ନର୍ଲା ବିଧାୟକ ଓ ତାଙ୍କ ସ୍ୱାମୀଙ୍କ ଦବଂଗଗିରିକୁ ନେଇ ସାରା ରାଜ୍ୟ ଏବେ ଉଠୁଛି ପଡୁଛି। ରାଜନୈତିକ ବୟାନ ବାଜି ମଧ୍ୟ ଜୋର ଧରିଛି ।
ନର୍ଲା ବିଧାୟକଙ୍କ ସ୍ବାମୀ ଦୁର୍ଗା ପ୍ରସାଦ ମହାନ୍ତିଙ୍କ ନାଁରେ ଅଭିଯୋଗ ଲମ୍ବିବାରେ ଲାଗିଛି। କାହାକୁ ଧମକ, କାହାକୁ ଚ୍ୟାଲେଞ୍ଜ, କାହାକୁ ରାସ୍ତାରୁ ହଟାଇ ଦେବାକୁ ତାଗିଦ୍। କଳାହାଣ୍ଡି ଜିଲ୍ଲାରେ କେମିତି ଚାଲୁଥିଲା ଦୁର୍ଗା ଓରଫ୍ ମୁନା ମହାନ୍ତିଙ୍କ ଦବଙ୍ଗଗିରି ସେ ନେଇ ଆସିଛି ଆଉ ଏକ ଅଭିଯୋଗ।
କଳାହାଣ୍ଡି ଜିଲ୍ଲାର ମନୋଜ ସାହୁଙ୍କୁ ଫୋନରେ ବାରମ୍ବାର ଧମକ ଦେବା ସହ ହତ୍ୟା କରିଦେବାକୁ ଧମକ ବି ଦେଇଥିଲେ ମୁନା। ଏସବୁ ସବୁର ରେକର୍ଡ ମଧ୍ୟ ଏବେ ଭାଇରଲ ହେବାରେ ଲାଗିଛି। କେମିତି ଫୋନ୍ କରି ସିଧା ଧମକ ଦେଉଛନ୍ତି, ଚ୍ୟାଲେଞ୍ଜ କରୁଛନ୍ତି, ଘର ପାଖକୁ ଯାଇ ଆମ୍ନାସାମ୍ନା ହେବେ କହୁଛନ୍ତି ସବୁ ରେକର୍ଡ ରହିଥିବା କୁହାଯାଉଛି।
ରାଜନୈତିକ ଶତ୍ରୁତା ଥିବାରୁ ମନୋଜଙ୍କୁ ବାରମ୍ବାର ଫୋନ୍ କରି ବିଧାୟକଙ୍କ ସ୍ବାମୀ ଦୁର୍ଗା ଓରଫ୍ ମୁନା ମହାନ୍ତି ଧମକ ଦେଉଛନ୍ତି। କେସିଙ୍ଗା ଥାନାରେ ମାମଲା ରୁଜୁ କରିଛନ୍ତି। ଏନେଇ ଦୁର୍ଗା ପ୍ରସାଦ ମହାନ୍ତିଙ୍କ ପ୍ରତିକ୍ରିୟା ମିଳିପାରିନି।









