ୍କ ବିରୋଧରେ ପ୍ରତିବାଦ। ନିଲମ୍ବନ ବିରୋଧରେ ଜଣକ ପରେ ଜଣେ ନେତା ବର୍ଷିବାରେ । ଏପଟେ ବିଜେଡି କହିଛି ୬ ବିଧାୟକଙ୍କୁ ନିଲମ୍ବନ ସହ ସଦସ୍ୟତା ପଦ ରଦ୍ଦ ପାଇଁ ଆଇନଗତ ଲଢେଇ ମଧ୍ୟ ଲଢ଼ିବ।
ବାଲେଶ୍ୱରରେ ସୁବାସିନୀ ସମର୍ଥକଙ୍କ ଇସ୍ତଫା ପର୍ବ ଆରମ୍ଭ ହୋଇଯାଇଛି । ବୁମେରାଂ ହେଲାଣି ୬ ବିଧାୟକଙ୍କୁ ନିଲମ୍ବନ। ବିଧାୟକଙ୍କ ସମର୍ଥନରେ ଦଳ ଛାଡ଼ିଲେ ବହୁ ତୃଣମୂଳ ସ୍ତର କର୍ମୀ ଓ ନେତା। ଏ ଦୃଶ୍ୟ ବସ୍ତା ନିର୍ବାଚନମଣ୍ଡଳୀ ଅଧୀନରେ ଥିବା ବାଲିଆପାଳ ବ୍ଲକର। ବାଲିଆପାଳ ବ୍ଲକ୍ ସଭାପତିଙ୍କ ସହ ଦୁଇ ଜଣ ଜିଲ୍ଲା ପରିଷଦ ଓ ୨ ହଜାର କର୍ମୀ ବିଜେଡିକୁ କରିଛନ୍ତି ବାଏ ବାଏ। ଏପଟେ କଟକରେ ବି ମେଳି । ପାଣ୍ଡିଆନଙ୍କ ପୋଷ୍ଟର ଜାଳିଛନ୍ତି ବିଧାୟକ ଦେବୀ ତ୍ରିପାଠୀଙ୍କ ସମର୍ଥକ ।
ଆଉ ଏପଟେ ସାମ୍ବାଦିକ ସମ୍ମିଳନୀ କରି ଦଳ ଓ ସୁପ୍ରିମୋଙ୍କ ଉପରେ ବର୍ଷିଛନ୍ତି ବିଧାୟକ ସୌଭିକ ବିଶ୍ବାଳ କହିଛନ୍ତି, ‘ବାପାଙ୍କୁ ବହିଷ୍କାର ବେଳେ ମୁଁ ବି ବହିଷ୍କାର ହୋଇଯାଇଛି ବୋଲି ଭାବିଥିଲି । ଯେଉଁ ଦଳ ବାପାଙ୍କ ମୁଣ୍ଡ କାଟ କରିଛି, ସେ ଦଳକୁ ପୁଅ କେମିତି ଭୋଟ ଦେବ । ଏବେ ରାଜନୈତିକ ଅସ୍ଥିରତା ଚାଲିଛି । ସମୟ କହିବ ରାଜନୈତିକ ନିଷ୍ପତି କଣ ହେବ । ସେପଟେ ବାଲିଗୁଡା ବିଧାୟକ ଚକ୍ରମଣୀ କହଁର ମଧ୍ୟ ପ୍ରତିକ୍ରିୟା ରଖି କହିଛନ୍ତି, ମୁଁ ନିଲମ୍ବନ ଆଦେଶକୁ ଗ୍ରହଣ କରିପାରୁନି । ମୁଁ ବିଜେଡି ସହ ବିଶ୍ୱାସଘାତକତା କରିନି । ବିଜୁ ଲିଗାସୀକୁ ଭୋଟ ଦେଇଛି । ‘
ଅନ୍ୟପଟେ ବିଜେଡି ନେତା ତଥା କଟକ ମେୟର ସୁବାସ ସିଂ କହିଛନ୍ତି, ‘ଦଳ ସହ ବିଶ୍ୱାସଘାତକତା କରିଥିବା ଦେବୀ ତ୍ରିପାଠୀ ଓ ସୌଭିକ ବିଶ୍ବାଳ ଭବିଷ୍ୟତରେ ଖତ ହୋଇଯିବେ। ସେମାନେ କଟକକୁ କଳଙ୍କିତ କରିଛନ୍ତି ବୋଲି କହିଛନ୍ତି ସୁବାସ । ଆଉ ଦଳର ବରିଷ୍ଠ ଉପସଭାପତି ଦେବୀ ମିଶ୍ର କହିଛନ୍ତି, ବିଜେଡି ସମ୍ବିଧାନରେ ଶୃଙ୍ଖଳା ଭାଙ୍ଗି ଥିବାରୁ କାର୍ଯ୍ୟାନୁଷ୍ଠାନ ହୋଇଛି । ଦଳର କଲେକ୍ଟିଭ ନିଷ୍ପତ୍ତିକୁ ମାନି ନଥିବାରୁ ସଭ୍ୟ ପଦ କାହିଁକି ରଦ୍ଦ କରାନଯିବ ସେ ନେଇ ବାଚସ୍ପତିଙ୍କ ପାଖରେ ବିଜେଡି ଆବେଦନ କରିବ । ‘
ଆଗକୁ ପଞ୍ଚାୟତ ଓ ପୌର ନିର୍ବାଚନ ଥିବା ବିଜେଡିରେ ନିଲମ୍ବନ ଓ ଇସ୍ତଫା ପର୍ବ ସୁପ୍ରିମୋଙ୍କ ପାଇଁ ଟେନସନ ବଢ଼ାଇଛି । ବିଶେଷ କରି ରାଜ୍ୟସଭା ନିର୍ବାଚନ ବିଗାଡି ଦେଇଛି ବିଜେଡିର ସବୁ ଅଙ୍କ । ଆଗକୁ ଏହା କେଉଁ ମୋଡ଼ ନେଉଛି ତାଉପରେ ସମସ୍ତଙ୍କ ନଜର।



/odishatv/media/post_attachments/uploadimage/library/16_9/16_9_0/ramesh-jena_1617884867.jpg?w=853&resize=853,479&ssl=1)





